ବାଇକ ଧକ୍କାରେ ଆହତ ଗାଈର ଚିକିତ୍ସା କଲେ ସ୍ଵେଚ୍ଛାସେବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଉଦ୍ୟମ ଓ ସେବା ମନୋବୃତ୍ତି ଯୋଗୁଁ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ ବହୁ ବୁଲା ଗାଈଗୋରୁ ଓ ଷଣ୍ଢର ଜୀବନ ରକ୍ଷା କରାଯାଇପାରୁଛି । ପୂର୍ବରୁ ଏପରି ପଶୁପ୍ରେମୀ ଚୌଧୁରୀଙ୍କ ଉଦ୍ୟମରେ ପଶୁ ଚିକିତ୍ସାଳୟ କର୍ମଚାରୀ ଓ ଡକ୍ଟରଙ୍କ ସହଯୋଗରେ ପଶୁମାନଙ୍କ ଜୀବନ ରକ୍ଷା କରାଯାଇଛି । ଗୁରୁବାର ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ଗୋଷାଣୀନୂଆଗାଁ ଥାନା ନିକଟସ୍ଥ ରାଜାରାଣୀ ଆପାର୍ଟମେଣ୍ଟ ସମ୍ମୁଖରେ ଏକ ମଟର ଗାଡ଼ି ଧକ୍କାରେ ଗାଈ ଆଘାତ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲା । ଆହତ ବ୍ୟକ୍ତିଙ୍କୁ ପ୍ରଥମେ ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆହତ ଅବସ୍ଥାରେ ପଡ଼ି ରହିଥିବା ଗାଈଟିର ଆଜି ଚିକିତ୍ସା କରାଯାଇଛି । ଖବର ପାଇ ବରିଷ୍ଟ ଆଇନଜୀବୀ ତଥା ସମାଜସେବୀ ଲଳିତ ମଙ୍ଗରାଜ ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ଶ୍ରୀ ଚୌଧୁରୀ ପ୍ରାଣୀ ବିଭାଗର ଡା଼. ସୈାମୀକ୍ ସ୍ୱାଇଁଙ୍କ ସହ ଜଗାଯୋଗ କରି ଘଟଣା ସ୍ଥଳେ ପହଞ୍ଚି ଉକ୍ତ ଗାଈଟିର ଚିକିତ୍ସା କରାଯାଇଥିଲା । ଏଥିରେ ସ୍ୱେଚ୍ଛାସେବୀଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଉପସ୍ଥିତ ରହି ଆହତ ଗାଈର ଚିକିତ୍ସାରେ ସହଯୋଗ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା