ପାରଳାରେ ପୁଣି କଂଗ୍ରେସ, ଆଜି ବିରାଟ କର୍ମୀ ସମାବେଶ : ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକଙ୍କୁ ଜିତିବାକୁ ସଂଘବଦ୍ଧ ସମର୍ଥନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିଶାଳ ଜନ ସମାଗମରେ କଂଗ୍ରେସର ପରିବର୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ବିଜେପି ଛାଡି ଶତାଧିକ ନେତା କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଜିଲ୍ଲାର ଜଣାଶୁଣା ନେତା ମଜେସ ଶବର ଓ ଇନାସ ଦଳବେହେରାଙ୍କ ସହିତ ଶତାଧିକ ନେତା ଓ କର୍ମୀ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ୨୦୨୪, ସାଧାରଣ ନିର୍ବାଚନ ପାଇଁ ଓଡିଶାର ୪୯ଟି ବିଧାନସଭା ଆସନ ପାଇଁ ଗତକାଲି କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିବା ଓ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟନାୟକ ପ୍ରାର୍ଥୀ ହେଉଥିବା ଘୋଷଣା ହେବାପରେ ଆଜି ଏହି ବିଶାଳ ସମାଗମର ଆୟୋଜନ କରାଯାଇଥିଲା । ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡି ବାସିନ୍ଦା ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଢ଼େର ଉତ୍ସାହିତ ହୋଇ ପଡିଛନ୍ତି । ଉତ୍ସାହୀ ହଜାର ହଜାର କଂଗ୍ରେସ ନେତା କର୍ମୀ ବିଜୟଙ୍କ ସହ ଆଜି ପାରଳାଖେମୁଣ୍ଡିରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । ଶୋଭାଯାତ୍ରା ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ବୃନ୍ଦାବନ ପ୍ୟାଲେସ ନିକଟରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲେ । ସଭା ମଞ୍ଚରେ ଦଳର ନୂଆ ଓ ପୁରୁଣା ନେତା ଏକାଠି ହୋଇ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସକୁ କ୍ଷମତାସୀନ କରିବା ପାଇଁ ଦଳୀୟ ପ୍ରାର୍ଥୀ ବିଜୟ ପଟ୍ଟନାୟକଙ୍କୁ ବିଜୟୀ କରାଇବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବିଜେପି ଏବଂ ବିଜେଡି ଛାଡି ବହୁ କର୍ମୀ ଓ ନେତା କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜନସମୁଦ୍ରକୁ ଦେଖିଲେ ଲୋକେ କଂଗ୍ରେସ ପ୍ରତି କେତେ ଆକୃଷ୍ଟ ହୋଇଛନ୍ତି ବୋଲି ସ୍ପଷ୍ଟ ବାରି ହୋଇଛି । ତେଣୁ ଏଥର ପରିବର୍ତ୍ତନ ସୁନିଶ୍ଚିତ ବୋଲି ପ୍ରାର୍ଥୀ ବିଜୟ ପଟନାୟକ କହିଛନ୍ତି । ପାରଳାଖେମୁଣ୍ଡି କଂଗ୍ରେସର ଗଡ ଭାବେ ପରିଚିତ । ତେଣୁ ଏହି ଗଡକୁ କଂଗ୍ରେସ କିଭଳି ଫେରିବ ସେଥିପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି । ଏବଂ ଏହି ପ୍ରୟାସ ନିଶ୍ଚିତ ଭାବେ ସଫଳ ହେବ ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ ଆଜି କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହଳଧର କାର୍ଯୀ, ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ମୋହନା ବିଧାୟକ ତଥା ଗଜପତି ଜିଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ, ଜୟମହୋନ ରାଓ, ବିଷ୍ଣୁ ମୁର୍ତ୍ତି , ଗୋଷାଣୀ ବ୍ଲକ କୃଷ୍ଣ ପାତ୍ର, ଗୀତା ଭୁୟାଁ, ଲଳିତ ମୋହନ ଦଣ୍ଡସେନା, ଗୁମ୍ମା ବ୍ଲକର, ରାମ ପ୍ରସାଦ ପଟ୍ଟନାୟକ , ସୁବାସ ପାତ୍ର ,ଶୁକାନ୍ତି ଶବର କାଶୀନଗର ବ୍ଲକ, ପ୍ରମୁଖ ନେତା କର୍ମୀମାନେ ମଞ୍ଚାସିନ ହୋଇଥିବା ବେଳେ ନଗର କଂଗ୍ରେସ୍ ସଭାପତି ବସନ୍ତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ହଜାର ହଜାର କଂଗ୍ରେସ କର୍ମୀ ଓ ଦଳୀୟ ନେତାମାନେ ଯୋଗଦେଇ ପାରଳାଖେମୁଣ୍ଡିରୁ ଏଥର ବିଜୟ ପଟନାୟକଙ୍କ ଭଳି ଜଣେ ସୁଦକ୍ଷ ବ୍ୟକ୍ତିତ୍ବଙ୍କୁ ସୁଯୋଗ ଦେବା ବୋଲି ପ୍ରତିଜ୍ଞବଦ୍ଧ ହୋଇଥିଲେ । ଜଣେ ଅବସରପ୍ରାପ୍ତ ରାଜ୍ୟର ମୁଖ୍ୟଶାସନ ସଚିବ ବିଜୟବାବୁ ପ୍ରାର୍ଥୀ ହୋଇଥିବାରୁ ଏହି ଅଞ୍ଚଳ ପାଇଁ ନିଶ୍ଚିତ ଭାବେ ଏକ ଆଶୀର୍ବାଦ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ତେଣୁ ଏଥର ବିଜୟଙ୍କୁ ବିଜୟୀ କରାଇବା ପାଇଁ ସମସ୍ତେ ଏକ ମନ ଏକ ପ୍ରାଣରେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ସାଧାରଣରେ ଲୋକେ କହିଥିଲେ ।

ରିପୋର୍ଟ : କୃଷ୍ନକୁମାର ବେହେରା