ବହୁ ଦିନର ଦାବୀ ପୂରଣ ହେଲା : ଏସବୁ ଗାଁ ହିଞ୍ଜିଳି ଥାନାରେ ମିଶିଲା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳି ବାସୀଙ୍କ ବହୁ ଦିନର ଦାବୀ ଏବେ ପୂରଣ ହୋଇଛି I ତତ୍କାଳୀନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯାହା ପୂରଣ କରିପାରି ନ ଥିଲେ ଏବେ ତାଙ୍କ ପୁତ୍ର ହିଞ୍ଜିଳି ବିଧାୟକ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ପୂରଣ କରିଥିବାରୁ ବୁଦ୍ଧିଜୀବୀ ମହଲ ସାଧୁବାଦ ଜଣାଇଛନ୍ତି I ସୂଚନା ଏହିଯେ ହିଞ୍ଜିଳି ବ୍ଲକ ଅଧୀନରେ ଥିବା ମକରଝୋଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପଲ୍ଲୀ ପଦ୍ମନାଭ ପୁର ବ୍ରହ୍ମପୁର ସଦର ଥାନା ଅଧୀନରେ ଥିଲା ଫଳରେ ସାଧାରଣ ଜନତା ହଇରାଣ ହେଉଥିଲେ I ସେହିପରି ଭାବନ୍ଧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭାବନ୍ଧ, ଶିଖରପୁର, ସୂର୍ଯ୍ୟନାରାୟଣପୁର, ଧୋବାଡି ଗ୍ରାମପଞ୍ଚାୟତର ଧୋବାଡି ଓ ପାଟ୍ଟପୁର, ନନ୍ଦିକ ଗ୍ରାମପଞ୍ଚାୟତ, ପୁଟିଆପଦର ଗ୍ରାମ ପଞ୍ଚାୟତର ପୁଟିଆପଦର ଗ୍ରାମ ସହିତ ବାଳକୃଷ୍ଣପୁର, ଦୟାନିଧି ପୁର ଶାସନ , ଦିଗାପଡା ଏବଂ ସାହାପୁର ଗ୍ରାମ ପଞ୍ଚାୟତର ସାହାପୁର ସହିତ ହନ୍ତସ, ଶିଲ୍ପପଲ୍ଲୀ ଗ୍ରାମ ସମୂହ ପୁରୁଷୋତ୍ତମପୁର ଥାନା ଅଧୀନରେ ରହିଥିବାରୁ ଜନସାଧାରଣ ବିଶେଷ ଭାବରେ ହଇରାଣ ହୋଇ ଆସୁଥିଲେ I ଏସବୁ ଗ୍ରାମ ଗୁଡିକ ହିଞ୍ଜିଳି ବ୍ଲକ ଅଧୀନରେ ରହିଛି I ହିଞ୍ଜିଳି ଥାନା ହେଉଛି ଏମାନଙ୍କ ପାଇଁ ନିକଟତମ ପୋଲିସ ଥାନା I ସେଥିପାଇଁ ଲୋକମାନେ ଯେକୌଣସି କାମରେ ହିଞ୍ଜିଳି ମୁହାଁ ହୋଇଥାନ୍ତି I ପୁରୁଷୋତ୍ତମପୁର ଥାନା ଓ ବ୍ରହ୍ମପୁର ସଦର ଥାନା ବହୁ ଦୂର ହୋଇଥିବାରୁ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ I ଏବେ ବର୍ତ୍ତମାନ ଏସବୁ ଗ୍ରାମ ଗୁଡିକ ସରକାର ହିଞ୍ଜିଳି ଥାନା ଅଧୀନକୁ ନେଇ ଆସିଛନ୍ତି I ମନେ ପଡେ ୧୯୯୩ ମସିହାରେ ଏହି ପ୍ରତିନିଧିଙ୍କ ଉପସ୍ଥିତିରେ ତତ୍କାଳୀନ ହିଞ୍ଜିଳି ବିଧାୟକ ହରିହର ସାହୁ ତୁରନ୍ତ ଏସବୁ ଗ୍ରାମ ଗୁଡିକ ହିଞ୍ଜିଳି ଥାନାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ହିଞ୍ଜିଳି ଡ଼ାକବଙ୍ଗଳାରେ ତତ୍କାଳୀନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ଆଲୋଚନା କରି ଲିଖିତ ଭାବେ ଦାବୀ ପତ୍ର ଦେଇଥିଲେ କିନ୍ତୁ ଏଯାଏଁ ତାହା ପୂରଣ ହୋଇ ପାରି ନ ଥିଲା I ଏସବୁ ଗ୍ରାମ ଗୁଡିକ ଆଜି ହିଞ୍ଜିଳି ଥାନା ଅଧୀନକୁ ଆସି ଯାଇଥିବା ସରକାର ବିଜ୍ଞପ୍ତି ପ୍ରକାଶ କରିଥିବାରୁ ପୂର୍ବତନ ବିଧାୟକ ହରିହର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ନବୀନ ବାବୁଙ୍କୁ କୃତଜ୍ଞତା ଜଣାଇଛନ୍ତି I

ରିପୋର୍ଟ : ରଜତ ପଟ୍ଟନାୟକ