ପୂର୍ବତନ ସାଂସଦଙ୍କ ପୋଷ୍ୟ ଗ୍ରାମରେ କେନ୍ଦ୍ରୀୟ ଟିମ୍‌ର ଉନ୍ନୟନ କାର୍ଯ୍ୟ ପରିଦର୍ଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ପୂର୍ବତନ ସାଂସଦ ଇଂ ରବିନ୍ଦ୍ର ଜେନାଙ୍କ ପ୍ରଥମ ପୋଷ୍ୟଗ୍ରାମ କାଳିକ ପଂଚାୟତରେ ହୋଇଥିବା ଉନ୍ନୟନ ଓ ବିକାଶ କାର୍ଯ୍ୟ ପରିଦର୍ଶନ ଲାଗି କେନ୍ଦ୍ର ସରକାରଙ୍କ ଏକ ଦୁଇଜଣିଆ ଟିମ୍ ଆସି ସେଠାରେ ପହଞ୍ଚିଛନ୍ତି । କେନ୍ଦ୍ର ସରକାରଙ୍କ ଜାତୀୟ ମନିଟରଂ ସଭ୍ୟ ଅଖିଳ ମହାରଣା ଓ ଓଡିଶା ଜୀବିକା ମିଶନର ଅଧିକାରୀ ସଂଜିତ୍ କୁମାର ମହଲା ହଠାତ୍ ଶୁକ୍ରବାର କାଳିକ ପଂଚାୟତରେ ପହଞ୍ଚିଥିଲେ । ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନବନିର୍ମିତ କଲ୍ୟାଣ ମଣ୍ଡପ ପରିଦର୍ଶନ ସହିତ ସ୍ଥାନୀୟ କେତେକ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଦିବାସୀ ଅଧ୍ୟୁସୀତ ଏହି ପଂଚାୟତକୁ ଇଂ ଶ୍ରୀ ଜେନା ହାତକୁ ନେବା ସହିତ ସେଠାରେ ରର୍ବାନ ଯୋଜନାର କାର୍ଯ୍ୟମଧ୍ୟ ଆରମ୍ଭ କରାଇଥିଲେ । ବିଭିନ୍ନ ଯୋଜନାର କାର୍ଯ୍ୟ ସେଠାରେ ସମୀକ୍ଷା କରିବା ସହିତ ସ୍ଥାନୀୟ ଜନ ସାଧାରଣଙ୍କ ସହିତ ବିଭିନ୍ନ ପର୍ଯ୍ୟୟରେ ଆଲୋଚନା କରିଥିଲେ । ପରେ ଏହି ଟିମ୍ ମନରେଗା ଯୋଜନାରେ ଖୋଳା ଯାଇଥିବା ବିଭିନ୍ନ ପୋଖରୀ, ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟଲାଗି ଦୁଧିଆଖାଳୀ, ହାତିଗଡ ଓ ରଂଗାମାଟିଆ ଗାଁକୁ ଯାଇ ତଦାରଖ କରିଥିଲେ । ଜବ୍‌କାର୍ଡଧାରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ପାଇବା, ଏନ୍‌ଏସ୍‌ଏପି ଯୋଜନାରେ ହିତାଧିକାରୀମାନେ ବାର୍ଦ୍ଧକ୍ୟ ଭତ୍ତା, ବିଧବାଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ସରିଥିବା ନିର୍ମାଣ ହେଉଥିବା ଘରଗୁଡିକ ବୁଲି ଦେଖିଥିଲେ । ଓଡିଶା ଜିବିକା ମିଶନ ଦ୍ୱାରା ହେଉଥିବା ମୋ ବଗିଚା କାର୍ଯ୍ୟ ଲାଗି ତେନ୍ତୁଳା ଗାଁକୁ ଯାଇ ସେମାନେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ଅଧିକ କାଳିକ ଠାରୁ ଚୁଡାମଣୀପୁର ଯାଏ ରାସ୍ତା ପରିଦର୍ଶନ କରିଥିଲେ । ଦୀର୍ଘ ୮ ଘଣ୍ଟାର ପରିଦର୍ଶନ ସମୀକ୍ଷାରେ କେନ୍ଦ୍ରୀୟ ଟିମ୍ ସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି । ସେମାନଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଲମ୍ବୋଦର କର, ଜଳେଶ୍ୱର ବ୍ଲକ ସହକାରୀ ଯନ୍ତ୍ରୀ ଇଂ ମନୋଜ କୁମାର ମୁଣ୍ଡ, ବ୍ଲକ ସେକ୍ସନ ଅଫିସର ଅଧିର କୁମାର ପ୍ରମାଣିକ, ଇଂ ରବିନ୍ଦ୍ର ପ୍ରଧାନ ସେ ଅଂଚଳର ନେତୃସ୍ଥାନୀୟ ବ୍ୟକ୍ତି ଗଂଗାଧର ଦାସ, ସରପଂଚ ବିଜୟ କୁମାର ବେହେରା, ପିଇଓ କୃଷ୍ଣାରାଣୀ ଜେନା, ଜିଆର୍‌ଏସ୍ ଗୋଲକ ବିହାରି ପଟ୍ଟନାୟକ ପ୍ରମୁଖ ସେମାନଙ୍କ ସହିତ ଉପସ୍ଥିତ ଥିଲେ ।