ପ୍ରତ୍ୟେକ ଜିଲ୍ଲାରେ ସ୍ଥାପନ ହେବ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରମୋସନ ଏଜେନ୍ସୀ(ଡିଆଇପିଏ)…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟ ସରକାର ଗ୍ରାମାଞ୍ଚଳରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅର୍ଥନୀତିକ ଗତିବିଧିକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରମୋସନ ଏଜେନ୍ସୀ(ଡିଆଇପିଏ) ସ୍ଥାପନ କରିବେ ବୋଲି ଜଣାଯାଇଛି । ଏଥିପାଇଁ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆସନ୍ତା ଅଗଷ୍ଟ ମାସରେ ଗଞ୍ଜାମ, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଜିଲ୍ଲାସ୍ତରରେ ଇପିକଲ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଡିଆଇପିଏ କାର୍ଯ୍ୟ କରିବ । ୩ଜଣ ପ୍ରଫେସନାଲଙ୍କ ଦ୍ୱାରା ଏହା ପରିଚାଳିତ ହେବ । ୩ଟି ଜିଲ୍ଲାରେ ଅଗଷ୍ଟରୁ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଏହା ଅନୁଗୁଳ, ବାଲେଶ୍ୱର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, ସମ୍ବଲପୁର ଓ ଅନ୍ୟାନ୍ୟ ଜିଲ୍ଲାକୁ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ସମ୍ପ୍ରସାରିତ ହେବ । ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଡିଆଇପିଏ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏମଏସଏମଇ ଉଦ୍ୟୋଗୀମାନଙ୍କୁ ଏହି ଏଜେନ୍ସୀ ମାଧ୍ୟମରେ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।