ପୋଲିସ ଏସ.ପିଙ୍କ ବାପା ମା’ଙ୍କ ଠୁଁ ଲୁଟ ଉଦ୍ୟମ ବ୍ୟର୍ଥ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜଧାନୀରେ ବର୍ତ୍ତମାନ ବିଚ୍‌ ରାସ୍ତାରେ ହେଉଛି ଲୁଟ୍, ରାହାଜାନୀ ଓ ହତ୍ୟା। । ଏପରି କାଣ୍ଡ ଭିଆଇ କମିଶନରେଟ୍‌ ପୋଲିସ୍‌କୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ। ଗତକାଲି ରାତିରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପାମା’ଙ୍କ ଠାରୁ ଲୁଟ୍ ଉଦ୍ୟମ କରି ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ସାଗରିକାଙ୍କ ପରିବାର ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଛି। ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସାଗରିକାଙ୍କ ବାପା, ମାଆ ଏକ କାର୍‌ରେ ଘାଟିକିଆ ରାସ୍ତାରେ ନିଜ ଘର ଖଣ୍ଡଗିରିକୁ ଫେରୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କ କାର୍‌କୁ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ଆମ୍ରି ହସପିଟାଲ ନିକଟରେ ସେମାନଙ୍କ କାର୍‌ ଆଗରେ ବାଇକ୍ ରଖି ଦେଇଥିଲେ। ପରେ ସାଗରିକାଙ୍କ ବାପା, ମାଆଙ୍କ ଠାରୁ ଟଙ୍କା ଓ ସୁନା ବାହାର କରି ଦେବାକୁ କହିଥିଲେ। ଟଙ୍କା,ସୁନା ଦେବାକୁ ସାଗରିକାଙ୍କ ବାପା, ମାଆ ଅରାଜି ହେବାରୁ ଲୁଟେରାମାନେ ସେମାନଙ୍କଠାରୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।ଏନେଇ ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ପରେ ଦୁର୍ବୃତ୍ତମାନେ ସାଗରିକାଙ୍କ ବାପା, ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଲୁଟେରାମାନେ ବାଇକ୍‌ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ।ଏନେଇ ସାଗରିକାଙ୍କ ପରିବାର ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ସେହି ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳରୁ ଲୁଟେରାଙ୍କ ଏକ ବାଇକ ଜବତ କରାଯାଇଛି।  ଆଇପିଏସ ଅଧିକାରୀ ସାଗରିକା ନାଥ ଏବେ ବାଲେଶ୍ୱର ଏସପି ଅଛନ୍ତି । ପୂର୍ବରୁ ସେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବେ କାର୍ଯ୍ୟ କରିଥିଲେ । ସେତେବେଳେ ତାଙ୍କର ପୋଲିସ ପ୍ରଶାସନିକ ଦକ୍ଷତାକୁ ଭିତିକରି ଲେଡି ସିଂଘମ ବୋଲି ସାଧାରଣରେ ଆକ୍ଷ୍ୟା ମିଳିଥିଲା I