ପ୍ୟାକ୍ସର ଆନ୍ଦୋଳନ ସ୍ଥଗିତ-୧୫୪୧ କ୍ୟୁଣ୍ଟାଲ ଧାନ କ୍ରୟ : ନୂଆବର୍ଷରୁ ଅଧିକ ଧାନ କିଣା ସମ୍ଭାବନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘଦିନ ଧରି ସେବା ସମବାୟ ସମିତିର ସମ୍ପାଦକ (ପ୍ୟାକ୍ସ)ମାନଙ୍କର ଧାରଣା ଚାଲିଥିବାରୁ ଚାଷୀ ବ୍ୟାପକ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲା । ଜିଲାପାଳଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲାର ଜଳେଶ୍ୱର ନିୟନ୍ତ୍ରିତ ବଜାର କମିଟି ୩ଟି ପ୍ୟାକ୍ସରୁ ୧୫୪୧ କ୍ୟୁଣ୍ଟାଲ ଧାନ କ୍ରୟ କରିଛି । ଆଜି ସୋମବାର ପ୍ୟାକ୍ସ ସଂପାଦକଙ୍କ ଧାରଣା ସ୍ଥଗିତ ରହିଥିବାରୁ ଆସନ୍ତା ନୂଆବର୍ଷରୁ ଅଧିକ ଧାନ କ୍ରୟ ହେବାର ସମ୍ଭାବନା ଦେଖା ଦେଇଛି । ଜଳେଶ୍ୱର ନିୟନ୍ତ୍ରୀତ ବଜାର କମିଟି ଅଧିନରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳର ୫୪ଟି ପ୍ୟାକ୍ସ ଥିବା ବେଳେ ୩୦ହଜାର କୃଷକ ଧାନ ବିକ୍ରିପାଇଁ ନାମ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ଠାରୁ ଚଳିତବର୍ଷ ୪.୫ଲକ୍ଷ କ୍ୟୁଣ୍ଟାଲରୁ ଅଧିକ ଧାନ କିଣାଯିବା ସଂପର୍କରେ ବିଭାଗୀୟ କର୍ମକର୍ତ୍ତାଙ୍କ ଠାରୁ ସୂଚନା ମିଳିଛି । ଅଦ୍ୟାବଧି ଅଲାଲପୁର ପ୍ୟାକ୍ସର ୧୩ଜଣ ଚାଷୀଙ୍କ ଠାରୁ ୪୫୫ କ୍ୟୁଣ୍ଟାଲ, ରାମନଗରପାଟଣା ପ୍ୟାକ୍ସର ୨୭ଜଣଙ୍କ ଠାରୁ ୬୬୧ କ୍ୟୁଣ୍ଟାଲ ଓ ଆଜି ଆମ୍ବଳିଅଠା ପ୍ୟାକ୍ସର ୧୭ଜଣ ଚାଷୀଙ୍କ ଠାରୁ ୪୨୫ କ୍ୟୁଣ୍ଟଲ ନିୟନ୍ତ୍ରୀତ ବଜାର କମିଟି ସରକାରୀ ମୂଲ୍ୟରେ କ୍ରୟ କରିଥିବା ଜଣାଯାଇଛି । ଆମ୍ବଳିଅଠା ପ୍ୟାକ୍ସରେ ଧାନ କ୍ରୟବେଳେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମନୋରଂଜନ ସାମଲ, ଅଭିମନ୍ୟୁ ଚାନ୍ଦ, ବିବେକାନନ୍ଦ ପ୍ରଧାନ, ବରେନ୍ଦ୍ର ଖମାରୀ, ଦୀପକ ଜେନା ଓ ଚାଷୀ କମିଟି ପକ୍ଷରୁ ଅଶୋକ କୁମାର ଜେନା, ଅନୀଲ କୁମାର ଜେନା, ଅବନୀ ପାତ୍ର, ହରେନ୍ଦ୍ର ପାତ୍ର, ରାମେଶ୍ୱର ରାଜ, ମିହିର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଖନ୍ତାପଡାର ରମାଦେବି ରାଇସ୍‌ମିଲ ପକ୍ଷରୁ ଏହି ଧାନ କିଣାଯାଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା