ବାଲି ରାକ୍ଷସଙ୍କ କବଳରେ ସୁବର୍ଣ୍ଣରେଖାର ସୁନାବାଲି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖାରୁ ବେଧଡକଭାବେ ବାଲି ଚାଲାଣ ହୋଇ ଆସୁଥିବା ବେଳେ ଏନ୍ଜିଟିର ଲଗାମ୍ ନିଷ୍ପ୍ରଭ ହୋଇ ଉଠିଛି । ଏବେବି ରାଇବଣିଆପଟେ ମଥୁରାନାଥ ଗାଁ ନିକଟରୁ ଶହ ଶହ ଟ୍ରାକ୍ଟରରେ ବାଲି ପଶ୍ଚିମବଂଗକୁ ଚୋରାରେ ଚାଲାଣ ହୋଇ ଚାଲିଛି । ଏଠାରେ ରାଜସ୍ୱ ବିଭାଗର ‘କେ’ ଫର୍ମ ସେଠାରେ ପ୍ରଚଳନ କରୁନଥିବା ବେଳେ ବାଲିମାଫିଆମାନେ ଏହାର ସୁଯୋଗରେ ବ୍ୟାପକ ବାଲି ପଶ୍ଚିମବଂଗକୁ ଚାଲାଣ କରିଆସୁଛନ୍ତି । ଏନ୍ଜିଟିର ଲଗାମ ସତ୍ୱେ ପଶ୍ଚିମବଂଗ ବାଲି ମାଫିଆ ମାନେ ସକ୍ରିୟ ଅଛନ୍ତି । ଆଜି ରାଇବଣିଆ ଅଂଚଳର ମଥୁରାନାଥ ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀରୁ ଶହ ଶହ ଟ୍ରାକ୍ଟର ବାଲି ଧରି ଦକ୍ଷିଣ ପ୍ରହରାଜପୁର ଘରୋଇ ଏକ କାଠ ପୋଲ ମାଧ୍ୟମରେ ପଶ୍ଚିମବଂଗକୁ ଯାଉଥିବା ଦେଖିବାକୁ ମିଳିଥିଲା । ଓଡି୦୧ଏସ୍-୫୮୨୫, ଓଡି୦୧ଜି-୪୩୬୫, ଓଡି୦୧କ୍ୟୁ-୦୨୫୯, ଓଆର୍୦୧ପି-୬୧୨୦, ଓଡି୦୧ଜି-୩୫୦୩, ଓଆର୍୦୧ଜି-୬୬୮୬ ଓ ବହୁ ନମ୍ବର ବିହିନ ଟ୍ରାକ୍ଟ୍ରର ଗୁଡିକ ପିମ୍ପୁଡି ଧଡି ଭଳି ପଶ୍ଚିମବଂଗକୁ ଅହରାତ୍ର ବାଲି ପରିବହନ କରି ଆସୁଥିବାରର ଦେଖିବାକୁ ମିଳିଛି । ବାଲି ପରିବହନ ହେଉଥିବାରୁ ନିକଟସ୍ଥ ଗ୍ରାମବାସୀମାନେ ଟ୍ରାକ୍ଟର ଶବ୍ଦରେ ଅତିଷ୍ଠ ହୋଇ ମ୍ରିିୟମାଣ ହୋଇ ପଡିଛନ୍ତି । ପ୍ରଶାସନ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ଦେଇ ବାଲି ମାଫିଆମାନେ ଚୋର ବାଲି ଚାଲାଣ କରିବା ସହିତ ମାଲାମାଲ ହେଉଛନ୍ତି । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ସୁବର୍ଣ୍ଣରେଖାର ସୁନାବାଲିକୁ ନେଇ ପଶ୍ଚିମବଂଗର ବାଲି ରାକ୍ଷସ ମାନେ କୋଟିପତି ହେବା ସହିତ ଅଂଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଜି ନିକଟସ୍ଥ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା