ଜୈବି ବିବିଧତାର ସନ୍ତୁଳନ ରକ୍ଷାଲାଗି ସାଇକେଲ ଯାତ୍ରା ଓ ସଚେତନତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ସଚେତନତାର ଅଭାବରୁ ଜୈବିବିବିଧତାର ସନ୍ତୁଳନ ଦେଖା ଦେଇଛି । ବର୍ଦ୍ଧିଷ୍ଣୁ ଶିଳ୍ପାୟନ, ଆଧୁନିକ ଜୀବନଶୈଳୀ, ଜଂଗଲ ନଷ୍ଟ ଇତ୍ୟାଦି ଯୋଗୁଁ ଏପରି ବିପଦ ଆଗାମୀ ଭବିଷ୍ୟତରେ ଆସୁଥିବାରୁ ଓଡିଶାରେ ଜନସଚେତନତା ଲାଗି ପରିବେଶବିତ୍ ଇଂ. ଅମରେଶ ନରେଶ ସାମନ୍ତ ସାଧକେଲ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ଆଜି ଶ୍ରୀ ସାମନ୍ତ ରୋଟାରୀ କ୍ଲବ ସହାୟତାରେ ଜଳେଶ୍ୱର ମହିଳା ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜଳେଶ୍ୱର ରୋଟାରୀ କ୍ଲବର ସଭାପତି ରାଜେଶ ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସାମନ୍ତ ରାଜ୍ୟରେ ବ୍ୟାପକ ଜଙ୍ଗଲ କ୍ଷୟ, କୃଷି କାର୍ଯ୍ୟରେ ରାସାୟନୀକ ସାର ଓ କୀଟନାସକ ପ୍ରୟୋଗ ଯୋଗୁଁ କଳୁସିତ ପରିବେଶ, ପ୍ଲାଷ୍ଟିକର ବ୍ୟାପକ ବ୍ୟବହାର, ଆଗାମୀ ଦିନରେ ମାନବ ଜାତିପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏବେଠୁ ସଚେତନ ହେବା ଲାଗି ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ପୌର ଅଧିକାରୀ ଅଜୟ ମହାପାତ୍ର ବୃକ୍ଷରୋପଣକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଛାତ୍ରୀ ପ୍ରତିବର୍ଷ ଗୋଟିଏ ଲିମ୍ବ ଗଛ ଲଗାଇ ପାରିଲେ ପରିବେଶ ପ୍ରଦୋଷଣୁ ରକ୍ଷା ମିଳିପାରିବ ବୋଲି କହିଥିଲେ । କଲେଜ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଜୈବ ବିବିଧତା ସନ୍ତୁଳନର ରକ୍ଷାଲାଗି ବିଭିନ୍ନ ପଦକ୍ଷେପ ସଂପର୍କରେ କହିଥିଲେ । ଇଂ ଅମରେଶ ନରେଶ ସାମନ୍ତଙ୍କ ଏହି ସାଇକେଲ ଯାତ୍ରାକୁ ଗତ ୧୩ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଉଦ୍‌ଘାଟନ କରିଥିବା ବେଳେ ଇତିମଧ୍ୟେ ଭୁବନେଶ୍ୱର, କଟକ, ପାରିଦ୍ୱୀପ, ଚଣ୍ଡିଖୋଲ, ଭିତରକନିକା, କେନ୍ଦୁଝର, କରଞ୍ଜିଆ, ଆନନ୍ଦପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଜଳେଶ୍ୱର ଆଜି ଦୀଘା ଅଭିମୁଖେ ଯାଇ ବିଭିନ୍ନ ସ୍ଥାନରେ କଲେଜ, ସ୍କୁଲ, ସ୍ୱୟଂ ସହାୟିକ ଗୋଷ୍ଠି ମାନଙ୍କ ମଧ୍ୟରେ ସଚେତନତା ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ସଂପର୍କରେ କହିଥିଲେ । ପରିବେଶ ସମ୍ପର୍କରେ ବିଭିନ୍ନ ପ୍ରଶ୍ନତ୍ତୋର କାର୍ଯ୍ୟକମରେ ପରିବେଶର କ୍ଷତି ନ ଘଟାଇବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ରୋଟାରୀ କ୍ଲବ ପକ୍ଷରୁ ସୁବ୍ରତ ରଣା, ଡା ଦୀପ୍ତିମୟୀ ମହାପାତ୍ର ଉପସ୍ଥିତ ଥିବା ବେଳେ ସଂପାଦକ ମଣିଭଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା