ବିଦାୟ ସମ୍ବର୍ଦ୍ଧନା ସମାରୋହ ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସୁସମନ୍ଵୟ ଆବଶ୍ୟକ…

ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କୃଷି କାର୍ଯ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ବିଭୁଦେନ୍ଦୁ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ମୁଖ୍ୟ ଅତିଥି, ଡେପୁଟି ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତି, ମୃତ୍ତିକା ସଂରକ୍ଷଣ ଅଧିକାରୀ ରବି ନାରାୟଣ ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସାଂପ୍ରତିକ ସମୟରେ ଦୃତ ଜନସଂଖ୍ୟା ବୃଦ୍ଧି ଅନୁପାତରେ ଅଧିକ ଉତ୍ପାଦନର ଆବଶ୍ୟକତା ରହିଛି । ତେଣୁ ଉତ୍ପାଦନ ବୃଦ୍ଧି ପାଇଁ ଚାଷୀ ଓ କୃଷି ଅଧିକାରୀଙ୍କ ମଧ୍ୟରେ ସୁସମନ୍ଵୟର ଆବଶ୍ୟକ ରହିଛି । ସୁତରାଂ କୃଷି ଅଧିକାରୀଗଣ ସକ୍ରିୟ ଭାବେ ଜଡିତ ରହି ଚାଷୀ ଭାଇମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ନିକଟରେ କାର୍ଯ୍ୟରୁ ଅବସର ନେଇଥିବା କୃଷି ଅଧିଦର୍ଶକ ମନୋରଞ୍ଜନ ଲାଠଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ନିରାମୟ ଜୀବନ କାମନା କରାଯାଇଥିଲା । ନିମାଇଁ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ କୃଷି ଅଧିଦର୍ଶକ ଦିଲ୍ଲୀପ କୁମାର ଦାଶ ସଞ୍ଚାଳନ କରିଥିଲେ । ବୀରେନ୍ଦ୍ର ପାଣି, ଅନୀମା ଦାଶ, ସନ୍ନ୍ୟାସୀ ସେଠ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମାସ୍କ ସହ ସାମାଜିକ ଦୂରତ୍ୱକୁ ବଜାୟ ରଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ – ନିରୋଜ କୁମାର ପାଣୀ