ପଶ୍ଚିମଓଡ଼ିଶାକୁ ବାରମ୍ବାର ଧୋକା ଦେଇଛନ୍ତି ବୋଲି ବିରୋଧୀଙ୍କ ଅଭିଯୋଗ

ସମ୍ବଲପୁର(ସମୃଦ୍ଧଓଡିଶା) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବାପରେ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି । ନବୀନ ଆତ୍ମବିଶ୍ୱାସ ହରାଇସାରିଛନ୍ତି । ପଶ୍ଚିମଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେଇ ଏବେ ପୁଣିଥରେ ଧୋକା ଦେବାକୁ ପ୍ରୟାସ କରୁଛନ୍ତି । ଲୋକେ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଛି। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପଶ୍ଚିମଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । କଣ୍ଟାବାଞ୍ଜି ଜିତିଲା ପରେ ସେ ଏହି ଆସନ ଛାଡ଼ିଦେବେ ବୋଲି ଜଣାପଡ଼ୁଛି । ପୂର୍ବରୁ ବିଜେପୁରକୁ ଜିତି ସେହି ଆସନକୁ ଛାଡ଼ିଦେଇଥିଲେ । ତେଣୁ ଲୋକେ ଏଥର ତାଙ୍କୁ ସ୍ଥାନୀୟ ଲୋକେ ଉଚିତ୍ ଜବାବ ଦେବେ।ସେହିପରି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି । ହାଇକୋର୍ଟ ସ୍ପେଶିଆଲ ବେଂଚ ପ୍ରତିଷ୍ଠାଠାରୁ ଆରମ୍ଭ କରି ନୂତନ ଜିଲ୍ଲା ଘୋଷଣା, କଟନୀ ଛଟନୀ ଓ ଧାନର ଅଭାବୀ ବିକ୍ରୀ, ଧାନ କ୍ୱଂଟାଲ ପ୍ରତି ୧୦୦ଟଙ୍କା ବୋନସର ପ୍ରତିଶ୍ରୁତି ଦେଇ ପାଳନ ନକରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଆବଂଟନ ନହେବା ,ବରଗଡ଼ଠାରେ ସିମେଂଟ ଓ ଚିନି କାରଖାନା ବନ୍ଦ ହେବା ଆଦି ପ୍ରସଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ । ଏପରିକି ବିଜେପୁରରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ କରାଇ ବିଧାନସଭାକୁ ପଠାଇଥିଲେ । ନିର୍ବାଚନ ଜିତିବା ପରେ ସେହି ଆସନକୁ ଛାଡ଼ିଦେଇଥିଲେ । ନବୀନ ବାବୁଙ୍କ ଭେଳିକି ଓ ଚକ୍ରାନ୍ତକୁ ଓଡିଶାବାସୀ ହୃଦୟଙ୍ଗମ କରିସାରିଲେଣି । ଓଡ଼ିଶାବାସୀ ସବୁ ଦେଖୁଛନ୍ତି ଏବଂ ସଠିକ ସମୟରେ ଉଚିତ୍ ଜବାବ୍ ଦେବେ ବୋଲି ସେ କହିଛନ୍ତି । ଏକାଧିକ ସ୍ଥାନରୁ ପ୍ରାର୍ଥୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଧୀନତା ରହିଛି । ହିଂଜିଳିବାସୀଙ୍କୁ ମଧ୍ୟ ପ୍ରତାରଣା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ବାସ୍ତବରେ ଆତ୍ମବିଶ୍ୱାସ ହରାଇଛନ୍ତି । ଗୋଟିଏ ଆସନରୁ ଲଢ଼ି ନିଜ ଲୋକପ୍ରିୟତାକୁ ସ୍ପଷ୍ଟ କରୁନାହାନ୍ତି କାହିଁକି ?  ନିଜ ଲୋକପ୍ରିୟତା ହ୍ରାସ ପାଉଥିବାର ଦେଖି ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅନ୍ୟ ସ୍ଥାନର ଆଶ୍ରୟ ନେଇଛନ୍ତି । ବିଜେପୁର ସମେତ ବାଲେଶ୍ୱର, ପିପିଲି, ଧାମନଗର, ପଦ୍ମପୁର ଉପନିର୍ବାଚନରେ ‘ମୁଁ ଦାୟିତ୍ୱ’ ନେଉଛି କହି ପରବର୍ତୀ ସମୟରେ କେବଳ ଧୋକା ଦେଇଛନ୍ତି । “ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର” ଗଠନ ହେବା ସୁନିଶ୍ଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର