ପଞ୍ଚାୟତ ପ୍ରତିନିଧିଙ୍କୁ କରୋନା ସଚେତନତା: ଜଳେଶ୍ୱରରେ ୭ ବିଦେଶୀ ଓ ୨୮୦ ରାଜ୍ୟ ବାହାର ଫେରନ୍ତାଙ୍କୁ ପଞ୍ଜିକରଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବ ସୂଚନା ଅନୁଯାୟୀ ଆଜି ଶୁକ୍ରବାର ଜଳେଶ୍ୱର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପଂଚାୟତରାଜ ନିର୍ବାଚିତ ପ୍ରତିନିଧିମାନଙ୍କୁ କରୋନା ସଂପର୍କରେ ସଚେତନତା ଓ ଆଗାମୀ ୩ ମାଳ ଲାଗି ଭତ୍ତା ଓ ରେସନ ଦେବା ସଂପର୍କରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଦିପ୍ତିରଞ୍ଜନ ସେଠୀ ଅଧ୍ୟକ୍ଷତା କରିଥିଲେ । ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦ୍‌ବୋଧନ ଦେଇ ଔଷଧ କିମ୍ବା ମାସ୍କ ବ୍ୟବହାର ଜରୁରୀ ନ ଥିବା ବେଳେ ସଚେତନତା ଅଧିକ ଆବଶ୍ୟକ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତ ପାଠ କରିଥିଲେ । ଏଥିରେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଭାସ ଚନ୍ଦ୍ର ନାୟକ ଯୋଗଦେଇ ବିଦେଶ ଓ ଅନ୍ୟରାଜ୍ୟରୁ ଫେରୁଥିବା ବ୍ୟକ୍ତି ବିଶେଷ କିମ୍ବା କାଶ ସର୍ଦ୍ଦି ଥଣ୍ଡା ରୋଗ ଭୋଗୁଥିବା ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବା, ବାରମ୍ବାର ସାବୁନରେ ହାତ ଧୋଇବା, ଜନଗହଳି ସ୍ଥାନକୁ ନ ଯିବା, ଘରେ ସ୍ୱତନ୍ତ୍ର କୋଠରୀରେ ରହିବା, ଅନ୍ୟସ୍ଥାନରୁ ଆସିଥିବା ୧୪ଦିନ ମିଳିମିଶା ନ କରିବା ଓ ଥଣ୍ଡାଜାତୀୟ ରୋଗ ଦେଖାଦେଲେ ଆଶାକର୍ମୀ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଉପଦେଶ ଦେଇଥିଲେ । ଅଦ୍ୟାବଧି ଜଳେଶ୍ୱର ମ୍ୟୁନିସିପାଲଟିକୁ ଆମେରିକାରୁ୨, ବ୍ଲକ ଅଞ୍ଚଳକୁ ଆମେରିକାରୁ ୨, ଇଂଲଣ୍ଡରୁ ୧, ଦୁବାଇରୁ ୧ ଓ ବାହାରିନ୍‌ରୁ ୧ ମୋଟ ୭ଜଣ ବିଦେଶୀ ଆସିଥିବା ପଞ୍ଜିକରଣ ହୋଇଛି । ସେହିପରି ଅନ୍ୟ ରାଜ୍ୟରୁ ଜଳେଶ୍ୱରକୁ ଆସିଥିବା ୨୮୦ଜଣଙ୍କ ନାମ ପଂଜିକୃତ କରାଯାଇଥିବା ସଂପର୍କରେ ସେ କହିଥିଲେ । ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସିଡିପିଓ ଦିପ୍ତିମୟୀ ପୁଥାଳ, ପିଏଚ୍‌ଇଓ ଫକିରମୋହନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଜଳେଶ୍ୱରକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ହାତୀଗଡ ଓ ଭଟ୍ଟର ହସ୍‌ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା