ପୁଣି ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ବୈଜୟନ୍ତ ପଣ୍ଡା

ନୁଆଦିଲ୍ଲୀ(ସମୃଦ୍ଧଓଡିଶା)ପୁଣି ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ବୈଜୟନ୍ତ ପଣ୍ଡା । ଦିନଥିଲା ବୈଜୟନ୍ତ ବାବୁ ଓଡିଶାକୁ ଚଳାଉଥିଲେ I କେନ୍ଦ୍ରାପଡ଼ାର ସାଂସଦ ଥିଲେ ମଧ୍ୟ ସାରା ରାଜ୍ୟର ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ I ସାଧାରଣ ଲୋକେ ତାଙ୍କୁ ଏମିତି ଭଲ ପାଉଥିଲେ ଯେ ସ୍ନେହରେ ତାଙ୍କୁ ଜୟ ପଣ୍ଡା ବାବୁ କହୁଥିଲେ I କାହିଁକି ନା ସେ କେଉଁ ଥିରେ ପରାଜୟ ହେଉ ନ ଥିଲେ ଏବଂ ଯେଉଁ ସାଧାରଣ ଲୋକଟି ତାଙ୍କ ପାଖକୁ ଯାଏ, ସେ ଭଲ ରୂପେ ଚା’କପେ ପାଇଥାଏ ଓ ବିନା ଦ୍ଵିଧାରେ କାମ ହାସଲ କରିଥାଏ I ବହୁ ସମର୍ଥକ ସ୍ୱପ୍ନ ଦେଖିଥିଲେ ଯେ ଦିନେ ଏହି ଲୋକଟି ଓଡ଼ିଶାର ମୂଖ୍ୟମନ୍ତ୍ରୀ ହେବ I କିନ୍ତୁ ଭାଗ୍ୟ ତ ବିଧାତା ଗଢନ୍ତି I ସେ ଯାହା ହେଉନା କାହିଁକି ଆଜି ସେ ଦେଶର ଶାସକ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ I ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ୩୮ଜଣିଆ ନୂଆ ଟିମ୍‌ରେ ପୁଣି ସ୍ଥାନ ପାଇଛନ୍ତି ବୈଜୟନ୍ତ ବାବୁ । ତୃତୀୟ ଥର ଲାଗି ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପାଇବାରେ ସଫଳତା ଅର୍ଜନ କରିଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂତନ ଜାତୀୟ ଉପାଧ୍ୟକ୍ଷ ଏବଂ ସାଧାରଣ ସଂପାଦକଙ୍କ ନାମ ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସୌଦାନ ସିଂ ପ୍ରମୁଖଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ କୈଳାସ ବିଜୟବର୍ଗୀୟ, ଅରୁଣ ସିଂ ଏବଂ ତରୁଣ ଚୁଗଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି। ୮ ଜଣ ରାଷ୍ଟ୍ରୀୟ ମହାମନ୍ତ୍ରୀ ହୋଇଥିବା ବେଳେ ୧୩ ଜଣ ରାଷ୍ଟ୍ରୀୟ ସଚିବ ହୋଇଛନ୍ତି । ଏହା ସହିତ ଜଣେ ଲେଖାଏ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ, ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ, କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ରିପୋର୍ଟ : ଆଇନଜୀବୀ ସୁଧୀର କୁମାର ପଟ୍ଟନାୟକ