ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି : ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହେବ ଘେରାଉ…

କନ୍ଧମାଳ (ସମୃଦ୍ଧ ଓଡିଶା) କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବୁଢ଼ାଦାନି ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ବଡ଼ସାଲୁଙ୍କି ନଦୀ ସମସ୍ୟା ହୋଇଛି । ନଦୀ ଉପରେ ତୁରନ୍ତ ପୋଲ୍‌ ନିର୍ମାଣ କରିବା ପାଇଁ ଦାବି କରାଯାଇଛି । ସୂଚନା ଅନୂଯାୟୀକ ଖରାଦିନେ ଏଠାରେ ଏକ ଅସ୍ଥାୟୀ ବାଉଁଶ ନିର୍ମିତ ପୋଲ୍‌ ଦେଇ ଉଭୟ ଗ୍ରାମର ଲୋକେ ନଦୀ ପାର ହୋଇଥାନ୍ତି । ବୁଢ଼ାଦାନି ଏବଂ ଏହାର ଆଖପାଖ ଗ୍ରାମର ଲୋକେ ଏହି ବାଉଁଶ ପୋଲ ଦେଇ ଫୁଲବାଣୀ ସହରକୁ ଆସିଥାନ୍ତି । ଏମିତିକି ବହୁ କଷ୍ଟରେ ବାଉଁଶ ପୋଲ୍‌ ଦେଇ ମୋଟର ସାଇକେଲ୍ ମଧ୍ୟ ପାର କରାଇଥାନ୍ତି । କିନ୍ତୁ ବର୍ଷା ଦିନେ ଏହି ବାଉଁଶ ପୋଲ୍‌ଟି ପାଣିରେ ବୁଡ଼ିଯିବା ଫଳରେ ଉଭୟ ଗ୍ରାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼େ । ଏହି ଗ୍ରାମର ଲୋକଙ୍କୁ ଫୁଲବାଣୀ ସହରକୁ ଯିବାକୁ ହେଲେ ଅଧିକ ୧୦ କିମି ରାସ୍ତା ବୁଲିବାକୁ ପଡ଼ିଥାଏ । ତେଣୁ ବୁଢ଼ାଦାନି ଏବଂ ତୁଡ଼ିପାଜୁ ମଧ୍ୟରେ ଏକ ସ୍ଥାୟୀ ପୋଲ ଯଥାଶୀଘ୍ର ନିର୍ମାଣ କରାଗଲେ ଉଭୟ ଗ୍ରାମର ଲୋକଙ୍କ ସମସ୍ୟା ଦୂର ହୋଇପାରନ୍ତା ବୋଲି କୁହାଯାଇଛି । ପୋଲ୍‌ ନିର୍ମାଣ ନେଇ ବୁଢ଼ାଦାନି ଓ ତୁଡ଼ିପାଜୁ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲ୍ଲା ପ୍ରଶାସନ, ରାଜନେତା, ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ବୁଢ଼ାଦାନିରେ ବଡ଼ସାଲୁଙ୍କି ନଦୀରେ ତୁରନ୍ତ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ପୋଲ ନିର୍ମାଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବୁଢ଼ାଦାନି ଗ୍ରାମର ପୂର୍ବତନ ସରପଞ୍ଚ ପଞ୍ଚାନନ କହଁର, ଅବନୀ କହଁର, ବିଶ୍ବବିହାରୀ କହଁର, ଦୁର୍ଗାମାଧବ କହଁର, ସମିତିସଭ୍ୟ ଗଣେଶ କହଁର, ବିଶ୍ବନାଥ ବେହେରା, ବିନାୟକ ଗଣ୍ଡା, ଉପେନ୍ଦ୍ର କହଁର ଓ ପଦ୍ମନାଭ କହଁର ପ୍ରମୁଖ ଚେତାବନୀ ଦେଇଛନ୍ତି ।