ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିଅନ ପକ୍ଷରୁ ଗଣଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୃଷି ଆଇନ ଓ ନୂତନ ବିଦ୍ୟୁତ ଆଇନ ପ୍ରତ୍ୟାହାର ଦାବି ନେଇ ସମେତ ୧୦ ଦଫା ଦାବିରେ ଓଡିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିଅନ ପକ୍ଷରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୁକୁଡାଖଣ୍ଡି ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଯାଇଛି । ଏଥିରେ କୃଷକ ବିରୋଧି ତିନୋଟି କୃଷି ଆଇନ ଏବଂ ନୂତନ ବିଦ୍ୟୁତ ଆଇନ ପ୍ରତ୍ୟାହାର କର, ଦର ବୃଦ୍ଧି ହ୍ରାସ କର, ବେକାରଙ୍କୁ ନିଯୁକ୍ତି ଦିଅ, ବାସହୀନଙ୍କ ଦଖଲରେ ଥିବା ଜମିର ପଟ୍ଟା ଦିଅ, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ମାନଙ୍କୁ ମାସିକ ଭତ୍ତା ଦିଅ, ସବୁ ପଞ୍ଚାୟତରେ ସରକାରୀ ଧାନ ମଣ୍ଡି ଖୋଲି ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୦୦୦/ଟଙ୍କା ଦିଅ, ଆଦିବାସୀଙ୍କ ଦଖଲରେ ଥିବା ଜଙ୍ଗଲ ଜମିର ପଟ୍ଟା ଦିଅ, ଗ୍ରାନାଇଟି ଉତ୍ପାଦନ ହେଉଥିବା ପଥର କୁଆଁରୀରୁ ଯେଉଁ ରାଜସ୍ୱ ଆଦାୟ ହେଉଛି ତାର ୫୦% ସ୍ଥାନୀୟ ଅଂଚଳର ଉର୍ନତିମୂଳକ କାମରେ ବିନିଯୋଗ ହେଉ, ମହୁଘରା ପାହାଡ଼ରେ ବେନିୟମ ଭାବେ ପଥର ଫୁଟାଇ ଲୋକଙ୍କ ନଷ୍ଟ ହୋଇଥିବା ଜମି, ଫସଲ, ଘରର କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରାଯାଇଥିଲା । ଏହାପରେ ଏକ ଦାବି ପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ଜିଲ୍ଲା ଯୁଗ୍ମ ସମ୍ପାଦକ ବସନ୍ତ ନନ୍ଦ, କ୍ଷେତ ମଜଦୁର ୟୁନିଅନର ରାଜ୍ୟ ଉପସଭାପତି ବିଦ୍ୟାଧର ଜେନା, ଉର୍ମିଳା ଜେନା, ବିଷ୍ଣୁ ସାହୁ, କୋରା ମଣି ଗୌଡ଼, ଵାପିନୀ ନାୟକ, ନିରଞ୍ଜନ ଗୌଡ଼, ସୁରେନ୍ଦ୍ର ମଳିକ, ବିମ୍ବାଧର ମହାନ୍ତି, ଦଣ୍ଡପାଣି ବେହେରା ପ୍ରମୁଖଙ୍କ ନେତୃତ୍ୱରେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା