ନେତାଜୀ ସାରସ୍ୱତ ମଞ୍ଚର ପଞ୍ଚଦଶ ସାମ୍ବତ୍ସରିକ ସମାରୋହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣାଞ୍ଚଳର ଅନ୍ୟତମ ମର୍ଯ୍ୟାଦାଜନକ ସାହିତ୍ୟାନୁଷ୍ଠାନ ନେତାଜୀ ସାରସ୍ୱତ ମଞ୍ଚର ପଞ୍ଚଦଶ ସାମ୍ବତ୍ସରିକ ସମାରୋହ ଗୁରୁବାର ଦିନ ସ୍ଥାନୀୟ ଉତ୍କଳ ଆଶ୍ରମ ଜାତୀୟ ଭବନ ସମ୍ମିଳନୀ କକ୍ଷରେ ଏକ ବର୍ଣ୍ଣାଢ୍ୟ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଅତିଥିଗଣ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ । ସାରସ୍ୱତ ମଞ୍ଚର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକା ସୁଶ୍ରୀ ଅମିୟବାଳା ପଟ୍ଟନାୟକ ମୁଖ୍ୟଅତିଥି ଓ ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ଧାରା ଓ ଭବିଷ୍ୟ ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ସୁଶ୍ରୀ ଅମିୟବାଳା ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଭାରତୀୟ ଜାତୀୟ ସଂଗ୍ରାମର ଅନିର୍ବାଣ ଦୀପଶିଖା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଉଲ୍ଲେଖ ପୂର୍ବକ ଜୀବନଧର୍ମୀ ଗଳ୍ପ ରଚନା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କଥାଶିଳ୍ପୀମାନେ ଏମିତି ଗଳ୍ପ ଲେଖନ୍ତୁ, ଯାହା ସର୍ବକାଳୀନ ହେବ, ସାର୍ବଜନିକ ହେବ, ଛାତିରେ ଭୂମିକମ୍ପ ସୃଷ୍ଟି କରିବ । ଲୋକ କଥିତ ଭାଷାରେ ଗଳ୍ପ ଲେଖିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ପ୍ରଶାନ୍ତ ମହାନ୍ତି ଆଧୁନିକ ମଣିଷର ଦୟନୀୟ ସ୍ଥିତି ଓ ନ୍ୟୂନମନ୍ୟତା ବିଷୟରେ ଆଲୋକପାତ କରିବା ସଂଗେ ସଂଗେ ପ୍ରତିବାଦର ସ୍ୱରକୁ ବର୍ତ୍ତମାନ ଚପେଇ ଦିଆଯାଉଥିବା ଉଲ୍ଲେଖ କରିଥିଲେ । ମଣିଷର ଅସହାୟତା ଓ ଅଵିକେକୀତ୍ୱ ସମ୍ପର୍କରେ ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ଶ୍ରୀ ମହାନ୍ତି ସୂଚାଇଥିଲେ । ଜାତିକୁ ପ୍ରଗତିଶୀଳ କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜକୁ ପ୍ରଗତିଶୀଳ କରି ଗଢ଼ି ତୋଳିବାକୁ ମୁଖ୍ୟବକ୍ତା ଆହ୍ୱାନ ଜଣାଇଥିଲେ । ଅନ୍ୟତମ ଅତିଥି ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା ତାଙ୍କ ବକ୍ତବ୍ୟରେ ଆନ୍ଦୋଳନ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ଉପସ୍ଥିତ ସାହିତ୍ୟିକମାନଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ସମାରୋହରେ ଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ୟ, କବୟିତ୍ରୀ ସୁନନ୍ଦା ମହାପାତ୍ର ଓ କଥାଶିଳ୍ପୀ ହୃଷୀକେଶ ପଟ୍ଟନାୟକଙ୍କୁ ଯଥାକ୍ରମେ ପ୍ରବନ୍ଧ, କବିତା ଓ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଉପଦେଷ୍ଟା ଡ. ବନମାଳୀ ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପଦେଷ୍ଟା ସ୍ଵର୍ଣ୍ଣପ୍ରଭା ପାଢ଼ୀ ସାରସ୍ୱତ ମଞ୍ଚର ଇତିବୃତ୍ତ ସମ୍ପର୍କରେ ପ୍ରାକ-ସୂଚନା ପ୍ରଦାନ କରିଥିଲେ । ସମ୍ପାଦକ ନଳିନୀକାନ୍ତ ଗୌଡ଼ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟତମ ଉପଦେଷ୍ଟା ଡ. କୁଳମଣି ଓଝା କାର୍ଯ୍ୟକ୍ରମର ସଂଯୋଜନା କରିବା ସଂଗେ ସଂଗେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କ୍ଷଣପ୍ରଭା ଶତପଥୀ, ଶରତ କୁମାର ଦାସ ଓ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ପ୍ରଶସ୍ତିପତ୍ର ପାଠ କରିଥିଲେ । ଶେଷରେ ଭାରତୀ କୁସୁମ ପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ନେତାଜୀ ସାରସ୍ୱତ ମଞ୍ଚର ପଞ୍ଚଦଶ ସାମ୍ବତ୍ସରିକ ସମାରୋହ ଅବସରରେ ଅପରାହ୍ଣରେ ଡା. ଚନ୍ଦ୍ରମଣି ସ୍ୱାଇଁଙ୍କ ପୌରୋହିତ୍ୟରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସାହିତ୍ୟିକ ତଥା ସ୍ତମ୍ଭକାର ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ) ଏହି ଆସରରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ କବିତା ସୃଷ୍ଟିର ଉତପ୍ରେରଣା ଓ ମହନୀୟତା ସମ୍ପର୍କରେ ଆଲୋଚନା କରିଥିଲେ । ଭାଗ୍ୟଲକ୍ଷ୍ମୀ ମହାରଣା ଓ ଶରତ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ପାଠୋତ୍ସବରେ ଭିକାରୀ ଚରଣ ମହାପାତ୍ର, ଡ. ବନମାଳୀ ପାଣିଗ୍ରାହୀ, ଡ. କୁଳମଣି ଓଝା, ପ୍ରଫୁଲ୍ଲ ଚନ୍ଦ୍ର ରାଉତ, ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ),ଭାରତୀ କୁସୁମ ପାତ୍ର, ଦେବୀପ୍ରଭା ରଥ, ସୁନନ୍ଦା ମହାପାତ୍ର, ସ୍ଵର୍ଣ୍ଣପ୍ରଭା ପାଢ଼ୀ, ଶରତ କୁମାର ଦାସ, କ୍ଷଣପ୍ରଭା ଶତପଥୀ, ଡ. ସୂଚନା ପାଢ଼ୀ, ଦୀନବନ୍ଧୁ ଶ୍ରୀପଲ୍ଲଵ, ଲୋପା ସାମଲ, ଅଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା, ପ୍ରଭାତ କୁମାର ସାହୁ, ପଦ୍ମିନୀ ମିଶ୍ର, କପିଳ ଚରଣ ମହାନ୍ତି, ବାସୁଦେବ ନାୟକ, ନଳିନୀକାନ୍ତ ଗୌଡ଼, କୃଷ୍ଣପ୍ରିୟା ଆଚାର୍ଯ୍ୟ, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ସୁଶାନ୍ତ କୁମାର ପଟ୍ଟନାୟକ, କାଳିନ୍ଦୀ ଚରଣ ନାୟକ, ପ୍ରମୋଦ କୁମାର ପଣ୍ଡା, ଭାଗ୍ୟବତୀ ପାଣିଗ୍ରାହୀ, ଶିବସୁନ୍ଦର ରଥ, ପ୍ରଫୁଲ୍ଲ କୁମାର ତ୍ରିପାଠୀ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଶେଷରେ ଦୀନବନ୍ଧୁ ଶ୍ରୀପଲ୍ଲଵ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା