ବିଜୁ ସେତୁ ଯୋଜନା ପାଲଟିଛି ସାତ ସପନ : ଜୀବନ ବାଜି ଲାଗିଛି ଯା’ଆସରେ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ଗ୍ରାମ ପଞ୍ଚାୟତର ସରପଡ଼ା ଗାଁରେ ବସବାସ କରନ୍ତି ପ୍ରାୟ ୧୫୦ରୁ ଅଧିକ ପରିବାର । ଏହି ଗାଁର ଲୋକମାନେ ମୁଖ୍ୟତଃ ଚାଷବାସ ଓ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଚଳନ୍ତି । ଗାଁକୁ ଯିବାକୁ ହେଲେ ଲୋହରାଖଣ୍ଡି ନଦୀ ପାର ହେବାକୁ ପଡ଼ିଥାଏ । ଖାଲି ସରପଡ଼ା ଗାଁ ନୁହେଁ, ପାଖାପାଖି ୨ରୁ ୩ଟି ଗାଁ ନଦୀ ସେପଟେ ରହିଛି । ତେଣୁ ବର୍ଷା ଦିନ ଆସିଲେ ଏହି ଅଞ୍ଚଳର ଲୋକଙ୍କ ସମଷ୍ୟା ଓ ଦୁଃଖ ବଢ଼ିଯାଏ । କାରଣ ଲୋହରାଖଣ୍ଡି ନଦୀ ଉପରେ ବ୍ରିଜ୍‌ଟିଏ ନାହିଁ । ଏହିସବୁ ଗାଁର ଲୋକମାନେ ନିତି ଦିନିଆ ସଉଦାଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଭଞ୍ଜନଗର ସହର ଉପରେ ନିର୍ଭର କରିଥାଆନ୍ତି । ଆଉ ଏହି ଗାଁଠାରୁ ଭଞ୍ଜନଗର ସହରର ଦୂରତା ୧୬ କିଲୋମିଟର । ଗ୍ରାମକୁ ରାସ୍ତା ନଥିବା ବେଳେ ଯେଉଁ ୬ ମାସ ନଦୀରେ ପାଣି ଅଧିକ ରହେ ନାହିଁ ସେହିଦିନ ଗୁଡ଼ିକରେ ଲୋକମାନେ ନଦୀରେ ପଶି ଯା’ଆସ କରନ୍ତି । ବାକି ୬ ମାସ ଲୋହରାଖଣ୍ଡି ନଦୀ ଉପରେ ତିଆରି ହୋଇଥିବା ୫୦ ଫୁଟର ଅଣଓସାରିଆ କଂକ୍ରିଟ୍‌ କେନାଲ ଉପରେ ଯା’ଆସ କରନ୍ତି । ପ୍ରତିଦିନ ମୃତ୍ୟୁର ଛାତି ଉପରେ ଚାଲି ନଦୀ ପାର ହେଉଛନ୍ତି ଏ ଗ୍ରାମବାସୀ ଆଉ ଏଠି ପାଦ ଖସିଲେ କୋଳେଇ ନେବ ମୃତ୍ୟୁ । ଏ ନେଇ ଗ୍ରାମବାସୀ କହିଛନ୍ତି ସେମାନେ ସେତୁ ଟିଏ ନିର୍ମାଣ ପାଇଁ ସ୍ତାନୀୟ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଏଠାରେ ନିର୍ମାଣ ହେବ ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନା ।

ରିପୋର୍ଟ : ନିଲୁ ବିଷୋୟୀ