ପ୍ରଶାସନ ପକ୍ଷରୁ ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥ ସିଲ : ଯାଞ୍ଚ କଡାକଡି…

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରଶାସନ ପକ୍ଷରୁ ଛତ୍ରପୁର ସହରର ସମସ୍ତ ପ୍ରବେଶ ପ୍ରଥକୁ ସିଲ କରାଯାଇଛି l ଏହାପରେ ସୂଚନା ଅନୁଯାୟୀ ଗତକାଲି ଛତ୍ରପୁର ସହରର ବିଭିନ୍ନ ସାହି ଗଳିରେ ପୋଲିସ କର୍ମଚାରୀମାନେ ବୁଲି ବୁଲି ଅମାନିଆମାନଙ୍କୁ ସାବାଡ଼ କରିବା ସହ ଲୋକଙ୍କୁ ସଚେତନତା କରିଥିଲେ l ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଥିବା ବେଳେ କେବଳ ସ୍ଥାନୀୟ ଡିଆର୍‌ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର ମଧ୍ୟକୁ ଯିବାକୁ ଅନୁମତି ଦିଆଯାଇଥିଲା । ବାହାର ଅଞ୍ଚଳର ଲୋକଙ୍କୁ ଛତ୍ରପୁର ସହରକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଡିଆର୍‌ଡିଏ ଛକରେ ପୋଲିସ ପକ୍ଷରୁ ଦିନ ତମାମ ଯାଞ୍ଚ କରାଯାଇଥିବାର ଦେଖିବାକୁ ମିଳିଥିଲା । ଖୋଦ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟ ଉପସ୍ଥିତ ରହି ଏହି ଯାଞ୍ଚ କାର୍ଯ୍ୟ ସଠିକ ଭାବେ କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ କରିବା ସହ ନିଜେ ମଧ୍ୟ ବିଭିନ୍ନ ଗାଡି ଗୁଡିକ ଚେକିଂ କରିଥିଲେ l ଛତ୍ରପୁର ନିକଟ ଜାତୀୟ ରାଜପଥରେ ଟ୍ରକ, ବସ୍‌ ଓ ମାଲ ପରିବହନ ଗାଡ଼ି ବ୍ୟତୀତ ବାଇକ୍‌, କାର ଓ ଅନ୍ୟ ଗାଡି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପୋଲିସ ପକ୍ଷରୁ ଜାତୀୟ ରାଜପଥରେ ମଧ୍ୟ କଡାକଡ଼ି ଯାଞ୍ଚ କରାଯାଇଛି । ଛତ୍ରପୁର ସହର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ କରଯାଇଥିବା ବେଳେ ଲୋକମାନଙ୍କୁ ଚାଲି ଚାଲି ଯାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ଆଣିବାକୁ କୁହାଯାଇଛି । ଅପରାହ୍ନ ୪ଟାରୁ ଆସନ୍ତା ମଙ୍ଗଳବାର ସକାଳ ୭ଟା ପର୍ଯ୍ୟନ୍ତ ୫ ଦିନ ଛତ୍ରପୁର ଏନ୍‌ଏସି ସମ୍ପୂର୍ଣ୍ଣ ସଟଡାଉନ ରହିବ ବୋଲି ଜ଼ିଲାପାଳ ଘୋଷଣା କରିଛନ୍ତି । ଏଥିପାଇଁ ପନିପରିବା ଓ ରାସନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଛତ୍ରପୁରର ବିଭିନ୍ନ ସାହିରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ସାହିକୁ ସିଲ କରି ଦିଆଯାଇଛି ଏବଂ କିଛି ସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ଅନ୍ୟ କିଛି ସାହି ଗୁଡିକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି l ସାହି ବାସିନ୍ଦା ମାନଙ୍କୁ ସରକାରଙ୍କ ସମସ୍ତ ନିୟମ ମାନି ଚାଲିବାକୁ କୁହାଯାଇଥିବା ବେଳେ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚେତନ କରାଯାଇଛି l ସେହିପରି ଆଜି ସକାଳ ସମୟରେ ଡିଆରଡିଏ ଅଫିସ ଛକଠାରେ ପୋଲିସ ମୁତୟନ କରାଯାଇ ସମସ୍ତଙ୍କୁ ନିଜର ଓ ଭାଇକଲ୍ ପାସ୍ ନ ଥିଲେ ଯିବା ଆସିବାକୁ ଅନୁମତି ଦେଉ ନ ଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା