ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନ୍ ନିୟମ ମାନିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରବାସୀ ଓଡ଼ିଆମାନଙ୍କୁ ନିୟମ ମାନିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ଟୁଇଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି, ‘ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟିଇନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ। ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି। ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ।ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର। ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ। ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟିଇନର ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳ ସହ ସାମାଜିକ ଦୂରତ୍ୱ ରକ୍ଷାକରି ନିୟମ ମାନି ଚାଲିବାକୁ ମୂଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର