ଆଦିବାସୀଙ୍କ ଜମିରେ ବଳ ପୂର୍ବକ ବୃକ୍ଷରୋପଣ ପ୍ରତ୍ୟାହାର ଦାବିରେ ସତ୍ୟାଗ୍ରହ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ବିଶ୍ୱ ଆଦିମ ଦିବସ ତଥା ୧୯୪୨ ଅଗଷ୍ଟ ୯ରେ ବ୍ରିଟିଶ ଭାରତ ଛାଡ ଡାକରାରେ ଯେପରି ଭାରତୀୟ ମାନେ ଐକ୍ୟବଦ୍ଧ ହୋଇ ସ୍ୱାଧୀନତା ହାସଲ ପାଇଁ ସଂଘର୍ଷ କରିଥିଲେ ଏବଂ ଆଦିବାସୀମାନେ ସଂଘର୍ଷର ଶୀର୍ଷରେ ଥିଲେ, ପୁଣିଥରେ ଐତିହାସିକ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର କର୍ପୋରେଟ୍ ହଟାଅ କୃଷକ ବଞ୍ଚାଅ ଆହ୍ୱାନକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲା । ୨୫୪ରୁ ଅଧିକ ସଂଗଠନକୁ ନେଇ ଗଠିତ ସମନ୍ୱୟ ସମିତିର ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ସଦସ୍ୟ ସଂଗଠନ ହୋଇଥିବାରୁ ଜଗନ୍ନାଥପ୍ରସାଦ ବ୍ଳକ କମିଟି ପକ୍ଷରୁ ବିଭିନ୍ନ ଅଞ୍ଚଳର କୃଷକ ଓ ଆଦିବାସୀ ଏକଘରୀଆପଲ୍ଲ ଠାରେ ସମବେତ ହୋଇ ପ୍ରତିବାଦ କରିଥିଲେ ଆଦିବାସୀଙ୍କ ଦଖଲରେ ଥିବା ଜଙ୍ଗଲ ଜମିରେ ବନବିଭାଗର ବଳପୂର୍ବକ ବୃକ୍ଷରୋପଣକୁ ଦୃଢ ବିରୋଧ କରିବା ସହ ଅଗଷ୍ଟ ୯ କୃଷକ ସତ୍ୟାଗ୍ରହରେ ଆଦିବାସୀ, କୃଷକ, ଭାଗଚାଷୀ, ଭୂମହୀନ ଓ କୃଷିଶ୍ରମିକ ମାନେ କେନ୍ଦ୍ର ସରକାରଙ୍କ ୯ ଦଫା ଓ ରାଜ୍ୟ ସରକାରଙ୍କ ୫ ଦଫା ଦାବୀକୁ ପୂରଣ କରିବା ପାଇଁ ଉପସ୍ଥାପନ କରିଥିଲେ । କରୋନା ଆଳରେ କୃଷି କ୍ଷେତ୍ରକୁ କର୍ପୋରେଟୀକରଣ କରିବା କେନ୍ଦ୍ର ସରକାରଙ୍କ ନୀତିକୁ ଦୃଢ ବିରୋଧ କରିଥିଲେ । କୃଷକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ ସମାଧାନ କରିବାରେ ଦିଗରେ ସରକାର କୌଣସି ଆନ୍ତରିକତା ରହୁନଥିବା ଏବଂ କରୋନା ମହାମାରୀ ଭୟଙ୍କର ସ୍ୱାସ୍ଥ୍ୟଗତ ସଙ୍କଟ ଏବଂ ତାଲାବନ୍ଦର ଲମ୍ବା ଅବଧିରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରିବା ବଦଳରେ କୃଷକ ବିରୋଧୀ ଅଧ୍ୟାଦେଶ ଓ ବିଲ ଆଣି କୃଷକକୁ ତଳିତଳାନ୍ତ କରି କର୍ପୋରେଟ୍ ସ୍ୱାର୍ଥରେ କାମ କରିବା ଆରମ୍ଭ କରିଛନ୍ତି ତାହା ଅନ୍ନଦାତାଙ୍କ ପ୍ରତି ସଂପୂର୍ଣ୍ଣ ଅବିଚାର । ଯେଉଁ କୃଷକ ଓ କୃଷି ଶ୍ରମିକ ଉତ୍ପାଦନ କରି ବଜାର ସୃଷ୍ଟି କରନ୍ତି ଦେଶର ଖାଦ୍ୟ ସୁରକ୍ଷା ସହ ଆର୍ଥିକ ଅଭିବୃଦ୍ଧି କରାନ୍ତି, ସେହି ଅନ୍ନଦାତାଙ୍କ କଷ୍ଟ, କଠିନ ପରିଶ୍ରମ ଏବଂ ତ୍ୟାଗକୁ ବିଚାର ଅସମ୍ମାନିତ କରିବା ନୀତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଭ୍ୟାସଗତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ତିନୋଟି ଅଧ୍ୟାଦେଶ, ଜନବିରୋଧି ବିଲ ଓ ରାଜ୍ୟ ସରକାରଙ୍କ ଠିକା ଚାଷ ଅଧ୍ୟାଦେଶ ଆମ ଦେଶର ଚାଷୀ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ଧ୍ବଂସ କରି କର୍ପୋରେଟକରଣ ନୀତିର ପ୍ରତିଫଳନ ଅଟେ l ତାଲାବନ୍ଦ ଜନିତ କ୍ଷୟକ୍ଷତି ଭରଣା ଏବଂ ଜୀବିକାର ପୁନଃରୁଦ୍ଧାର ପାଇଁ ସରକାରଙ୍କ ଘୋଷିତ ଆର୍ଥିକ ପ୍ୟାକେଜରେ କୃଷକ-କୃଷି ଶ୍ରମିକମାନଙ୍କ ପାଇଁ ସଂପୂର୍ଣ୍ଣ ପ୍ରତାରଣା କରାଯାଇଛି । କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡିଶା ପକ୍ଷରୁ ଆଦିବାସୀ, କୃଷକ-କୃଷି ଶ୍ରମିକ ଏବଂ ସାଧାରଣ ଗ୍ରାମୀଣ ଜନତାଙ୍କ ପାଇଁ ଯଥାର୍ଥ ହୋଇଥିବାରୁ ଏହାକୁ ସରକାର ତୁରନ୍ତ ମାନିନେଇ କୃଷକର ଉନ୍ନତି ସାଧନ କରନ୍ତୁ ବୋଲି ବୋଲି ପ୍ରତିବାଦ ସ୍ଥଳରେ ଦାବି ଉପସ୍ଥାପନ କରିଛନ୍ତି । କୃଷକମାନଙ୍କୁ ସମସ୍ତ ପ୍ରକାର ଋଣବୋଝରୁ ମୁକ୍ତି କରିବା, ସମସ୍ତ ଫସଲର ଲାଭଜନକ ଦର ଓ ଗୋଟିଏ ଦେଶ ପାଇଁ ଗୋଟିଏ “ଏମଏସପି ” ଘୋଷଣା, ତାଲାବନ୍ଦ ସମୟରେ ଆସିଥିବା ତିନୋଟି କୃଷକ ଏବଂ ଜନବିରୋଧୀ ଅଧ୍ୟାଦେଶକୁ ପ୍ରତ୍ୟାହାର, ଡିଜେଲର ମୂଲ୍ୟ ଯାହା ଅଛି ସେଥିରୁ ଅଧାକୁ କମାଅ, ଜନବିରୋଧୀ ବିଦ୍ୟୁତ ବିଲ- ୨୦୨୦ ପ୍ରତ୍ୟାହାର, କରୋନା ମହାମାରୀ ତାଲାବନ୍ଦ, ଅଦିନିଆ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ପରିବା ଚାଷୀ, ଫଳ ଚାଷୀ, ଦୁଗ୍ଧ ଚାଷୀ, ପାନ ଚାଷୀ ଏବଂ କ୍ଷତି ସହିଥିବା ଅନ୍ୟାନ୍ୟ ସମସ୍ତ କିସମର ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ, ନରେଗା ରେ ବାର୍ଷିକ ୨୦୦ ଦିନର କାମ ଏବଂ ଦୈନିକ ମଜୁରୀ ୬୦୦/ ଟଙ୍କା ଧାର୍ଯ୍ୟ କରିବା ସହ କୃଷି କ୍ଷେତ୍ରକୁ ଯୋଡି କୃଷି ଶ୍ରମିକଙ୍କୁ ସରକାର ମଜୁରୀ ପ୍ରଦାନ କରିବା, କରୋନା ଜନିତ ଗଭୀର ସଙ୍କଟ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତି ମାସରେ ୧୫କେଜି ଚାଉଳ, ୧କେଜି ତେଲ, ୧କେଜି ଡାଲି, ୧କେଜି ଚିନି ସମ୍ପୂର୍ଣ୍ଣ ମାଗଣାରେ ଦେବା, କମ୍ପାନୀ ମାନେ ଦଖଲ କରୁଥିବା କୃଷି ଜମି ଏବଂ ଆଦିବାସୀ ଜମି ଅକ୍ତିଆରକୁ ବନ୍ଦ କରିବା, କାମ୍ପା (CAMPA) ନାମରେ ଜଙ୍ଗଲ ଜମି ଉପରେ ବଳ ପ୍ରୟୋଗ ବୃକ୍ଷ ରୋପଣ ବନ୍ଦ କରିବା, ଆୟକର ପରିସର ଭୁକ୍ତ ହୋଇ ନଥିବା ପ୍ରତ୍ୟେକ ପରିବାରଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏ ଆଗାମୀ ଛଅ ମାସ ପାଇଁ ସମସ୍ତଙ୍କୁ ପ୍ରଦାନ କରିବା, ରୁଗ୍ଣ ଶିଳ୍ପର ପୁନଃରୁଦ୍ଧାର ସହିତ ନିଯୁକ୍ତି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରି ପ୍ରବାସୀ ଶ୍ରମିକ ଏବଂ ବେକାରୀଙ୍କୁ କାମ/ ରୋଜଗାରର ସୁବ୍ୟବସ୍ଥା, କରୋନା ମହାମାରୀର ସଠିକ ମୁକାବିଲା ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରି ବ୍ୟାପକ କରୋନା ପରୀକ୍ଷା, ଚି଼ହ୍ନଟ, ସଙ୍ଘରୋଧ ଏବଂ ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରିବା, ଗିରଫ ହୋଇଥିବା ଜନ ଆନ୍ଦୋଳନର ସମସ୍ତ ନେତା, ବୁଦ୍ଧିଜୀବି ଏବଂ ରାଜନୈତିକ ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତ କରିବା ଦାବି ଉପସ୍ଥାପନ କରାଯାଇଛି ଯାହାକି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ପ୍ରେରଣ କରାଯିବ । ଏଥିରେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ, ପଞ୍ଚାନନ ପ୍ରଧାନ, ଗିରିଧାରୀ ପ୍ରଧାନ ଆଦି ବହୁ ଆଦିବାସୀ ଓ କୃଷକ ସାମିଲ ହୋଇଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ