ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ପରଲୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ପରଲୋକ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ପାର୍କିଂକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିବାବେଳେ ଏହି ଘଟଣାରେ ମିନାକ୍ଷୀ ମିଶ୍ରଙ୍କ ପୁଅ ରାଜା ମିଶ୍ରଙ୍କୁ ପୋଲିସ୍‌ ଗିରଫ କରିଥିଲା । ପୁଅକୁ ମୁକୁଳାଇବାକୁ ମିନାକ୍ଷୀ ଚେଷ୍ଟା ଜାରି ରଖିଥିବାବେଳେ ଏସ୍‌ପି ତାଙ୍କୁ ଭେଟି ନ ଥିଲେ । ପାର୍କିଂକୁ ନେଇ ଅନ୍ୟଗୋଷ୍ଠୀର ଆକ୍ରମଣର ଶିକାର ହୋଇଥିବା ପୁଅକୁ କାହିଁକି ପୋଲିସ ଗିରଫ କରିଛି ତା’ର ପ୍ରତିବାଦରେ ମିନାକ୍ଷୀ ଏକ ପ୍ରେସ୍‌ମିଟ୍‌ କରି ନ୍ୟାୟ ନ ମିଳିଲେ ଆତ୍ମହୂତି କରିବାକୁ ଚେତାବନୀ ଦେଇଥିଲେ । ଏହାପରେ ପୁଅର ଗିରଫଦାରୀକୁ ବିରୋଧ କରି ବ୍ରହ୍ମପୁର ଏସ୍‌ପି ଅଫିସ୍‌ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରି ଦେହରେ ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ମିନାକ୍ଷୀଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ଗତ ୧୪ରେ ଏସ୍‌ସିବିରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ସହରରେ ଶୋକର ଛାୟା ଖେଳିଯାଇଥିବା ବେଳେ ମିନାକ୍ଷୀଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ ଓ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା