ପ୍ଲାଷ୍ଟିକ କଟକଣା ପାଇଁ ପ୍ରସ୍ତୁତି ନାହିଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଉ ଦିନକ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ସମେତ ରାଜ୍ୟର ୫ଟି ମହାନଗର ନିଗମରେ ପ୍ଲାଷ୍ଟିକ କଟକଣା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏଥିପାଇଁ ପୂର୍ବ ପ୍ରସ୍ତୁତି ନାହିଁ ।ପ୍ରଥମ ପର୍ଯ୍ୟାୟରେ ଏହି ସହର ଗୁଡିକରେ ପ୍ଲାଷ୍ଟିକ କଟକଣା ଲାଗୁ ହେବାକୁ ଯାଉଥିବାବେଳେ ଏବେ କିନ୍ତୁ ସବୁଆଡେ ପଲିଥିନ୍‍ ଠାରୁ ଆରମ୍ଭ କରି ଥର୍ମୋକୁଲ୍‍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ଭରପୂର ହୋଇ ରହିଛି ।ଗତ ଜୁଲାଇ ମାସରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ପ୍ଲାଷ୍ଟିକମୁକ୍ତ ପାଇଁ ଘୋଷଣା କରିଥିବାବେଳେ ବିଏମ୍‍ସି ସମେତ କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ଆସନ୍ତା ଗାନ୍ଧୀଜୟନ୍ତୀରୁ ଏହି କଟକଣା ଲାଗିବ ବୋଲି ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ ମୁକ୍ତ ନେଇ ରାଜ୍ୟ କ୍ୟାବିନେଟ୍‍ରେ ଆସିଥିବା ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି ।ତଦନୁଯାୟୀ ଆଉ ଦିନକ ପରେ ରାଜଧାନୀରେ ପ୍ଲାଷ୍ଟିକ ଉପରେ କଟକଣା ଲାଗିବ । ହେଲେ ବର୍ତ୍ତମାନ ସହରର ଦୋକାନ ବଜାରରେ ଯେଭଳି ପ୍ଲାଷ୍ଟିକ ସାମଗ୍ରୀ ବିଶେଷକରି ପଲିଥିନ୍‍ ହାଉଯାଉ ହେଉଛି ସେଥିରୁ ଏହି କଟକଣା କାର୍ଯ୍ୟକାରୀ ନେଇ ସନ୍ଦେହ ଉପୁଜିଛି ।କାରଣ କଟକଣା ଲାଗୁ ହେବା ପୂର୍ବରୁ ଏହାର ଆମଦାନୀ, ବିକ୍ରି ଓ ବ୍ୟବହାର ଉପରେ ରୋକ୍‍ ଲଗାଯାଇ ନଥିବାରୁ ଏବେ ବି ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପଲିଥିନ୍‍ ସହରକୁ ଆସୁଛି ଓ ତାହା ବ୍ୟବହାର ହେଉଛି ।ଇତି ମଧ୍ୟରେ ସହରର ଚାରିଆଡେ ପଲିଥିନ୍‍ ମୁଣା ସହିତ, ପ୍ଲାଷ୍ଟିକ ବ୍ୟାଗ୍‍, ପ୍ଲାଷ୍ଟିକ ତିଆରି ପାଣିବୋତଲ, ପାଣି ଭର୍ତ୍ତି ହୋଇଥିବା ଜରି ପ୍ୟାକେଟ୍‍, ଫ୍ଲେକ୍ସ, ବ୍ୟାନର ଆଦି ଗଦା ହୋଇଛି ।ବିଏମ୍‍ସି ପକ୍ଷରୁ ଘରକୁ ଘର ବୁଲି ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ ପାଇଁ ଘୋଷଣା ହୋଇଥିଲା । ଏପରିକି ଯେଉଁମାନେ ପ୍ଲାଷ୍ଟିକ ସାମଗ୍ରୀ ଫେରାଇବେ ସେମାନଙ୍କୁ ଅର୍ଥ ଦେବାପାଇଁ ବି କୁହାଯାଇଥିଲା । ହେଲେ ଏହି କାର୍ଯ୍ୟକ୍ରମ ଏବେ ଏକ ପ୍ରକାର ଶୀତଳଭଣ୍ଡାରରେ ।ବର୍ତ୍ତମାନ ସହରର ବିଭିନ୍ନ ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କ ନିକଟରେ ଯେତିକି ପଲିଥିନ୍‍ ଗଚ୍ଛିତ ରହିଛି ତାହା ସରିବାକୁ ଆଉ କେଇମାସ ଲାଗିଯିବ ବୋଲି କୁହାଯାଉଛି । ଯଦି ଏହା ଉପରେ କଡା କଟକଣା ଲାଗିବ ତେବେ ସେହିସବୁ ସାମଗ୍ରୀ କଣ ହେବବୋଲି ବ୍ୟବସାୟୀମାନେ ଓଲଟା ପ୍ରଶ୍ନ କରୁଛନ୍ତି ।ଅବସ୍ଥା ଏଭଳି ହୋଇଛି ପଲିଥିନ୍‍ ନିଷେଧ ନେଇ ପୂର୍ବରୁ ସରକାର କରିଥିବା ଘୋଷଣା ଭଳି ଏଥର ମୁଖ୍ୟମନ୍ତ୍ରୀଙ୍କ ପ୍ଲାଷ୍ଟିକ କଟକଣା ବି ଘୋଷଣାରେ ରହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୦୪ ମସିହା ଜାନୁୟାରୀ ୨୬ ତାରିଖରେ ରାଜ୍ୟ ସରକାର ୨୦ମାଇକ୍ରୋନ୍‍ରୁ କମ୍‍ ମାନର ପଲିଥିନ୍‍ ବ୍ୟବହାର, ବିକ୍ରି, ଆମଦାନୀ ଓ ମହଜୁଦ ଉପରେ କଟକଣା ଲଗାଇଥିଲେ । ହେଲେ ସେହିକଟକଣାକୁ କେହି ଜଣେ ହେଲେ ମାନିଥିବା ଲକ୍ଷ୍ୟ କରାଯାଇ ନଥିଲା ।ଆକଳନ ଅନୁଯାୟୀ ଆମ ରାଜ୍ୟରେ ବାର୍ଷିକ ପ୍ରାୟ ୨୮ହଜାର ଟନ୍‍ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ହେଉଥିବାବେଳେ ପଲିଥିନ୍‍ ଓ ଥର୍ମୋକୁଲ୍‍ ଭଳି ସାମଗ୍ରୀ ବ୍ୟବହାର ପରିବେଶକୁ ବିଗାଡିବା ସହିତ ଗାଈଗୋରୁଙ୍କ ମୃତ୍ୟୁର କାରଣ ପାଲଟୁଛି ।

ରିପୋର୍ଟ : ଆକାଶ ମିଶ୍ର