ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ୩ୟ ପର୍ଯ୍ୟାୟ କାର୍ଯ୍ୟ ନେଇ ଜିଲ୍ଲା ପରିଷଦର ଭିଡିଓ କନଫରେନ୍ସିଂ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ପରିଷଦ ଗଞ୍ଜାମର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ସକାଶେ ସମସ୍ତ ସଭ୍ୟ ସଭ୍ୟା ମାନଙ୍କର ମତାମତ ଲୋଡା ଯାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଭଲ ହୋଇଥିବା ଯୋଗୁଁ ଭାରତ ସରକାରଙ୍କ ଦ୍ବାରା ପ୍ରଶଂସା ଭାଜନ ହୋଇପାରିଥିଲା । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ୨୫୦ ଜନସଂଖ୍ୟା ଏବଂ ତଦୁର୍ଦ୍ଧ୍ବ ବିଶିଷ୍ଟ ଅନୁମୋଦିତ ଗ୍ରାମକୁ ସଂଯୋଗ କରାଯାଇଥିବା ସ୍ଥଳେ ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ଜିଲ୍ଲାରେ ୩୧୩,୯୯୪ କିଲୋମିଟର ଅପଗ୍ରେଡେସନ୍ ରାସ୍ତା ନିଆଯାଇଛି । କିନ୍ତୁ ବର୍ତ୍ତମାନ ଏନ୍.ଆର୍.ଆଇ.ଡି.ଏ. ଗାଇଡଲାଇନ୍ ଅନୁଯାୟୀ ତୃତୀୟ ପର୍ଯ୍ୟାୟ କାର୍ଯ୍ୟରେ ଗ୍ରାମ୍ୟ ମୁଖ୍ୟ ରାସ୍ତା ଯଥା-ଥ୍ରୋ ରୁଟ୍ (ଟି.ଆର୍) ଏବଂ ମେଜର ରୁରାଲ ଲିଙ୍କ (ଏମ୍.ଆର୍.ଏଲ୍)ର ଉନ୍ନତି କରଣ ଏବଂ ସମ୍ପ୍ରସାରଣ ପାଇଁ କାର୍ଯ୍ୟ ହେବ । ଏହି ତୃତୀୟ ପର୍ଯ୍ୟାୟ କାର୍ଯ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ ପାଇଁ ଉଦ୍ଦିଷ୍ଟ ସଂସ୍ଥା/ଅନୁଷ୍ଠାନ ଗୁଡିକୁ ପ୍ରାଧାନ୍ୟ ଦିଆଯିବ । ଏଥିରେ କୃଷି ଭିତ୍ତିକ ଗ୍ରାମ୍ୟ ବଜାର/ସାପ୍ତାହିକ ହିଟ, ଶିକ୍ଷାନୁଷ୍ଠାନ (ଉଚ୍ଚ ବିଦ୍ୟାଳୟରେ, ମହାବିଦ୍ୟାଳୟରେ, ଶିଳ୍ପ ତାଲିମ ଅନୁଷ୍ଠାନ) ସ୍ୱାସ୍ଥ୍ୟ କେନ୍ଦ୍ର(ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସାଳୟ)ର ସଂଯୋଗକରଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଆଗରୁ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ହୋଇଥିଲେ ମଧ୍ୟ କେତେକ ଅସଂଯୋଜିତ ସଂସ୍ଥା/ଅନୁଷ୍ଠାନ ଯଥା- ମୁଖ୍ୟ ବଜାର, ସ୍ୱାସ୍ଥ୍ୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟ ଇତ୍ୟାଦିକୁ ସଂଯୋଗ କରିବାପାଇଁ ଆବଶ୍ୟକ ପଡୁଥିବା ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ବ୍ୟବସ୍ଥା ରହିବ । ପ୍ରତି ବ୍ଲକ୍ ପାଇଁ ୩୦ କି.ମି. ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଧାର୍ଯ୍ୟ ରହିବ । ଯେଉଁ ରାସ୍ତାର ଅଧିକ ବ୍ୟବହାର ଯୋଗ୍ୟ ସେହି ରାସ୍ତାକୁ ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ ଅନୁମୋଦନ ପାଇ କାର୍ଯ୍ୟ ହେବ ବୋଲି ଜିଲ୍ଲା ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା