ପ୍ରକୃତି ମିଶ୍ର ମାନହାନୀ କେଶ ଦେଲେ ସଞ୍ଜୟଙ୍କ ନାଁରେ : ବଢ଼ିଲା ସଞ୍ଜୟଙ୍କ ଅଡୁଆ

ମୁମ୍ବାଇ(ସମୃଦ୍ଧ ଓଡିଶା)ଶେଷରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସଞ୍ଜୟଙ୍କ ନାଁ ରେ ଏଫଆଇଆର ଦେଇଛନ୍ତି । କାଷ୍ଟିଂ କାଉଚ୍‌ ଅଭିଯୋଗକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ମଧ୍ୟରେ ଲାଗି ରହିଥିବା କଳି ଦିନକୁ ଦିନ ବଢ଼ି ଚାଲିବାରୁ ଶେଷରେ ପ୍ରକୃତି ଏତଲା ଦେଇଛନ୍ତି । ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପ୍ରକୃତି ମିଶ୍ର ଉଠାଇଥିବା କାଷ୍ଟିଂ କାଉଚ ଅଭିଯୋଗ ବିରୋଧରେ ପ୍ରଯୋଜକ ସଞ୍ଜୟ ନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଆଜି ମୁମ୍ବାଇରେ ୱେଷ୍ଟ ଅନ୍ଧେରୀ ଦାଦା ଭାଇ ନାରୋଜି ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକୃତି ନିଜର ଓ ପରିବାରର ମାନହାନୀ ହୋଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ଆଇପିସି ଦଫା ୫୦୦, ୫୦୪ ଏବଂ ୫୦୬ରେ ମାମଲା ରୁଜୁ କରିଛି। ଅଭିନୟକୁ ଆସୁଥିବା ନୂଆ ଝିଅଙ୍କୁ କଂପ୍ରମାଇଜ୍ ପାଇଁ ସିନେ ପ୍ରଯୋଜକ ସଂଜୟ ନାୟକ ପ୍ରବର୍ତ୍ତାଉ ଥିଲେ ବୋଲି ଏକ ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମନ୍ତବ୍ୟ ଦେଇଥିଲେ। ତେବେ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ବିରୋଧରେ କୋର୍ଟର ଆଶ୍ରୟ ନେବି ବୋଲି ଚେତାବନୀ ଦେଇଥିଲେ ସଞ୍ଜୟ ନାୟକ। ତେବେ ଆଜି ସଞ୍ଜୟଙ୍କ ବିରୋଧରେ ପ୍ରକୃତି ଥାନାରେ ପାଲଟା ଏତଲା ଦେଇଛନ୍ତି। ପ୍ରକୃତି ମିଶ୍ରଙ୍କ ଏହି ମାନହାନୀ କେଶ ଯୋଗୁଁ ସଞ୍ଜୟଙ୍କ ଅଡୁଆ ବଢ଼ିଲା ।