ବିଭିନ୍ନ ଦାବି ନେଇ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ : ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ପକ୍ଷରୁ ଆଜି ୭ ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ସହ ମୃତ୍ୟୁକାଳିତ ଅନ୍ତେଷ୍ଟିକ୍ରିୟା, ଦୁରାରୋଗୀ ଚିକିତ୍ସା, ବିବାହ କାର୍ଯ୍ୟ, ପ୍ରସୂତି କାଳୀନ, ଶିକ୍ଷାବୃତି, ସାଇକେଲ, ଯନ୍ତ୍ରପାତି, ପକ୍କାଘର ଯୋଜନା ସମ୍ବନ୍ଧୀୟ ଶ୍ରମିକମାନଙ୍କ ସମସ୍ତ ପାଉଣା ଯଥାଶୀଘ୍ର ପ୍ରଦାନ କରାଯାଉ । କରୋନା ମହାମାରୀ ବିପଦ ସମୟରେ ନିର୍ମାଣ ଶ୍ରମିକଟିଏ ପରିବାର ଚଳାଇବା କଷ୍ଟ ହୋଇପଡ଼ିଛି । ତେଣୁ ୧୫୦୦ ଟଙ୍କା ବଦଳରେ ଏମାନଙ୍କୁ ଅଧିକ ସହାୟତା ପ୍ରଦାନ କରାଯାଉ, ଯେଉଁମାନେ ରିନୁଆଲ କରିନାହାନ୍ତି, ସେମାନଙ୍କୁ ଅଧିକ ତିନି ମାସ ରିନୁଆଲ କରିବା ପାଇଁ ସୁଯୋଗ ଦିଆଯାଉ, ଯେଉଁ ପଞ୍ଜିକୃତ ଶ୍ରମିକମାନଙ୍କ ୬୦ ବର୍ଷ ହୋଇଯାଇଛି, ସେମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉ । ଏହି ବିକ୍ଷୋଭରେ ଭାରତୀୟ ମଜଦୂର ସଂଘ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ରନାଥ ନାୟକ, ଉପସଭାପତି ପ୍ରମୋଦ ଚନ୍ଦ୍ର ସାହୁ, ଶ୍ରମିକ ନେତା ବୃନ୍ଦାବନ ବେହେରାଙ୍କ ସମେତ ବହୁ ସଂଘର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା