ଦୂର ଦୃଷ୍ଟି ବିହୀନ ବନୀକରଣ କାର୍ଯ୍ୟକ୍ରମ : ଏନ୍ ଏ ସି ଲଗାଇଲା ବିଦ୍ୟୁତ୍ ବିଭାଗ କାଟିଲା

ସୋରଡ଼ା(ସମୃଦ୍ଧଓଡିଶା)ସୋରଡା ସହରରେ ବନୀକରଣ କରିବା ପାଇଁ ଏନ୍ ଏ ସି ତରଫରୁ ସହରର ବଡ଼ଦାଣ୍ଡ ସମେତ ଅନ୍ୟାନ୍ୟ ଜାଗାରେ ଅନେକ ପ୍ରକାରର ଗଛ ଲଗା ଯାଇଛି ।ବର୍ତ୍ତମାନ ସହର ମଧ୍ୟରେ ଏହି ଗଛ ସବୁ ସମସ୍ୟା ସୃଷ୍ଟି କରିବାରେ ଲାଗିଛି ।ସହର ମଧ୍ୟରେ ବନୀକରଣ କରିବା ପୂର୍ବରୁ ଏଠାରେ ବାସ କରୁଥିବା ବାସିନ୍ଦାଙ୍କ ବିଷୟରେ ଏନ୍ ଏ ସି ଚିନ୍ତା କରିବାର ଥିଲା। ଗଛ ଗୁଡ଼ିକର ବୃହତ୍ତ ଆକାର ଯୋଗୁଁ ଏବେ ସହରବାସୀ ସମସ୍ୟା ଭୋଗୁଛନ୍ତି ।ଗଛ ଗୁଡ଼ିକ ବିଦ୍ୟୁତ୍ ତାର ଏବଂ ପୋଲ ଗୁଡ଼ିକୁ ସଂପୂର୍ଣ ଘୋଡାଇ ରଖୁଥିବା ବେଳେ ବର୍ଷା ଓ ପବନରେ ବିଦ୍ୟୁତ ସର୍ଟ ହେବାର ଅନେକ ସମ୍ଭାବନା ରହିଛି । ବିଦ୍ୟୁତ୍ ପୋଲରୁ ସହରର ସମସ୍ତ ବାସିନ୍ଦାଙ୍କ ପାଇଁ ବିଦ୍ୟୁତ୍ ତାର ମଧ୍ୟ ସଂଯୋଗ ହୋଇଛି ।ଏପରି ସ୍ଥିତିରେ ଘରର ବିଦ୍ୟୁତ୍ ଗଲେ ଗଛ ମଧ୍ୟରେ ଯାଇ କାମ କରିବା ସମ୍ଭବ ହେଉନି ।ସହରର ରଥପଦା ଠାରୁ ଆଡପମଣ୍ଡପ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ବ୍ୟାପକ ଗଛ ଲଗାଯାଇଥିବା ବେଳେ ଗଛ ର ବୃହତ୍ ଆକାର ଯୋଗୁଁ ବାସଗୃହ ସମେତ ବ୍ୟବସାୟ ପ୍ରତିଷ୍ଠାନ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନ ଚାଲିଥିବା ଯୋଗୁଁ ଆଜି ବିଦ୍ୟୁତ୍ ତାର ଅତିକ୍ରମ କରିଥିବା ଓ ବିଦ୍ୟୁତ୍ ପୋଲକୁ ସଂପୂର୍ଣ ଆଚ୍ଛାଦିତ କରିଥିବା ଗଛ ସବୁ କଟାଯାଇଛି ଏବଂ ବିଦ୍ୟୁତ୍ ତାର ଉପରେ ଥିବା ଡାଳ ଗୁଡ଼ିକୁ ମଧ୍ୟ କଟା ଯାଇଛି ।ବ୍ୟାପକ ପରିମାଣରେ ବନୀକରଣ କରିଥିବା ଏନ୍ ଏ ସି ର ଦୂର ଦୃଷ୍ଟି ବିହୀନ ଯୋଜନା ପଦାରେ ପଡିଯାଇଛି। ବନୀକରଣ କରିବା ପୂର୍ବରୁ ସହରକୁ ଦୃଷ୍ଟିରେ ରଖି ଗଛ ଆଣିବାର ଥିଲା। ଏହାର ସଂପୂର୍ଣ ରିପୋର୍ଟ ଆଣିବା ପରେ ବିଦ୍ୟୁତ୍ ବିଭାଗ ସହିତ ଆଲୋଚନା କରିବାର ଥିଲା। ବିଦ୍ୟୁତ୍ ବିଭାଗ ର ଅନୁମତି ନନେଇ ଏକଚାଟିଆ ଭାବେ ମନ ଇଚ୍ଛା ଗଛ ଲଗାଇବା ଏକ ଦୂରଦୃଷ୍ଟି ବିହୀନ ଯୋଜନା ବୋଲି ଏବେ ଅଭିଯୋଗ ହୋଇଛି। ସହର ମଧ୍ୟରେ ବନୀକରଣ ନାମରେ ସୋରଡ଼ା ଏନ୍ ଏ ସି ବୋଧେ ସହର ମଧ୍ୟରେ ଜଙ୍ଗଲ ସୃଷ୍ଟି କରିବାର ଯୋଜନା ରଖିଛି ବୋଲି ଆଠ ନମ୍ବର ୱାର୍ଡ କାଉନସିଲର ଅଭିଯୋଗ କରିଛନ୍ତି ।ସୋରଡା ଏନ୍ ଏ ସି ର ବହୁ ଯୋଜନା ଦୂର ଦୃଷ୍ଟି ବିହୀନ ବୋଲି ଏଠାକାର କାଉନସିଲର ନିଜ ମତରେ ରଖିଛନ୍ତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ