ବିଜେପି ପ୍ରାର୍ଥୀ ପିଙ୍କିଙ୍କୁ ଗ୍ରାମରେ ପୁରାଇ ଦେଲେ ନାହିଁ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପି ଓଡ଼ିଆ ଫିଲ୍ମ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିରୁଦ୍ଧରେ ଟିକେଟ ଦେଇଛନ୍ତି । ଅନ୍ୟପଟେ ବିଜେପି ଟିକେଟ ପାଇବା ରେସରେ ଥିବା ଉତ୍ତମ ପାଣିଗ୍ରାହୀ ନିରାଶ ହେବା ପରେ ଏବେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏପରି ପରିସ୍ଥିତିରେ ବିଜେପି ପ୍ରାର୍ଥୀ ପିଙ୍କି ଏବଂ ଉତ୍ତମ ସମର୍ଥକଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପିଙ୍କି ଆଜି ବଡଡୁମ୍ବୁଳା ମନ୍ଦିରରେ ପୂଜା କରି ନିକଟସ୍ଥ ତାଣ୍ଡେଶ୍ଵର ଗ୍ରାମକୁ ଯିବା ବେଳେ ସେଠାରେ ଉତ୍ତମ ପାଣିଗ୍ରାହୀ ଏକ ପଡିଆରେ ସଭାର ଆୟୋଜନ କରୁଥିଲେ । ଏହି ସମୟରେ ଉତ୍ତମଙ୍କ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ପିଙ୍କିଙ୍କ ମଧ୍ୟରେ ବେଶ ଉଚ୍ଚବାଚ ହୋଇଥିଲା । ପିଙ୍କି ସ୍ୱାଧୀନ ପ୍ରାର୍ଥୀ ଉତ୍ତମଙ୍କ ସମର୍ଥକମାନଙ୍କୁ ବହୁ ସମୟ ଧରି ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ବରଂ ତାଙ୍କୁ ସେଠାରୁ ଫେରିଯିବା ପାଇଁ ଦାଗିଦ କରିଥିଲେ । ଶେଷରେ କୌଣସି ଉପାୟ ନପାଇ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ଏବଂ ସମର୍ଥକମାନେ ତାଣ୍ଡେଶ୍ୱର ଗ୍ରାମକୁ ଯାଇନପାରି ଫେରିଯାଇଥିଲେ । ବର୍ତ୍ତମାନ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କ ଟକ୍କର ସୂର୍ଯ୍ୟଙ୍କ ସହ କମ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଅଧିକ ରହିଛି । ଏଣେ ବିଜେପି ଦୁଇ ଫାଳ ହେବା ପରେ ସୂର୍ଯ୍ୟଙ୍କ ରାସ୍ତା ସଫା ହୋଇଥିବା କୁହାଯାଉଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା