ବାଜୀ ରାଉତଙ୍କ ଜୟନ୍ତୀ : ଅବିସ୍ମରଣୀୟ ପିଲାଦିନର କିଛି ଅଂଶ

ଆଜି ଅକ୍ଟୋବର,୧୦ ତାରିଖ ୧୯୩୮ ମସିହାର ରକ୍ତ ରଞ୍ଜିତ ବ୍ରାହ୍ମଣୀ ନଦୀ ଘାଟ ଢେଙ୍କାନାଳର ନୀଳକଣ୍ଠପୁରର ଲୋମ ହର୍ଷଣକାରୀ ଘଟଣା ମନ ଚୈତନ୍ଯକୁ ଅସ୍ଥିର ଅଥୟ ଓ ଲୋତକ ପୂର୍ଣ୍ଣ କରି ଦେଉଛି। ଜୀବନ କ’ଣ ଜାଣିବା ଆଗରୁ ଝାଉଁଳି ପଡିଲା କିଶୋର ଜୀବନ ରେ ପଦାର୍ପଣ କରୁ କରୁ । ମାତ୍ର ୧୨ ବର୍ଷ ବୟସରେ ଦେଶର ପରାଧିନତାର କଷଣ ଦେଖିଛି ଓ ତତ୍କାଳୀନ ଗଡ଼ଜାତ ରାଜାଙ୍କ ଅତ୍ଯାଚାର ନିଷ୍ଠୁରତାକୁ ଅଙ୍ଗେ ଲିଭାଇଛି ଶହୀଦ କୋମଳ ମତି ସ୍ବାଧୀନତା ବାଳୁତ ସଂଗ୍ରାମୀ ବାଜି ରାଉତ ଆଜିର ଦିନରେ। ପିଲା ବେଳୁ ବାପା ହରି ରାଉତ ବାଳୁତ ବାଜି ରାଉତ ଓ ବାଜିର ମାଆ ରାଣୀ ରାଉତଙ୍କୁ ଛାଡି ଆରପାରିକୁ ଚାଲିଗଲେ।ମାଆ ରାଣୀ ରାଉତଙ୍କୁ ବ୍ରିଟିଶ ସରକାରର ସିପାହୀ ଦାରୋଗା ଓ ଗ୍ରାମରକ୍ଷୀ ଅପମାନିତ କରିଥିଲେ ଯାହା ବାଜି ରାଉତ ର ମନରେ ପ୍ରତିଶୋଧ ର ବହ୍ନି ଜଳାଇ ଦେଇଥିଲା। ଓଡିଶାର ୨୬ଟି ଗଡ଼ଜାତ ମଧ୍ୟରୁ ଢେଙ୍କାନାଳର ରାଜାଙ୍କ ଜୁଲୁମ ଅତ୍ଯାଚାର ନିଷ୍ଠୁରତା ବିରୁଦ୍ଧରେ ପ୍ରଜାମଣ୍ଡଳ ସୃଷ୍ଟି ହୋଇ ପ୍ରତିବାଦ ପରେ ପ୍ରତିବାଦ ସଭା ଗାଁ ଗାଁ ରେ ପ୍ରଜାମେଳି ହୋଇ ଚାଲିଲା।୧୨ ବର୍ଷର ବାଳକ ବାଜି ରାଉତ ପ୍ରଜାମଣ୍ଡଳ ସଭାକୁ ଯାଇ ସବୁ ଅନୁଭବ କରିଥିଲା।ଭୁବନ ଭାରତର ସବୁଠୁ ବଡ ଗାଁ ରେ ପ୍ରଜାମେଳି ହୋଇ ସଭାକୁ ବାଜି ଯାଇଥିଲା। ଦାରୋଗା ଓ ଇଂରାଜୀ ସରକାରର ସିପାହୀ ବିରୁଦ୍ଧରେ ସବୁ ବାଜି ଶୁଣିଲା ଓ ସିପାହୀ ଫୈଜଙ୍କୁ ନଦୀ ଘାଟ ପାରି ନ କରାଇବାକୁ ସବୁ ନାଉରିଆ ମାନଙ୍କୁ ବାରଣ କରା ଯାଇଥିଲା।ଯାହା ବାଜି ରାଉତ ର ମନରେ ପ୍ରତିଶୋଧ ର ବହ୍ନି ଦାଉ ଦାଉ ହୋଇ ଯାହା ଜଳୁଥିଲା ଏଠାରେ ପ୍ରତିଫଳନ ହେଲା। ଏଣେ ଦେଶ ମାତୃକାର ପରାଧିନତା ର କଷଣ ଓ ନିଜ ମାଆଙ୍କୁ ଦିଆଯାଇଥିବା ଅପମାନ ବାଜି ରାଉତ ବାଳକକୁ ଆନ୍ଦୋଳିତ କରୁଥିଲା।ଏହା ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖ ଜେନାପୁର ପ୍ରଜାମଣ୍ଡଳ ସଭାକୁ ଵାଜି ଯାଇଥିଲା ଅଖ୍ୟାତ ନୀଳକଣ୍ଠପୁର ର ପ୍ରଖ୍ୟାତ ବାଳୁତ ଶହୀଦ ବାଜି ରାଉତ। ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀ ଘାଟ ରେ ଡଙ୍ଗା ର ମଙ୍ଗ ଉପରେ ନିର୍ଭର ସହ ବାଜି ବସିଥିବା ସମୟରେ ଫୈଜ ଡାକିବାରୁ ରୋକଠୋକ ମନା କରିଦେଇଥିଲେ କାରଣ ” ପ୍ରଜାମଣ୍ଡଳ ର ହୁକୁମ ନାଇଁ ମୁଇଁ ଡଙ୍ଗା ଛାଡିବି ନାହିଁ।” ଏଥିରେ ଉତକ୍ଷୀପ୍ତ ହୋଇ ସିପାହୀ ମାନଙ୍କ ନରସଂହାର ପର୍ବ ଆରମ୍ଭ ହୋଇଗଲା। ନୀଳକଣ୍ଠପୁର ର ହୁରୁଷି ପ୍ରଧାନ ଡଙ୍ଗା ଦୌଡ଼ି କୁ ଅଣ୍ଟାରେ ଗୁଡେ଼ଇ ଧରିଲେ ଓ ଡଙ୍ଗା ଛାଡିବି ନାହିଁ ଜିଦରେ କହିବା ବେଳେ ବାଜି ରାଉତ ନିଜ ସ୍ବରକୁ ଶାଣିତ କରି ଫେରି ଯିବାକୁ ଗୁରୁ ଗର୍ଜନ ରେ କହିଲେ। ସିପାହୀ ମାନେ ଡଙ୍ଗା ଦୌଡ଼ି କାଟି ଦେଲେ ମଝି ନଦୀକୁ ନାଆ ବାହିନେଲେ।ନଦୀ କୂଳରେ ଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଲାଠିଚାଳନା ସହ ଗୁଳି ମାଡ କରିଥିଲେ ଯାହା ଫଳରେ ପ୍ରଥମ ଗୁଳି ବାଜି ରାଉତ କୁ ବାଜିଲା ଓ ବ୍ରାହ୍ମଣୀ ନଦୀ ଘାଟ ରେ ଟଳି ପଡ଼ିଥିଲେ ଓ ଏହା ପରେ ଛୁରୀ ମାଡରେ ହୃଷି ପ୍ରଧାନଙ୍କ ମୃତ୍ୟୁ ହେଲା। ସିପାହୀ ମାନଙ୍କ ସହିତ କାଦୁଆ ରେ ଧସ୍ତାଧସ୍ତି ଚାଲିଲା। ମାତୃଭକ୍ତଙ୍କ ମାତୃମୁକ୍ତି ଯଜ୍ଞରେ ଜଣ ଜଣ କରି ସାତ ଜଣ ଗୁଳି ମାଡ ରେ ଟଳି ପଡ଼ିଥିଲେ।ରକ୍ତ ରଞ୍ଜିତ ବ୍ରାହ୍ମଣୀ ନଦୀ ର ନୀଳକଣ୍ଠପୁର ଘାଟ ହୋଇଗଲା।ଘାଟ ଉପରେ ଶହୀଦ ହେଲେ ବାଜି ରାଉତ, ଫଗୁ, ପାଣୁ, ଭାବ, ଗୁରୁବାରୀ, ଭାସ୍କର, ଗଙ୍ଗାଧର ଧନୀ,ନରି,ଲକ୍ଷ୍ମଣ ଓ ନଟ। ଭାରତ ଜନନୀ ଙ୍କ ସ୍ବାଧୀନତା ଆନ୍ଦୋଳନରେ ସର୍ବକନିଷ୍ଠ କିଶୋର ଶହୀଦ ବାଜି ରାଉତ ଆଜିର ଦିନରେ ୧୯୩୮ ଅକ୍ଟୋବର ୧୦ ତାରିଖ ରେ ଶହୀଦ ହୋଇଥିଲେ। ସମସ୍ତଙ୍କ ମର ଶରୀରକୁ କଟକ ସହର କୁ ସେ ଦିନ ଅଣାଗଲା। ଶଗଡ଼ ଗାଡ଼ିରେ ସହର ସାରା ପରିକ୍ରମା କରାଗଲା।ପ୍ରଥମ ଶଗଡରେ ବାଜି ରାଉତ ଙ୍କ ମର ଶହୀଦ ଶରୀର ରଖାଯାଇଥିଲା। ଶେଷରେ ଖାନନଗର ଶ୍ମଶାନରେ ମର୍ଯ୍ୟାଦାର ସହ ଅଦ୍ୱିତୀୟ ଦେଶପ୍ରେମୀ ସଂଗ୍ରାମୀ ଶହୀଦ ମାନଙ୍କୁ ସତ୍କାର କରାଗଲା। ଆଜି ପର୍ଯ୍ୟନ୍ତ ବାଜି ରାଉତ କିଶୋର ଶହୀଦର ପ୍ରେରଣା ଦେଶପ୍ରେମ ସମସ୍ତଙ୍କ ଦୃଷ୍ଟି ରେ ଅମ୍ଳାନ ହୋଇ ରହିଛି।

ଲେଖକ : ଦାମୋଦର ପାଢ଼ୀ, ଅବସରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ସହୀଦ ବାଜି ରାଉତଙ୍କ ଗାଁ