ବାଣ ନିଆଁରେ ଗୃହ ଭଷ୍ମୀଭୂତ : ୪ ଗାଈ ଜୀବନ୍ତ ଦଗ୍ଧ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ରାଇବଣିଆ ଅଂଚଳରେ ହାତୀ ଉତ୍ପାତ ଦିନକୁ ଦିନ ବଢି ଚାଲୁଥିବା ବେଳେ ହାତୀ ଘଉଡାଇବା ବେଳେ ବାଣ ନିଆଁରେ ଏକ ଗୃହ ପୋଡିି ଭଷ୍ମୀଭୂତ ହୋଇଛି । ଫଳରେ ତା ଭିତରେ ବନ୍ଧାଥିବା ୪ଗାଈ ଜୀବନ୍ତ ଦଗ୍ଧିଭୂତ ହୋଇଛି । ଘଟଣାରୁ ପ୍ରକାଶ ଶୁକ୍ରବାର ରାତିରେ ଶିମିଳୀପାଳର ୧୩ଟି ହାତୀ ରଂଗାମାଟିଆ ଜଂଗଲରୁ ଯାଇ କୁମୁଚିଆ ଗାଁରେ ବ୍ୟାପକ କ୍ଷତି ଘଟାଇଛନ୍ତି । କୁମୁଚିଆ ଜଂଗଲ ନିକଟରେ କିଛି ଆଦିବାସୀ ଲୋକ ଗୃହ ନିର୍ମାଣ କରି ରହିଥିଲେ । ରାତିରେ ହାତୀଗୁଡିକ ଏହି ଘର ନିକଟକୁ ଯାଇ କିଛି ସମୟ ରହିଥିଲେ । ତେଣୁ ଗ୍ରାମବାସୀ ଓ ବନକର୍ମଚାରୀ ହାତୀ ଘଉଡାଇବା ପାଇଁ କିଛି ବାଣ ବ୍ୟବହାର କରିଥିଲେ । ତେବେ ବ୍ୟବହାର କରିଥିବା ବାଣ ଯୋଗୁଁ ସ୍ୱର୍ଗତ ଗୋପାଳ ସିଂର ପୁଅ ଜଗ ସିଂ ଘରେ ନିଆ ଲାଗିଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଘରେ କେହି ରହୁନଥିବା ବେଳେ ୪ଟି ଗାଈ ବନ୍ଧାଥିବାରୁ ସେ ଗୁଡିକ ପୋଡି ମରିଛନ୍ତି ବୋଲି ଜଗା ସିଂ ପ୍ରକାଶ କରିଛି । ଏ ସଂପର୍କରେ ରେଞ୍ଜର ସରୋଜ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ହାତୀ ଘଉଡାଇବା ବେଳେ କେତେକ ଗ୍ରାମବାସୀ ଓ ବନକର୍ମଚାରୀ ଘଟଣାସ୍ଥଳର ଅଳ୍ପ ଦୂରରେ ଥଣ୍ଡା ଯୋଗୁଁ ନିଆଁ ପୁଇଥିଲେ । ମଧ୍ୟରାତ୍ରୀରେ ବନକର୍ମଚାରୀମାନେ ଫେରିଆସିଥିବା ବେଳେ ଭୋର ସମୟରେ ଜଗା ସିଂର ଘରେ ନିଆଁ ଲାଗିଥିଲେ । ଏଥିରେ ବନକର୍ମଚାରୀମାନେ ସଂପୃକ୍ତ ନ ଥିବା ସେ କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା