ପୋଖରି ଦୁର୍ନୀତି ପ୍ରସଙ୍ଗକୁ ନେଇ ତଦନ୍ତ କରିବାକୁ କଂଗ୍ରେସ ନେତାଙ୍କ ଦାବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ମଧ୍ୟରେ ଥିବା ପୋଖରି ଗୁଡିକର ରକ୍ଷଣା ବେକ୍ଷଣ କରିବା ଓ ତାକୁ ବ୍ୟବହାର ଉପଯୋଗୀ କରିବାକୁ ୨୦୦୭ରୁ ୨୦୨୧ ମଧ୍ୟରେ କେନ୍ଦ୍ର ସରକାର ମାନ ପର୍ଯ୍ୟାୟକ୍ରମେ ୧୪ କୋଟି ୯୯ ଲକ୍ଷ ୩୦ ହଜାର ଟଙ୍କା ମହାନଗର ନିଗମକୁ ଦିଆଯାଇଥିବା ସୂଚନା ଅଧିକାର ଆଇନ ଦ୍ଵାରା ଜଣାଯାଇଛି l ଏହି ବିପୁଳ ଧନ ରାଶିର ସଟିକ ବିନିଯୋଗ ହୋଇନଥିବା ଓ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଜିଲ୍ଲା ସଭାପତି ତଥା ଆଇନଜୀବି ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲା ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଏଫ.ଆଇ.ଆର(FIR) ପ୍ରଦାନ କରାଯାଇଛି l ଅଭିଯୋଗକାରୀ କଂଗ୍ରେସ ନେତା ମାନେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଏହି ବିପୁଳ ଧନ ରାଶିରେ ବ୍ୟାପକ ଅନିୟମିୟତା ହୋଇଛି l ଗୋଶାଣୀନୁଆଗାଁ ଉତ୍ତରେସ୍ୱର ବନ୍ଦ, ବିଜିପୁର ବନ୍ଦ ଓ ପାୟଲ ସିନେମା ହଲ ପାଖରେ ଥିବା ବନ୍ଦରେ ଏକାଧିକ ବାର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସହରର ଅନ୍ୟ ବନ୍ଦ ଗୁଡିକୁ କାହିଁକି ଅଣଦେଖା କରାଯାଇଥିଲା l ଏପରିକି ସହରରେ ଥିବା ୪୦ଗୋଟି ଜଳାଶ୍ରୟ ଗୁଡିକରୁ ଠିକ ଭାବରେ ପଙ୍କ ବାହାର ନ ହେବା, ଦଳ ସଫା ନ ହେବା, ପଥର ବନ୍ଦେଇ ଓ ତାର ଜାଳି ବନ୍ଦେଇରେ ନିମ୍ନ ମାନର କାମ ହେବା କଂଗ୍ରେସ ନେତା ମାନେ ଅଭିଯୋଗ କରିଛନ୍ତି l ସାଧାରଣ ଲୋକଙ୍କ ଏହି ଟଙ୍କାକୁ କିଛି ଅସାଧୁ ଅଧିକାରୀ, ମାଫିଆ, ଟୀକାଦାର ଓ ରାଜନେତା ଚଳୁ କରି ଦେଇ ଥିବା ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବୀ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମଜଦୂର କଂଗ୍ରେସ ଜିଲ୍ଲା ସଭାପତି ପୀତବାସ ପଣ୍ଡାଙ୍କ ସମେତ ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ରଞ୍ଜନ ତରାଇ, ସୁଧୀର ମହାରଣା, ସାଇ ରାମ ପାତ୍ର, ପଦ୍ମ ଚରଣ ସାହୁ, ଆରତୀ ପଟ୍ଟନାୟକ, ସୁନିତା ସାହୁ, ସୌଭାଗ୍ୟ ପ୍ରଧାନ, ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର, ସଞ୍ଜୟ ନାୟକ, ଉମା ପଣ୍ଡା, ପ୍ରଫୁଲ୍ଲ ଘଡେଇ, ଜିତେନ୍ଦ୍ର ଗୌଡ଼, ସନ୍ତୋଷ ପୋଲାଇ, ବବୁଲ ବେଗ, ହୃଷିକେଶ ପାତ୍ର, ଚନ୍ଦ୍ର ଶେଖର ରାଓ, ମୁନା ଦୋରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l