ପଞ୍ଜିକୃତ ସମସ୍ତ ଚାଷୀ ଓ ଭାଗ ଚାଷୀଙ୍କ ତୁରନ୍ତ ଧାନ କିଣିବା ଓ ଚାଷୀଙ୍କ ବିଭିନ୍ନ କ୍ଷତିପୂରଣ ଦେବା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପଞ୍ଜିକୃତ ସମସ୍ତ ଚାଷୀ ଓ ଭାଗ ଚାଷୀଙ୍କ ତୁରନ୍ତ ଧାନ କିଣିବା ଓ ଚାଷୀଙ୍କ ବିଭିନ୍ନ କ୍ଷତିପୂରଣ ଦେବା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଋଷିକୂଲ୍ୟା ରୟତମହାସଭାର ସମ୍ପାଦକ ସିମାଞ୍ଚଳ ନାହାକଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ଚାଷୀ ବିକ୍ଷୋଭ ସମାବେଶରେ ଭାରତୀୟ କମ୍ୟୁନିଷ୍ଟପ୍ରାର୍ଥୀ ରାଜ୍ୟନେତା ଏନ୍. ନାରାୟଣ ରେଡ୍ଡୀ ଯୋଗଦେଇ ପ୍ରଶାସନକୁ ସମାଲୋଚନା କରି କ୍ଷୋଭପ୍ରକାଶ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ । ଚାଷୀମାନେ ହେଉଛନ୍ତି, ଦେଶର ମେରୁଦଣ୍ଡ, ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ନ ବୁଝିବା, ଚାଷୀଙ୍କ ସମସ୍ୟା ସମାଧାନ ନ କରିବା ଘୋର ନିନ୍ଦନୀୟ ବିଷୟ ବୋଲି କହିଛନ୍ତି । ବାସ୍ତବିକ ଏ ସରକାର ପରିବର୍ତ୍ତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି । ଦୁର୍ଦ୍ଦିନରେ ସଡୁଛନ୍ତି ଗଞ୍ଜାମ ଚାଷୀ । ଧାନ କିଣାରେ ନିୟମିତ ହେଉନଥିବାରୁ ଜିଲ୍ଲାର ପ୍ରାୟ ୫ହଜାର ଧାନଚାଷୀଙ୍କ ଟୋକେନର ଅବଧି ସରି ତାହା ଲାପ୍ସ ହୋଇଗଲାଣି । ଏଥିପାଇଁ ଚାଷୀମାନେ ଜିଲ୍ଲାପ୍ରଶାସନକୁ ଦାୟୀ କରିଛନ୍ତି । ଏନେଇ ଘୋର ଉଦବେଗ ପ୍ରକାଶ କରି ଗୁରୁବାର ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶହସ୍ରାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତରହି ନିରୀହ, ଗରିବ ଚାଷୀ, ମେହନତି, ଖଟିଖିଆ ଶ୍ରେଣୀର ଲୋକଙ୍କ କଥାକୁ ଆଦୌ ନ ବୁଝିବା ଏକ ଅଗଣତାନ୍ତ୍ରିକ ବୋଲି ମତପ୍ରକାଶ କରାଯାଇଛି । ଚାଷୀମାନେ ସୋସାଇଟି, ଯୋଗାଣବିଭାଗ, ମିଲର ପାଖକୁ ବାରମ୍ବାର ଯାଇ ହତାଶ ହୋଇ ବସିଛନ୍ତି । ଅଦିନିଆ ବର୍ଷା, ବାତ୍ୟା ଯୱାଦଭଳି, ବହୁ ଦୁର୍ବିପାକ ଆସି ଅନେକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷତିପୂରଣ ଚାଷୀଙ୍କୁ ମିଳିନାହିଁ, କି ଫସଲବୀମା ସହାୟତା ମଧ୍ୟ ମିଳିନାହିଁ । ଗମୁଧାନ ବୋଲିକହି କୁଇଣ୍ଟାଲ ପିଚ୍ଛା ଆଠ କିଲୋ ରୁ ୧୦କିଲୋ ଅଧିକା ଧାନ ପ୍ରଶାସନ ଠକି ନେଉଛନ୍ତି । ତେଣୁ ଗଞ୍ଜାମ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦିଆଯାଇ ଭାଗଚାଷୀଙ୍କୁ ସମସ୍ତପ୍ରକାର ସୁବିଧା ପ୍ରଦାନ କରାଯିବା, ସରକାରଙ୍କ ନିୟମ ମୁତାବକ ଚାଷୀଙ୍କ ଅଖା ଟଙ୍କା ଓ ଗାଡିଭଡା, ଲେବର ଖର୍ଚ୍ଚ ଆଦି ଦିଆଯିବା ପାଇଁ ଦାବୀ ହୋଇଛି । ଅଦନିଆବର୍ଷା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜିଲ୍ଲାରେ ୯.୫ ହେକ୍ଟର ଧାନଫସଲ ବ୍ୟାପକ କ୍ଷତିହୋଇଥିବା ବେଳେ ରାଜ୍ୟ ସରକାର କୌଣସି କ୍ଷତିପୂରଣ ଦେଇନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଷୋଭର ସହ କୁହାଯାଇଛି । ତେଣୁ ଗଞ୍ଜାମ ଜିଲ୍ଲାରେ ଏହି କ୍ଷତିପୂରଣ ସାଂଗକୁ ଚାଷୀମାନେ ଫସଲବୀମା ପ୍ରିମିୟମ ଦେଉଥିଲେ ସୁଦ୍ଧା ସେମାନଙ୍କୁ ଫସଲବୀମା ସହାୟତା ମିଳିନଥିବା ଘୋର ଅନ୍ୟାୟ ବୋଲି କୁହାଯାଇଥିବା ବେଳେ ଫସଲବୀମା ସହାୟତା ପ୍ରଦାନ କରାଯିବା ନିମନ୍ତେ ଦୃଢ଼ ଦାବୀ ହୋଇଛି । ଜିଲ୍ଲାରେ କଞ୍ଚାଲଙ୍କା ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନା ଯୋଗାଇଦେବା ସହ ମାଙ୍କଡ଼, ବାରାହ ଆଦି ବନ୍ୟଜନ୍ତୁ ଆଦିର ପାଦୃଭାବ ଯୋଗୁ ରବି ଫସଲ ତଥା ଆମ୍ବ, ବେଲ, ପିଜୁଳି, ପଣସ, ସଜନା, କଦଳୀ ଆଦି ଫଳମୂଳ, ପନିପରିବା ଆଦି ବ୍ୟାପକ କ୍ଷତିଗ୍ରସ୍ତ ଘଟୁଛି । ତେଣୁ ବିଲ ବାଡ଼ି ପଦର, ତୋଟା ଆଦିର ସୁରକ୍ଷା କରିବା ଓ ତାହାର ତଦାରଖ କରିବା ନିମିତ୍ତ ପ୍ରଶାସନ ମାଙ୍କଡ଼, ବାରାହ ଆଦି ବନ୍ୟଜନ୍ତୁ ମାନଙ୍କୁ ଅନ୍ୟ ଜଙ୍ଗଲ ଏବଂ ଅଭୟାରଣ୍ୟରେ ଛାଡିବାକୁ ଚାଷୀମାନେ ଦାବୀ କରିଛନ୍ତି । ଏସମସ୍ତ ଦାବୀ ଖୁବଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବୁ ବୋଲି ଚାଷୀମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା