ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ବାଟବଣା: ମୁଖ୍ୟମନ୍ତ୍ରୀ ଓ ଅର୍ଥ ବିଭାଗୀୟ ସଚିବଙ୍କୁ ଅଭିଯୋଗ କଲେ ସରପଞ୍ଚ

ସୋରଡା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ସୋରଡାରେ ପଞ୍ଚଦଶ ଅର୍ଥକମିସନଙ୍କ ଅନୁଦାନଙ୍କୁ ହେରଫେର କରି ମିଥ୍ୟା ବିଲ କରିଥିବା ଅଭିଯୋଗ କରିଛନ୍ତି ଗୋପାଳପୁର ଶାସନ ସରପଞ୍ଚ ଦେବରାଜ ମଲ୍ଲିକ। ସରପଞ୍ଚଙ୍କ ଅଭିଯୋଗ ପ୍ରକାରେ ସୋରଡା ବ୍ଲକ କନିଷ୍ଠ ଯନ୍ତ୍ରୀ ଏହି ଅନୁଦାନକୁ ମିଥ୍ୟା ବିଲ କରିବା ସହ ଅର୍ଥ କମିଶନଙ୍କ ଅନୁଦାନଙ୍କୁ ସୋରଡା ବିଧାୟକଙ୍କ ନାମରେ ଉଛର୍ଗ କରିଛନ୍ତି। ଏହାର ତଦନ୍ତ ପାଇଁ ଗଞ୍ଜାମ ଜିଲପାଳଙ୍କୁ ଅଭିଯୋଗ କରିଲା ପରେ ମଧ୍ୟ ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ସରପଞ୍ଚ ଗୋଟିଏ ଥର ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବା ପରେ ପୁଣିଥରେ ଚିଠି ଲେଖି ଅଭିଯୋଗ କରିଛନ୍ତି। ବର୍ତମାନ ଅର୍ଥ ବିଭାଗ ସଚିବ ସମେତ ପଞ୍ଚୟତିରାଜ ସଚିବ ଓ ୫ଟି ସଚିବଙ୍କ ମଧ୍ୟ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ଆବଶ୍ୟକ ପ୍ରମାଣ ସହ ଲିଖିତ ଅଭିଯୋଗ ପଠାଇଥିବା ଜଣାପଡିଛି। ମିଳିଥିବା ଅଭିଯୋଗ ପ୍ରକାରେ ସୋରଡା ପଂଚାନନ ସ୍ଵାମୀଙ୍କ ଶ୍ମଶାନ ପାଚେରି ପାଇଁ ୧ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ୦୮/୦୫/୨୨ ରେ କାମ ଆରମ୍ଭ ହେବା ପରେ ୧୭/୦୫/୨୨ ରେ କାମ ସାରିଥିବା ଫଳକରେ ଲେଖା ହୋଇଛି। ସବୁଠାରୁ ବିଡମ୍ବନା ହେଲା ଯେ ଏଠାରେ ପାଚେରି ନିର୍ମାଣ ପରିବର୍ତେ ଗୋଟିଏ ଘର ନିର୍ମାଣ କରାଗଲା ଏବଂ ଏହା ଶ୍ମଶାନ ଠାରୁ ବହୁ ଦୂରରେ ନିର୍ମାଣ କରାଯାଇ ଶବ ସତ୍କାର ନିମନ୍ତେ କାଠ ଯୋଗାଣ କେନ୍ଦ୍ର କରି ଦିଆଗଲା । ସୋରଡା ପଞ୍ଚାୟତ ସମିତିର କଣ ଏପରି ବିଡମ୍ବନା ହେଲା ଯେ ସ୍ଵର୍ଗଦ୍ଵାର ପାଚେରି ନିର୍ମାଣ କରିବା ପରିବର୍ତେ ସ୍ଵର୍ଗଦ୍ଵାର ଠାରୁ ପ୍ରାୟ ୩୦୦ ମିଟର ଦୂରରେ କାଠ ଘର ନିର୍ମାଣ କରିଦିଆଗଲା। ଏଠାରେ କାଠ ଘର ନିର୍ମାଣ କରିବା ପାଇଁ ଜାଗା ଦେଲା କିଏ, କଣ ଏହା ସରକାରୀ ଜାଗା ଥିଲା କି ? ବୋଲି ପ୍ରଶ୍ନ କରିଛନ୍ତି ସରପଞ୍ଚ। ଅଭିଯୋଗ ପ୍ରକାରେ ଏହି କାଠଘର ନିର୍ମାଣ ହୋଇଥିବା ଜାଗା ଦେବତୋର ବିଭାଗ ଜାଗା ବୋଲି ଏବେ ଅଭିଯୋଗ ହେଉଛି। ସବୁ ସରକାରୀ ନିର୍ଦେଶନାମାଙ୍କୁ ଜଳାଞ୍ଜଳି ଦେଇ କନିଷ୍ଠ ଜନ୍ତ୍ରୀ ମହୋଦୟ ଏଠାରେ ନିର୍ମିତ ବେଆଇନ କାଠ ଘରକୁ ସୋରଡା ବିଧାୟକଙ୍କ ବାପା ସ୍ଵର୍ଗତ ମହାଦେବ ସ୍ଵାଇଁ ଙ୍କ ସ୍ମୃତିରେ ଉଛର୍ଗ କରିଛନ୍ତି। ଅଭିଯୋଗ ହେଲା ଯେ ଗୋଟିଏ ଅର୍ଥ ଆୟୋଗର ମିଳିଥିବା ଅର୍ଥ କୁ କିପରି ଏଠାରେ ରଫଦଫା କରି ଦିଆଯାଉଛି ଏବଂ କିପରି ଏଠାରେ ତଦନ୍ତ ମଧ୍ୟ ହେଉନି ଏବଂ ଯଦି ରାଜ୍ୟ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦେଶ ଦେବେ ନାହି ତେବେ ଆଉ କିଏ ତଦନ୍ତ କରିବ ବୋଲି ପ୍ରଶ୍ନ କରିଛନ୍ତି ଏହି ପଞ୍ଚାୟତର ସରପଞ୍ଚ। ସରକାରୀ ଅର୍ଥ କୁ ସୋରଡା ବ୍ଲକ କନିଷ୍ଠ ଯନ୍ତ୍ରୀ ମାନେ କିପରି ବିଧାୟକଙ୍କ ବ୍ୟକ୍ତି ଗତ ସମ୍ପତିରେ ପରିବର୍ତନ କରୁଛନ୍ତି ଏହା ହେଉଛି ସବୁଠାରୁ ବଡ ଉଦାହରଣ ବୋଲି କହିଛନ୍ତି ସରପଞ୍ଚ। ତେବେ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ପଞ୍ଚାୟତର ସରପଞ୍ଚ ଦେବରାଜ ମଲ୍ଲିକ ରାଜ୍ୟ ଅର୍ଥ ଆୟୋଗ ସଚିବ, ପଞ୍ଚାୟତି ରାଜ ସଚିବ,୫ଟି ସଚିବ, ଗଞ୍ଜାମ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗଞ୍ଜାମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସର୍ବୋପରି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସରକାର ଯଥା ଶୀଘ୍ର ଏହାର ତଦନ୍ତ କରିବା ସହ ଦୁର୍ନୀତିରେ ଲିପ୍ତ କନିଷ୍ଠ ଯନ୍ତ୍ରୀ , ଓ ପଞ୍ଚାୟତ ସମିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ