ବିଭିନ୍ନ ସମସ୍ୟାକୁ ନେଇ ଭାଜପାର ସାମ୍ବାଦିକ ସମ୍ମିଳନୀରେ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଭାଜପା ଜିଲ୍ଲା କାର୍ଯାଳୟ ପରିସରରେ ଭାଜପା ପକ୍ଷରୁ ଜିଲ୍ଲାର ରେଳବାଇ ସମସ୍ୟା, ଚାଷୀବୀମା ସମସ୍ୟା ଏବଂ କ୍ରିଡାବିତ୍ ମାନଙ୍କର ଷ୍ଟାଡିୟମ୍ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପାର ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉପସ୍ଥିତ ରହି ମୁଖ୍ୟତଃ ପଲାସା ଗୁଣପୁର ପାସିଞ୍ଜେର ଏବଂ ରାଜ୍ୟରାଣି ଏକ୍ସପ୍ରେସ ଯାହାକି ପାରଳାଖେମୁଣ୍ଡି ଦେଇ ଯାଉଅଛି ତାହାର ସମୟରେ କିଛି ପରିବର୍ତ୍ତନ ଆଣିବା ପାଇଁ ସେ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏସଲଙ୍କୁ ଯେଉଁ ପତ୍ର ଲେଖିଥିଲେ ତାହା ସେ ଗ୍ରହଣ କରି ଏ ବିଷୟରେ ପଦକ୍ଷେପ ନେବେ ବୋଲି କହିଥିବାର ସୂଚନା ଦେଇଥିଲେ । ସେହିପରି ପାରଳାଖେମୁଣ୍ଡି ସମେତ ଯେଉଁ ପ୍ଲାଟଫର୍ମ ଗୁଡିକ ଅନୁନ୍ନତ ଅଛି ସେଗୁଡିକୁ ଉନ୍ନତିକରଣ କରାଯିବ ବୋଲି ମଧ୍ୟ ବିଧାୟକ ଶ୍ରୀ ରାଓ ସୂଚନା ଦେଇଥିଲେ । ସେହିପରି ଗୋଷାଣୀ ବ୍ଲକର ୬ଗୋଟି ପଞ୍ଚାୟତ ଓ ଗୁମ୍ମା ବ୍ଲକର ଯେଉଁ ଚାଷୀ ମାନେ କୃଷି ବିମାଭୁକ୍ତ ହୋଇ ନାହାଁନ୍ତି ସେମାନଙ୍କୁ କୃଷି ବିମାଭୁକ୍ତ କରିବା ପାଇଁ ସେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହ କଥା ବାର୍ତ୍ତା କରିଛନ୍ତି ବୋଲି ଏହି ସାମ୍ବାଦୀକ ସମ୍ମିଳନୀରେ ସୂଚନା ଦେଇଥିଲେ । ସେହିପରି ଗତ କିଛି ଦିନତଳେ ରାଜ୍ୟ କ୍ରୀଡାମନ୍ତ୍ରୀ ଗଜପତି ଗ୍ରସ୍ତରେ ଆସିଥିବାବେଳେ ସେ ତାଙ୍କ ସହ ଷ୍ଟାଡିୟମର ବିଭିନ ଉନ୍ନତିକରଣ ବିଷୟରେ ଆଲୋଚନା କରିଥିବା ପ୍ରକାଶ କରିଥିଲେ । ଏଥିମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମର ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହାସହ କାଶୀନଗର, ଗୁମ୍ମା ଓ ଗୋଷାଣି ଠାରେ ମଧ୍ୟ ଷ୍ଟାଡିୟମ ନିର୍ମାଣର ପ୍ରସ୍ତାବ ରହିଛି । ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ପାଣ୍ଠି, ସାଂସଦ ପାଣ୍ଠି ଏବଂ ବିଧାୟକ ପାଣ୍ଠି ମିଳିତ ଭାବେ ଉପଯୋଗ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପା ଜିଲ୍ଲା ସଭାପତି ଜି.ଭେଙ୍କଟ ରାବଣା, ପୂର୍ବତନ ନଗରପାଳ ପି.କ୍ରିଣ୍ଣା, ନୃସିଂହ ଚରଣ ପଟ୍ଟନାୟକ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପି.ଲତା, କାସୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍.ସିମାଦ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା