ଗାଡି ପୋଡା ମାମଲାରେ ପୋଲିସ ଅଟକ ରଖିଥିବା ଲୋକଙ୍କୁ ଛାଡ଼ିବା ପାଇଁ ଦାବି କଲେ ଗ୍ରାମବାସୀ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ବାଲି ଚୋରା ଚାଲାଣକୁ ନେଇ ନଦୀ ପଠା ଠାରେ ଗାଡି ପୋଡା ଯାଇଥିବା ମାମଲାରେ କିଛି ଲୋକଙ୍କୁ ପୋଲିସ ଅଟକ ରଖିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ସେମାନଙ୍କୁ ଛାଡ଼ିବା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବାଲି ମାଫିଆ କିଏ ? ତାକୁ ତୁରନ୍ତ ଖୋଜି ବାହାର କରାଯାଉ ନଚେତ ଆଗାମୀ ଦିନରେ ପରିସ୍ଥିତି ଅସମ୍ଭାଳ ହେବ । ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ବିନା ଟେଣ୍ଡରରେ ବେଧଡକ ଭାବେ ବାଲି ଉଠାଣ ଅଭିଯୋଗ କରାଯାଇଥିଲେ ମଧ୍ୟ ବାଲିମାଫିଆମାନଙ୍କୁ ଧରା ଯାଉ ନାହିଁ କି ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନାହିଁ । ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି କଥା ଶୁଣୁନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏହାସହ ସେମାନେ ସବୁ ମିଛ ଅଭିଯୋଗ କଲେ ତୁମେ କିଛି ନ ବୁଝି ଆମ ଗାଁ ଲୋକଙ୍କୁ ଥାନାକୁ ଆଣି ଅଟକ ରଖିଛ ଏହା କଣ ଆମକୁ ନ୍ୟାୟ ମିଳୁଛି ବୋଲି ନାରା ଦେଇ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୋଳିଦାସ ପୁର ଗ୍ରାମବାସୀ । ମାର୍ଚ୍ଚ ମାସ ଠାରୁ ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ବାଲି ଘାଟ ଲିଜ ହୋଇନାହିଁ । ଲିଜ ନ ହେବା ଯୋଗୁଁ ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ବେଧଡକ ବାଲି ଚୋରା ଚାଲାଣ କରୁଛନ୍ତି । ଏଥିପାଇଁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ମଧ୍ୟ ଘଟୁଛି । ଏହା ଯୋଗୁଁ ଗ୍ରାମାଞ୍ଚଳରେ ଗ୍ରାମବାସୀ ଓ ମାଫିଆଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । ଯାହା ଫଳ ସୁରୂପ ଶୁକ୍ରବାର ମଧ୍ୟ ରାତିରେ ଉଗ୍ର ରୂପ ନେଇଥିଲା ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମରେ । ଚୋରା ଚାଲାଣ କରି ବାଲି ନେଉଥିବା ବେଳେ କିଛି ବ୍ୟକ୍ତି ଶୁକ୍ରବାର ମଧ୍ୟ ରାତିରେ ବାଲି ବୋଝେଇ ଟ୍ରପର, ଟ୍ରାକ୍ଟର, ମୋଟର ସାଇକେଲ ପୋଡିବା ସହ ଜେସିବି ମେସିନ୍ ଭଙ୍ଗାରୁଜା କରିଥିଲେ । ଖବର ପାଇଁ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଥିଲେ । ଗାଡ଼ି ପୋଡ଼ି ଘଟଣାରେ ରାମକୃଷ୍ଣ ବରଡ ଅଭିଯୋଗ କ୍ରମେ ୨୮୯/୨୦ରେ ଏକ ମାମଲା ରୁଜୁ କରି ଗ୍ରାମର ୫ ଜଣକୁ ପୋଲିସ ଅଟକ ରଖିଥିଲା । ଅନ୍ୟପଟେ ପୋଲିସ ଗ୍ରାମର ବ୍ୟକ୍ତିଙ୍କୁ କାହିଁକି ଅଟକ ରଖିବ ବା ରଖିଛି ଏହାକୁ ନେଇ ଆଜି ସକାଳୁ ୧୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏକତ୍ରିତ ହୋଇ ଅଟକ ଗ୍ରାମବାସୀଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଥାନା ଘେରାଉ କରିଥିଲେ । ସୂଚନା ଯୋଗ୍ୟ ଯେ ଏହି ଅଞ୍ଚଳର ଜୀବିକା ସାଧାରଣତ ଚାଷ ଉପରେ ନିର୍ଭର ଶୀଳ । ବାଲି ଉଠାଣ ପାଇଁ ବ୍ୟବହୃତ ଜେସିବି, ହିଟଚି, ଡ଼ମ୍ପର, ଟ୍ରକ, ଟ୍ରାକ୍ଟର ପ୍ରତେକ ଯିବାଆସିବା ଓ ନଦୀକୂଳରେ କାର୍ଯ୍ୟକ୍ଷମ ହେତୁ ନଦୀ କୂଳ ପଠା ମାଟି ଧସିବା ବାଲିର କୃତ୍ରିମ ଅବକ୍ଷୟ ଯୋଗୁଁ ବନ୍ୟାଜଳ ମାଡି ନିକଟସ୍ଥ ଚାଷ ଜମିରେ ଚାଷ ହୋଇଥିବା ପନିପରିବା ଫସଲ ହାନି ଘଟୁଛି । ବାରମ୍ବାର ତହସିଲ ପ୍ରଶାସନରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର‌୍ୟ୍ୟନ୍ତ ଗ୍ରାମ ତରଫରୁ ଅଭିଯୋଗ ହୋଇଛି । ମାତ୍ର କେଉଁ କାରଣରୁ ପ୍ରଶାସନ ନିରବ ସାଜିଛି ସାଧାରଣରେ ପ୍ରଶ୍ନ ହେଉଛି । ପ୍ରଶାସନ ନୀରବ ରହିବା କାରଣରୁ ଏଭଳି ତୁମୁଳକାଣ୍ଡ ଘଟାଇଥିଲେ କିଛି ବ୍ୟକ୍ତି । ଅନ୍ୟପଟେ ପୋଲିସ ପ୍ରଶାସନ ଗ୍ରାମବାସୀ ମଧ୍ୟରେ ଆଲୋଚନା ପାଇଁ କଥାବାର୍ତ୍ତା ବେଳେ ଅଟକ ବ୍ୟକ୍ତିମାନଙ୍କୁ ତୁରନ୍ତ ଛାଡିବା ପାଇଁ ପ୍ରତିବାଦ ହେବାରୁ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା । ଘଟଣାକୁ ପ୍ରଶମିତ କରିବା ପାଇଁ ପୋଲିସ ପକ୍ଷରୁ ସାଢ଼େ ୧୧ ଟାରେ ଲାଠି ଚାଳନା କରାଯାଇଥିଲା । ଯାହା ଆଗମୀ ଦିନରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏହି ଘଟଣାକୁ ଭିତ୍ତିକରି ହିଞ୍ଜିଳିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ଘଟଣାକୁ ଆସ୍କା ଏସଡିପିଓ ସୂର‌୍ୟ୍ୟମଣି ପ୍ରଧାନଙ୍କ ସହ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ହିଞ୍ଜିଳି ଥାନ ଅଧିକାରୀ ଅଭିମନ୍ୟୁ ଦାସ ସମେତ ବହୁ ପୋଲିସ ଫୋର୍ସକୁ ମୁତୟନ କରି ଅଣଆୟତ ପରିସ୍ଥିତିକୁ ସମ୍ଭାଳି ଥିଲେ । ଆଗାମୀ ଦିନରେ ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀ ମାନେ ଯଦି ସମାଧାନ ନକରନ୍ତି ତାହାଲେ ଆଗାମୀ ଦିନରେ ଏଭଳି ଅପ୍ରତିକର ପରିସ୍ଥିତିକୁ ଏଡାଇ ଦିଆ ଯାଇନପାରେ । ପୋଲିସ ଲାଠି ଚାଳନାରେ ବହୁ ଲୋକ ଆହତ ହେବା ସହ ଛତ୍ରଭଙ୍ଗ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ ବୋଲି ଜଣାପଡିଛି  ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା