ବିଭିନ୍ନ ଦାବୀ ନେଇ ଶ୍ରମିକ ନେତା ପ୍ରଶାନ୍ତ ପାଟ୍ଟଯୋଶୀଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଦାବୀ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ଶନିବାର ଏଆଇଟିୟୁସି ସହ ବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଇ-ମେଲ ଯୋଗେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ତଥା ଏଆଇଟିୟୁସି ନେତା ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ସରକାର ଅତିରିକ୍ତ ସହାୟତା ପ୍ରଦାନ କରିବା ସମେତ ଦୁଇ ଦଫା ଦାବୀ ନେଇ ଏକ ସ୍ମାରକ ପତ୍ର ପଠାଇଛନ୍ତି । ରାଜ୍ୟ ସରକାର ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଜାରି କରିଥିବା ଲକଡାଉନ ସମୟକୁ ଓଡିଶାରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ନିଷ୍ପତ୍ତିକୁ ଏଆଇଟିୟୁସି ସହ ବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ସମର୍ଥନ କରାଯାଇଛି ବୋଲି ପାଟ୍ଟଯୋଶୀ କହିଛନ୍ତି । ଲକଡାଉନ ଯୋଗୁଁ ଅସୁବିଧାରେ ପଡିଥିବା ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ପାଇଁ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା ହୋଇଥିବା ପ୍ରସ୍ତାବକୁ ସେ ସ୍ୱାଗତ କରିଥିବା ଜଣାଇଛନ୍ତି । ଆଉ ମଧ୍ୟ ଲକଡାଉନ ସମୟରେ ଦୈନିକ ମଜୁରିଆ, ଶ୍ରମିକ, ଖଟିଖିଆ, ଗରିବ, ଅସହାୟ, ଲୋକମାନେ ବିଶେଷ କରି କାମଧନ୍ଦା ନ ପାଇ ବସିଥିବା ଯୋଗୁଁ ଆର୍ଥିକ ଅନାଟନରେ ଖାଦ୍ୟ ଅଭାବ ଦେଖାଦେଇଛି । ଏହି ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା କେତେକ ସମସ୍ୟା ଉପରେ ରାଜ୍ୟ ସରକାର ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଦାବୀ କରାଯାଇଛି । ଦାବୀଗୁଡିକ ହେଲା ଯେଉଁ ନିର୍ମାଣ ଶ୍ରମିକମାନେ ତିନି ବର୍ଷରୁ ଉର୍ଦ୍ଧ୍ଵ ବା ଦେୟ ପୈଠ କରି ନାହାନ୍ତି କିନ୍ତୁ ବୋର୍ଡର ନିଷ୍ପତି ଅନୁସାରେ ବକେୟା ବାର୍ଷିକ ଦେୟ ପୈଠ କରିବା ପାଇଁ ଦରଖାସ୍ତ ଦେଇ କ୍ଷମାଭିକ୍ଷା କରିଛନ୍ତି ଏବଂ ସେମାନଙ୍କର ଦରଖାସ୍ତ ଜିଲ୍ଲା ଶ୍ରମ ଦପ୍ତରର ଅବହେଳା ହୋଇ ପଡ଼ିରହିଛି, ସେମାନଙ୍କୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯାଉ । ସେହିପରି ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ଆଦାୟ ହେଉଥିବା ସେସ ପାଣ୍ଠିରୁ ଦିଆଯାଉଥିବା ଏହି ୧୫୦୦ ଟଙ୍କାର ଆର୍ଥିକ ସହାୟତା ଅତ୍ୟନ୍ତ ସ୍ୱଳ୍ପ ହୋଇଥିବା ଦୃଷ୍ଟିରୁ ଘରେ ଆବଦ୍ଧ ହୋଇ ରହି କୌଣସି କାମଧନ୍ଦାରୁ ବଞ୍ଚିତ ନିର୍ମାଣ ଶ୍ରମିକମାନଙ୍କୁ ଲକଡାଉନ ସମୟ ବୃଦ୍ଧି ହେତୁ ରାଜ୍ୟ ସରକାର ଅତିରିକ୍ତ ୧୫୦୦ ଟଙ୍କା ସହାୟତା ପ୍ରଦାନ କରନ୍ତୁ । ଗରିବ ନିର୍ମାଣ ଶ୍ରମିକଙ୍କୁ ଆଜିର କଷ୍ଟକର ପରିସ୍ଥିତିରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ କୋଭିଡ-୧୯ ରିଲିଫ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା