ପ୍ରତାରିତ ସାଧାରଣ ମଣିଷଙ୍କ ଗତି କେଉଁଆଡକୁ…..?!!(୧)…

ସେମାନେ ସମସ୍ତେ ମିଳିମିଶି ଦିବା ନିଶି କେବଳ ମିଛ କହୁଛନ୍ତି ! ଅବୈଜ୍ଞାନିକ, ଅସଂଯୋଜିତ ଏବଂ ଅନବାଶ୍ୟକ କଥା, କାର୍ଯ୍ୟକଳାପ ଗୁଡିକୁ ନେଇ ସମାଜରେ ଏମିତି ଭୟାବହ ରଚନାତ୍ମକ ପରିବେଷଣ କରୁଛନ୍ତି ଯାହା ସାଧାରଣ ଲୋକେ କୌଣସି ପରିରାଇଜର ଅଲୌକିକ ବିଷୟ ଭଳି ଅନୁଭବ କରି ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ! ପ୍ରକୃତ ଅଭାବନୀୟତା ଗୁଡିକୁ ଆଢୁଆଳରେ ରଖି କେବଳ କୋଳାହଳ ମାଧ୍ୟମରେ ଜନମାନସକୁ ବିଚଳିତ କରିବାରେ ବ୍ୟସ୍ତ ଲୁଟେରା, ଚତୁର କେଳେଙ୍କାରୀ ଗୋଷ୍ଠୀ ! ସଂସ୍କାର ରହିତ ସମାଜ କେତେ ଉପରକୁ ଗଲେ ମଧ୍ୟ ତାକୁ ଉନ୍ନତି ବୋଲି କୁହାଯାଇ ପାରିବ ନାହିଁ । ବିଜ୍ଞାନ ଆଉ ବିଜ୍ଞାନ ହୋଇ ରହିନାହିଁ ! ଦର୍ଶନକୁ ଭ୍ରମିତ କରି ଦାର୍ଶନିକଙ୍କ ମତବାଦ ଗୁଡିକ ବିପରୀତମୁଖୀ ଚେତନାରେ ମଣିଷଙ୍କୁ ବିତରଣ କରି ବ୍ୟବସାୟୀକ ଢାଞ୍ଚାରେ ବ୍ୟବହାର କରୁଛନ୍ତି ଗୈରିକ ବସ୍ତ୍ରଧାରୀ ଅସତ୍ ଭ୍ରଷ୍ଟାଚାରୀ । ମାନବିକ ଚେତନା ଜ୍ଞାନ ବିତରଣ ତ ବହୁତ ଦୂର, ତା’ର ମହତ୍ୱ କାହାକୁ ବୁଝୁ ନାହିଁ ଆଜି ସମୟରେ । ବିଜ୍ଞାନକୁ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ କବଳିତ କରି ସାରା ସଂସାରକୁ ପ୍ରତାରିତ କରିବାରେ ବ୍ୟସ୍ତ । ଚତୁର ବ୍ୟବସାୟୀ ସମ୍ପୂର୍ଣ୍ଣ ଅଜ୍ଞାନ ଅଟନ୍ତି । ସେମାନଙ୍କ ଜ୍ଞାନଶୁନ୍ୟ ଚତୁରତାକୁ ଅସତ୍ ବ୍ୟବହାର କରି ନିଜେ ଟଙ୍କା ପଛରେ ଦୌଡିବା ସହିତ ସମଗ୍ର ସଂସାରକୁ ଟଙ୍କା ହିଁ କେବଳ କରି ଯାହା ସବୁ ପ୍ରଚାର, ପ୍ରସାର କରୁଛନ୍ତି ସେସବୁ ସମ୍ପୂର୍ଣ୍ଣ ମିଥ୍ୟା । ଅପ୍ରାକୃତିକ ମନୁଷ୍ୟକୃତ ଟଙ୍କାକୁ ମାନବ ସମ୍ବଳ ବିକାଶର ମୁଖ୍ୟ ଧାରା ଭାବେ ପ୍ରଦର୍ଶିତ ସେମାନଙ୍କ ମିଥ୍ୟା ବଚନ ମଣିଷକୁ ଅମଣିଷ କରି ଅହରହ ଅଶାନ୍ତିରେ ରଖିଛି ସର୍ବତ୍ର । ନୂତନ ବୈଜ୍ଞାନିକ ସୃଷ୍ଟି ହେବା, ବୈଜ୍ଞାନିକ ଆବିଷ୍କାର କିମ୍ବା ଉଦ୍ଭାବନ ଆଉ ହେଉନାହିଁ । କାରଣ, ଟଙ୍କା ମଣିଷ ଜୀବନର ସବୁକିଛି ପଲିଟି ଯାଇଛି, ଯଦ୍ୱାରା ଅନ୍ତର୍ଜ୍ଞାନୀ ଆଉ ସୃଷ୍ଟି ନହୋଇ ଟଙ୍କାରେ ପରିଚାଳିତ ଶିକ୍ଷାଧାରୀ ଉତ୍ପର୍ଣ୍ଣ ହୋଇ ସେହି ପୁରାତନ ବିଜ୍ଞାନର ଜ୍ଞାନ କୌଶଳ ଗୁଡିକୁ ରୂପାନ୍ତରିତ କରି କେବଳ ଟଙ୍କା ଉପାର୍ଜନ କରିବାରେ ବ୍ୟସ୍ତ ସମଗ୍ର ବିଶ୍ୱବାସୀ । ଦେଶ ଶାସନ, ପ୍ରଶାସନରେ ମଧ୍ୟ ବ୍ୟପାରୀଙ୍କ ହସ୍ତକ୍ଷେପ ଯାହା କେବଳ ଟଙ୍କାରେ ହିଁ ପ୍ରତ୍ୟେକ ମୁହୂର୍ତ, ପ୍ରତ୍ୟେକ ଜିନିଷକୁ ପରିଚାଳିତ କରାଯାଉଥିବା ଆଜିର ସାମାଜିକ ସ୍ଥିତି ସମ୍ପୂର୍ଣ୍ଣ ବିପଦମୁଖୀ ଅବସ୍ଥାରେ ବିଶ୍ୱବ୍ୟାପୀ । ଅଜ୍ଞାନ ଚତୁର ବ୍ୟପାରୀଙ୍କୁ ରାଷ୍ଟ୍ର ଭାର ଟେକିଦେଲେ ସେମାନେ ଲୋକଙ୍କୁ ଜ୍ଞାନର ପଥ ପରିବର୍ତ୍ତେ କେବଳ ଟଙ୍କାର ବିଭୀଷିକା ମଧ୍ୟରେ ପେଷି ନିଷ୍ପେସିତ କରିବାରେ ବ୍ୟସ୍ତ ଯାହା ସାଧାରଣ ମଣିଷ ଆଦୌ ବୁଝି ପାରୁନାହାନ୍ତି ! ଜୀବନର ଦୁଖଦଃ କରାଳତାକୁ କେବଳ ଟଙ୍କାରେ ତଉଲି ନିଜସ୍ୱ ଜୀବନର ମାନବିକ ମୂଲ୍ୟବୋଧ କରି ପାରୁନାହାନ୍ତି ସାଧାରଣ ମଣିଷ । ଦୁଲ୍ଲଭ ମନୁଷ୍ୟ ଜୀବନକୁ ପ୍ରାକୃତିକ ଭାବେ ଉପଭୋଗ କରିବାର ସୁଯୋଗ ନାହିଁ ଆଜିର ଏହି ଟଙ୍କା ମାୟା ସମାଜରେ । ପ୍ରତ୍ୟେକ ସମୟରେ ମଣିଷ ମନରେ କେବଳ ଟଙ୍କାର ସାୟା । ଜୀବନବୋଧତାର ମୂଲ୍ୟ କେବଳ ଗୋଟିଏ ଜଡ଼ ପଦାର୍ଥ ହୋଇ ରହିଯାଇଛି ମଣିଷ ମନରେ ! ଏମିତିକି ଏହି ଜନ୍ମର ଅର୍ଜିତ ଟଙ୍କାକୁ ପର ଜନ୍ମରେ ଉପଭୋଗ କରିବାର ସ୍ୱପ୍ନ ଦେଖାଇ ମଣିଷକୁ ଏମିତି ଅସନ୍ତୁଳିତ କରି ରଖିଛନ୍ତି ବ୍ୟବସାୟୀ ଏବଂ ବ୍ୟପାରୀ ରାଜନୈତିକ ମଣିଷ ଗୁଡିକ ଯାହା ସମୀକ୍ଷା କରିବା ପାଇଁ ସମୟ ନାହିଁ କାହା ପାଖରେ । ଆଉ ଅଜ୍ଞାନଙ୍କ କଥା ତ ବହୁ ଦୂରରେ ! ହେଲେ ଉପସ୍ଥିତ ସମୟର ବିଭିନ୍ନ ସ୍ତରରେ ନିୟୋଜିତ ଚତୁର ମିଥ୍ୟାବାଦୀଙ୍କ ପ୍ରତାରଣାପୂର୍ଣ୍ଣ ମନ୍ତବ୍ୟ ଗୁଡିକୁ ଅନୁକରଣ, ଅନୁସରଣ କରି ପ୍ରତାରିତ ସାଧାରଣ ମଣିଷଙ୍କ ଗତି କେଉଁ ଆଡକୁ ଯାଉଛି ବିଚାର କରି ଦେଖିବା….. କହିବାକୁ ଗଲେ ୯୯.୯୯ ଶତକଡା ମଣିଷ କେବଳ ଟଙ୍କା ପଛରେ ଦୌଡ଼ ଲଗାଇ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ କେବଳ ଟଙ୍କାରେ ତଉଲି ବଂଚୁଥିବା ଦେଖିବାକୁ ମିଳୁଛି ସବୁଠାରେ ! ସବୁ ମଣିଷଙ୍କ ଅନ୍ତ୍ରର୍ଭାବ କେବଳ ଟଙ୍କା ଏକତ୍ରିତ କରି ନିଜର ସମ୍ପତ୍ତି ବୃଦ୍ଧି କରିବା ଦିଗରେ ପରିଚାଳିତ ମାୟାର ଆଦି ଅନ୍ତ ବୁଝନ୍ତି ନାହିଁ ସେମାନେ । ଟଙ୍କାର ମୂଲ୍ୟାୟନ ଏବଂ ପରିମାପକ ବିଷୟରେ ବିଷଦ୍ କଣ କିଂଚିତ୍ ଜ୍ଞାନ ମଧ୍ୟ ନାହିଁ କାହାର ! ତେଣୁ ଏକ ଅଲୌକିକ ମାୟା ପଛରେ ପଡି ସବୁ ମଣିଷ ନିଜ ଜୀବନକୁ ନିଜ ହାତରେ ଜଳାଞ୍ଜଳି ଦେବାରେ ଟିକେହେଲେ ଦ୍ୱିଧା ଅନୁଭବ କରୁନଥିବା ଅତ୍ୟନ୍ତ ପରିତାପର ବିଷୟ ଆଜି ସମୟର । ଏହି ମାୟାର ମୁଖ୍ୟ ପୁରୋଧା ଏବଂ ପରିଚାଳକ ବ୍ୟବସାୟୀ ମାନେ । ଏବଂ ସେମାନଙ୍କ ମାୟାକୁ ସମାଜରେ ବିତରଣ କରିବା ଶାସନ ପ୍ରଶାସନ ଭାରାକ୍ରାନ୍ତ ମଣିଷ ଗୁଡିକ ସେମାନଙ୍କ ମୁଖ୍ୟ ମାଧ୍ୟମ ରୂପେ କାର୍ଯ୍ୟ କରିଥା’ନ୍ତି ସମାଜରେ । ସେମାନଙ୍କ ଚତୁରତାକୁ ଚରିତାର୍ଥ କରିବା ପାଇଁ ବିଭିନ୍ନ ଉପାୟରେ ସରକାରୀ କଳ ସହିତ ସଲାସୁତୁରା କରି ସମାଜରେ ଅଜ୍ଞାନତା ବାଣ୍ଟିଥା’ନ୍ତି ଅଜ୍ଞ ଚତୁର ବ୍ୟବସାୟୀ । ଆଉ ସେସବୁ ପରୋକ୍ଷରେ ସରକାରୀ କାଳର ଅନୁମୋଦନରେ ସାଧାରଣ ଲୋକଙ୍କ ପାଖରେ ପହଂଚି ଥାଏ । ସେଗୁଡିକୁ ତ୍ୱରାନ୍ୱ୍ୱିତ କରିବାରେ ଅଜ୍ଞାନ ଶିକ୍ଷିତ ପ୍ରଶାସନିକ ଅଧିକାରୀ ଦଳ କ୍ଷେତ୍ର ପ୍ରସ୍ତୁତ କରି ବିତରଣ କରାଯାଇଥାଏ ଲୋକଙ୍କ ମଧ୍ୟରେ । ସାଧାରଣ ଲୋକେ ଏତେ ନିରୀହ, ନିର୍ବୋଧ ଯେ ସେମାନଙ୍କ ଦ୍ୱାରା ପ୍ରେରିତ, ପ୍ରଚାରିତ, ପ୍ରସାରିତ ସମସ୍ତ ମିଥ୍ୟା କୁହେଳିକା ଗୁଡିକୁ ଅତ୍ୟନ୍ତ ଆନନ୍ଦର ସହିତ ଗ୍ରହଣ କରି ନିଜକୁ ପ୍ରତାରିତ କରି ଲାଗି ପଡ଼ିଥା’ନ୍ତି ସେମାନଙ୍କୁ ସେବା ଯୋଗାଇ ଦେବାରେ ପରୋକ୍ଷରେ । ସେମାନଙ୍କ ବିପରୀତ ମୁଖି ପ୍ରବଚନ ଗୁଡିକ ପ୍ରତ୍ୟେକ୍ଷରେ ସାଧାରଣ ଲୋକଙ୍କୁ ଆନନ୍ଦ ପ୍ରଦାନ କରୁଥିବା ବେଳେ ପରୋକ୍ଷରେ ପ୍ରତାରିତ କରୁଥିବା ଅତ୍ୟନ୍ତ ଦୁଃଖର ବିଷୟ ବୁଝି ପାରନ୍ତି ନାହିଁ ସେମାନେ । ବାସ୍ତବ, ପ୍ରାକୃତିକ ସାରଂଚନା ଏବଂ ମନୁଷ୍ୟକୃତ ଅପ୍ରାକୃତିକ କରାଳତାର ବିଭୀଷିକା ମଧ୍ୟରେ ନିଜକୁ ନିଷ୍ପେସିତ କରି ମଣିଷ ନିଜର ଜୀବନକୁ କେମିତି ନଷ୍ଟ କରୁଛନ୍ତି ଆଜି ସମୟରେ ବିଚାର କରିବା….. ଯିଏ ଯାହା ଲେଖିଲା, କହିଲା ସେସବୁ ଗୁଡିକୁ ନିର୍ଦ୍ୱନ୍ଦରେ ବିଶ୍ୱାସ କରି ନିଜ ଜୀବନ ସହିତ ଯୋଡ଼ିଦେଇ ବଂଚିବା ଶିଖିଥା’ନ୍ତି ନିରୀହ, ନିର୍ବୋଧ ସାଧାରଣ ମଣିଷ । ସାଧାରଣ ଅଜ୍ଞାନ ମଣିଷଙ୍କ ନିର୍ବୋଧତାର ସୁଯୋଗ ନେଇ ହାତଗଣତି କିଛି ଚତୁର କେଳେଙ୍କାରୀ ବିଜ୍ଞାନ ଏବଂ ଦର୍ଶନକୁ ବିକୃତ, ବିଭତ୍ସ କରି ବିପରୀତମୁଖୀ ଭୟାନକ ଚେତନା ପ୍ରେରଣ କରିଥା’ନ୍ତି ସମାଜରେ ଯାହା ସେମାନଙ୍କୁ ଯଥେଷ୍ଟ ସ୍ୱାର୍ଥ ହାସଲ କରିବାରେ ସାହାଯ୍ୟ କରିଥାଏ । ସାଧାରଣ ନିରୀହ, ନିର୍ବୋଧ ସେହି ପ୍ରତାରଣାପୂର୍ଣ୍ଣ ବିପରୀତମୁଖୀ ବାର୍ତ୍ତାକୁ ବୁଝିବାରେ ଅସମର୍ଥ ରହି ସେମାନଙ୍କ ମିଥ୍ୟା ଅଲୌକିକ ପ୍ରବଚନ ଗୁଡିକୁ ସତ୍ୟ ବୋଲି ବିଚାରି ନିଜ ଜୀବନ ଧାରଣ ଶୈଳୀ ସହିତ ସମାନ୍ତରାଳ କରି ପରୋକ୍ଷରେ ପ୍ରତାରିତ ହୋଇଥା’ନ୍ତି ଜୀବନର ସବୁ ମୁହୁର୍ତରେ । ଏହା ଆଜି କାଲିର ବିଷୟ ନୁହେଁ ବରଂ ଯୁଗ ଯୁଗର ବିଭୀଷିକା ଯାହା କେବଳ ଆମ ଦେଶ ନୁହେଁ ବରଂ ବିଶ୍ୱ ବ୍ୟାପି ସମସ୍ୟା । ଟଙ୍କା ଆସେ କୋଉଠୁ, ଟଙ୍କାର ସୃଷ୍ଟିକର୍ତ୍ତା କିଏ କାହାକୁ ଜଣାନଥିବା ବେଳେ ସେହି ଚତୁର ଗୋଷ୍ଠୀ ସେସବୁ ଜାଣି ଟଙ୍କାର ଉତ୍ପାଦାନକାରୀଙ୍କୁ ହିଁ ପ୍ରତାରିତ କରି ସେମାନଙ୍କ ଠାରୁ ପ୍ରତ୍ୟେକ୍ଷ ସମର୍ଥନ ହାସଲ ପୂର୍ବକ ପରୋକ୍ଷରେ ଲୁଟୁଥିବା ତାଙ୍କର ମହତ୍ୱ ବୁଝନ୍ତି ନାହିଁ ଯେଉଁମାନେ ତାକୁ ପ୍ରସ୍ତୁତ କରନ୍ତି । କି ଆଶ୍ଚର୍ଯ୍ୟ ଆମ ଦେଶ ଲୋକଙ୍କ ବିଚାର ଯେ ଯିଏ ଆମକୁ ବଂଚିବାର ସୁଯୋଗ ଦେଉଛନ୍ତି ସେମାନେହିଁ ଆଜି ଆମ ସମାଜର ସବୁଠାରୁ ତଳ ସ୍ତରରେ ଅଛନ୍ତି ! ଆଉ ସେମାନଙ୍କୁ ଯିଏ ଲୁଟି ନିଜର କୋଷ ବୃଦ୍ଧି କରିବାରେ ସମର୍ଥ ହେଉଛନ୍ତି ସେମାନଙ୍କ ସାମାଜିକ ମାନ୍ୟତା ଶୀର୍ଷରେ ! ଏହି ବିଚାରର ମୂଳ ପୁରୋଧା ଅଟନ୍ତି ଅଜ୍ଞାନ ଶିକ୍ଷିତ ଗୋଷ୍ଠୀ ଯାହାଙ୍କୁ ଏହି ତଳୁ ଉପରର ପାର୍ଥକ୍ୟ ସମୀକ୍ଷା କରିବା ଜ୍ଞାନ ଆଦୌ ନାହିଁ । ଆଉ ସେହି ଅଜ୍ଞାନ ଶିକ୍ଷିତଙ୍କୁ ନେଇ ଚତୁର କେଳେଙ୍କାରୀ ଦଳ ସମାଜରେ ଏମିତି ବିପରୀତମୁଖି ଅଜ୍ଞାନ ବିଭୀଷିକା ବିତରଣ କରୁଛନ୍ତି ଯାହାର ପୀଡିତ ହୋଇଥା’ନ୍ତି ସମଗ୍ର ସାଧାରଣ ମଣିଷ ସମାଜ । ସେମାନଙ୍କୁ ବୁଝାଇବ କିଏ ଏବଂ ସେମାନେ ଶୁଣିବେ କାହାକୁ……?!(କ୍ରମଶଃ)

ପଙ୍କଜ କୁମାର ପାଣିଗ୍ରାହୀ ।
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ ।
ଦୂରଭାଷ.: ୯୪୩୭୩୨୪୯୧୭.