ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ : ସମସ୍ୟାର ସମାଧାନ ନିମନ୍ତେ ଦାବୀ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବା ସହ ଏ ନେଇ ସମସ୍ତ ପ୍ରକାର ପଦକ୍ଷେପ ଓ ବ୍ୟବସ୍ଥା ଗ୍ରହଣ କରି ଆସୁଛନ୍ତି । ବିଶେଷ କରି ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଡାକ୍ତରଖାନା ଖୋଲାଯିବା ସହ ଭିତ୍ତିଭୂମି ପଯ୍ୟାପ୍ତ ମାତ୍ରାରେ ସୁଦୃଢ଼ କରାଯାଉଛି । ହେଲେ ଡାକ୍ତର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଦୟନୀୟ ଅବସ୍ଥାରେ ଅଛି । ପୁରା ବିଶ୍ଵକୁ କୋରନା ଭୁତାଣୁ ସଂକ୍ରମଣର ଆତଙ୍କ ଘାରିଥିବା ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏଠାରେ ବହୁଦିନ ଧରି ଡାକ୍ତର ପଦବୀ ଖାଲି ପଡ଼ିଛି । ମାତ୍ର ଜଣେ ଫାର୍ମାସିଷ୍ଟ ଏଠାରେ ରହି ସ୍ଥାନୀୟ ଜନସାଧାରଣଙ୍କୁ କିଛି ସେବା ଯୋଗାଇ ପାରୁଛନ୍ତି । ଡାକ୍ତର ଅଭାବ ଯୋଗୁଁ ଗରିବ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏହାସହ ରୋଗୀଙ୍କୁ ବାଧ୍ୟ ହୋଇ ବାହାରକୁ ଯିବାକୁ ପଡୁଛି ଯାହା ଫଳରେ ସମୟ ନଷ୍ଟ ହେବା ସହ ଅଧିକ ଟଙ୍କା ପଇସା ଖର୍ଚ୍ଚ ହେଉଛି । ଫଳରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ବରଗାଁ ପଂଚାୟତ ସମେତ ଆଖପାଖ ପଞ୍ଚାୟତର ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ଅଭାବ ଦେଖା ଦେଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କୁ ଚିନ୍ତା ଘାରିଛି । ଏ ନେଇ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି ।

ରିପୋର୍ଟ – ନିଲୁ ବିଷୋୟୀ