ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ୍ ବଡ଼ଡ଼ୁମ୍ବୁଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଝଗଡ଼ାପଲ୍ଲୀ ଗ୍ରାମବାସୀମାନେ ବିଭିନ୍ନ ଅଭିଯୋଗ ନେଇ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଝଗଡ଼ାପଲ୍ଲୀ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ କୋଭିଡ୍ -୧୯ ସକାଶେ ଆସିଥିବା ଶିଶୁଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ଚାଉଳ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି ରଶ୍ମିତା କୁମାରୀ ଧର ସେଣ୍ଟରରେ ଅନୁପସ୍ଥିତ ରହି ମାସକୁ ୩ରୁ ୪ ଥର ବୁଲି ଯାଉଛନ୍ତି । ଶିଶୁଙ୍କୁ ଦିଆଯାଉଥିବା ଡ୍ରେସ୍‌, ଅଣ୍ଡା, ଛତୁଆ ଓ ଚାଉଳ ବଣ୍ଟନ ଦୁର୍ନିତିରେ ମଧ୍ୟ ଲିପ୍ତ ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । କୋଭିଡ୍ -୧୯ ସକାଶେ ସେଣ୍ଟରକୁ ଆସୁଥିବା ଚାଉଳକୁ ଖଜୁରିଆପଲ୍ଲୀ ଗ୍ରାମର ଜଣେ ବ୍ୟବସାୟୀଙ୍କୁ ପ୍ରଦାନ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜୁନ୍ ୩ ତାରିଖ ଦିନ ସେମାନେ ଗାଡ଼ି ସହ ଚାଉଳକୁ ମଧ୍ୟ ଧରିଥିଲେ ବୋଲି ଗ୍ରାମର ରବିନ୍ଦ୍ର ଗୌଡ଼ କହିଛନ୍ତି । ତେଣୁ ଏସଂପର୍କରେ ବାରମ୍ବାର ଦିଗପହଣ୍ଡି ସିଡ଼ିପିଓଙ୍କୁ ଅଭିଯୋଗ କଲେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଗଞ୍ଜାମ ଜିଲ୍ଲାପାଳ ଏହାର ତୁରନ୍ତ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବୀ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସୁବାସିନି ଦଳାଇ, ବନବାସୀ ନାୟକ, ନିରଞ୍ଜନ ବାଡତ୍ୟା, ମଞ୍ଜୁଳା ବିଷୋୟୀ, ରବିନ୍ଦ୍ର ଗୌଡ଼, ବିନୋଦ ଦଳାଇ, ଦାମ ଦଳେଇ, ରଙ୍କ ବିଶୋଇ, ଆପନା ବିଷୋୟୀ, ସାରଥୀ ସାହୁ, ସିମାଂଚଳ ଗୌଡ଼, ଦୁଃଖୀଶ୍ୟାମ ପଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହାସହ ସମସ୍ତ ସମସ୍ୟାଗୁଡିକୁ ଯଥାଶୀଘ୍ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ମଧ୍ୟ ଦେଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା