ପ୍ରଧାନ ଶିକ୍ଷକଙ୍କ ନିଳମ୍ବନ ପ୍ରତିବାଦରେ ଛାତ୍ର ଓ ଅଭିଭାବକଙ୍କ ଆନ୍ଦୋଳନ ଓ ଧର୍ମଘଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବଡବଜାରସ୍ଥିତ ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିଳମ୍ବନ ଓ ବଦଳି ଆଦେଶକୁ ବିରୋଧ କରି ଆଜି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦିନ ତମାମ ଆନ୍ଦୋଳନ ଓ ଗଣଧାରଣାରେ ବସିଥିଲେ । ସମାଧାନର ସୂତ୍ର ନ ବାହାରିବାରୁ ଆସନ୍ତା ବୁଧବାର ଆନ୍ଦୋଳନ ଚାଲୁରହିବ ବୋଲି ସେମାନଙ୍କ ସୂତ୍ରରୁ ଜଣାଯାଇଛି ।
ଜଳେଶ୍ୱର ଟାଉନ୍ ହାଇସ୍କୁଲର ଜନୈକ ଛାତ୍ର ସବ୍ୟସାଚୀ ବେହେରାଙ୍କ ଦୁର୍ଘଟଣା ଜନୀତ ମୃତ୍ୟର ୧ମାସ ପରେ ବାଲେଶ୍ୱର ଡିଇଓ ପ୍ରମୋଦ କୁମାର ଷଡଙ୍ଗୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଂକର ପାଳଙ୍କୁ ଗତ ୨୦ ତାରିଖରେ ନିଳମ୍ବନ କରିଥିଲେ । କିନ୍ତୁ ଏହି ନିର୍ଦ୍ଦେଶନାମାରେ ମେମୋ ଚିଠି ନଂରେ ୧୦-୧-୨୦୨୦ ଖେଖା ଥିବା ବେଳେ ନିର୍ଦ୍ଦେଶ ତାରିଖ ୧୭ତାରିଖ ବୋଲି ଲେଖା ଅଛି । କିନ୍ତୁ ଏହି ଚିଠିଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିକଟରେ ୨୦ ତାରିଖରେ ପହଞ୍ଚିଥିଲା ଯାହାକି ସନ୍ଦେହ ସୃଷ୍ଟି କରିଥିଲା । ଫଳରେ ଗତ ୨୫ ତାରିଖ ଅପରାହ୍ନରେ ଅଭିଭାବକମାନେ ଏକତ୍ରୀତ ହୋଇ ଏହାର ପ୍ରତିବାଦ କରିବା ସହ ସାମ୍ବାଦିକ ସମ୍ମଳନୀରେ ଚିଠିରେ ଥିବା ତ୍ରୁଟି ଓ ନିଳମ୍ବନ ଏକ ଷଡଯନ୍ତ୍ର ବୋଲି କହିଥିଲେ । ଆଜି ବିଦ୍ୟାଳୟ ଖୋଲିବାପରେ ଫାଟକ ବାହାରେ ପରିଚାଳ ନା କମିଟିର ସଭାପତି ସୁଶାନ୍ତ କୁମାର ଦାସ, ବିନ୍ଦୁମତୀ ଗିରି, ସଂଯୁକ୍ତା ନନ୍ଦ. ଅନୁପ ସାହୁ, ଗୌରହରି ପାଳ, ଜୁମୁନି ବିବି, ରିଂକି ଖଟିକ୍‌, ଜ୍ୟୋସ୍ନା ସିଂ, ନିତାଇ ଜେନା, ଗୀତାଞ୍ଜଳି ବାରିକ, ବନ୍ଦନା ପୃଷ୍ଟି, ଅମର ଗୁପ୍ତା, ସସ୍ମିତା ବିଦ୍‌, ସୁପ୍ରିୟା ଭୂୟାଁ, ମିତାରାଣୀ ଜେନା, ଗୁରୁବାରୀ ହେମ୍ବ୍ରମ ପ୍ରମୁଖଙ୍କ ନେତୃତ୍ୱରେ ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ କେତେକ ପୁରାତନ ଛାତ୍ର ଆନ୍ଦୋଳନରେ ବସିଥିଲେ । ଫାଟକ ଭିତରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଧାରଣାରେ ବସିଥିଲେ । ପ୍ରଧାନ ଶିକ୍ଷକଙ୍କ ନିଳମ୍ବନ ଓ ବଦଳି ବାତିଲ ନିମନ୍ତେ ସେମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ଓ ଆଇଆଇସି ଧନେଶ୍ୱର ସାହୁ ସଦଳବଳେ ପହଞ୍ଚି ଘଟଣାର ସମାଧାନ କରିବାକୁ ଚାହିଁଥିଲେ । କିନ୍ତୁ ଆନ୍ଦୋଳନକାରୀ ଓ ଛାତ୍ରଛାତ୍ରୀ ସେମାନେ ଜିଦ୍‌ରେ ଅଟଳ ରହିବାରୁ ବିଇଓ ବାଲେଶ୍ୱର ଡିଇଓ ଏବଂ ଆଇଆଇସି ଏସ୍‌ପିଙ୍କ ସହ ଫୋନଯୋଗେ ଆଲୋଚନା କରିଥିଲେ । ଆସନ୍ତା ବୁଧବାର ପୁଣି ଆନ୍ଦୋଳନ ହେବାର ସୂଚନା ମିଳିଥିବାରୁ ପ୍ରଶାସନ ସେଥିପ୍ରତି କିପରି ଦୃଷ୍ଟି ଦେଉଛି ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ : ଭୂପତି କୁମାର ପରିଡା