ନୀତିବାଣୀ

ବେଳେବେଳେ ବଡ ବଡ ଘଟଣା କି ଅଘଟଣା ଆଖିରେ ପଡ଼େନି ସତ କିନ୍ତୁ , କେତେବେଳେ କେମିତି ଅତି ଛୋଟ କଥାଟିଏ ମଧ୍ୟ ଆମ ନଜରକୁ ଆସି ଦୃଷ୍ଟି ଆକର୍ଷଣ କରେ ଜାଣି ହୁଏନି । ଏଇ ଦେଖୁନାହାନ୍ତି …… ;
ଆମେ ଯେତେବେଳେ ନିଜର, ପିଲାମାନଙ୍କର କିମ୍ବା ଘରର କିଛି ଆବଶ୍ୟକ ଅନୁଭବ କରୁ, ସେତେବେଳେ ଆମେ ବଜାରରୁ ଟଙ୍କା ଦେଇ ସେସବୁ କିଣି ଥାଉ । ଆଉ ଅତି ଯତ୍ନ ସହକାରେ ବ୍ୟବହାର କରୁ ଓ ସେ ଜିନିଷଟିକୁ ସାଇତି ରଖିବାର ଢ଼େର ସାରା ପ୍ରୟାସ ବି କରୁ । ଯଦି ଆମେ ନିର୍ଜୀବ ବସ୍ତୁଗୁଡିକ ଯାହା କି ଅତି ସାମୟିକ, ତା’ର ଏତେ ଯତ୍ନ ନେଉଛେ, ନିଜର ଭାବୁଛେ, ନଷ୍ଟ ହୋଇଗଲେ ମନ ଖରାପ କରୁଛେ । ସେ ସ୍ଥଳରେ ଆମ ଘରର ବୋହୂ କଥା ଥରେ ଚିନ୍ତା କରିଛେ କି ? ଘରର ପୋଷା ଟମିଟିକୁ ଆମେ କେତେ ଭଲ ପାଉଛେ ସତେ ……..। ତା’ର କେତେ ଯତ୍ନ ନେଉଛେ, ଗେହ୍ଲା କରୁଛେ ନିଜର ଭାବୁଛେ । ଦେହ ଖରାପ ହେଲେ ମନ ଦୁଃଖ କରୁଛେ । ସଙ୍ଗେ ସଙ୍ଗେ ଡକ୍ଟର ଡାକି ଚିକିତ୍ସା କରୁଛେ । କ’ଣ ଟିକେ ହେଲେ କେତେ ବ୍ୟସ୍ତ ହୋଇ ପଡୁଛେ, ନୁହେଁ କି ?
କିନ୍ତୁ ……. ଘରକୁ ବୋହୂଟିଏ ଆବଶ୍ୟକତା ଅଛି ଭାବି ବହୁ ଖୋଜା ଖୋଜି କରି ଯେଉଁ ସୁନା ନାକୀ ବୋହୂଟି ନିଜ ଘରକୁ ଆଣୁଛେ, ଥରେ ତା’ କଥା ଟିକେ ଭାବିଲେ ଦେଖି ……..
କେବେ କ’ଣ ତା’ ମନକୁ ବୁଝିବାକୁ ଆମେ ଚେଷ୍ଟା କରିଛେ ? ସେ କ’ଣ ଚାହେଁ ନ ଚାହେଁ,ତା’ର କ’ଣ ଇଚ୍ଛା, ଅନିଚ୍ଛା କେବେ ଜାଣିବାକୁ ଚାହିଁଛେ କି ? ବୁଝିବାକୁ ଚେଷ୍ଟା କରିଛେ କେବେ ତା’ମନ ତଳର କଷ୍ଟକୁ, ତା’ ଦରଦୀ ହୃଦୟର ବେଦନାକୁ ? ଆମ ପୁଅ କେତେ ପାରିବାର, କେତେ ନପାରିବାର, ସେ କଥା ଆମ ଠାରୁ ଅଧିକ କେହି ଜାଣି ନ ଥିବେ । ପୁଅର ଯେତେବି ଖରାପ ପ୍ରବୃତ୍ତି ଥାଉନା କାହିଁକି, ସେସବୁ କିନ୍ତୁ ଆମ ଦୃଷ୍ଟି ଗୋଚରକୁ ଆସେ ନାହିଁ, ବୋହୂଟି ଯେତେ ଭଲ ହୋଇଥିଲେ, ମଧ୍ୟ ଆମେ କେବଳ ତା’ର ଭଲ ମନ୍ଦ ଗୁଣ ଖୋଜି ବସୁଛେ । ଦୋଷ ଦୁର୍ବଳତା ବାହୁନି ବସୁଛେ । କେବଳ ତା’ର କାହିଁକି ତା’ ବାପା ଘର ପରିବାରର ସମସ୍ତଙ୍କର ଦୋଷ ଦୁର୍ବଳତା ମଧ୍ୟ ବାହାର କରୁଛେ । ଆଉ ବିବାହ ସମୟରେ ତା’ ପରିବାରରୁ ଢ଼େର ସାରା ଜିନିଷ ଓ ଟଙ୍କା ଯୌତୁକ ହିସାବରେ ଦାବି କରୁଛେ । କେବେ କେହି ସେତେବେଳେ ଚିନ୍ତା କରିଛେ କି, ଝିଅଟିକୁ ସାନରୁ ବଡ କରି ଲାଳନପାଳନ କରିବାର ଗୁରୁ ଭାର ବହନ କରିବାରେ, ତା’ପରିବାର ଦୀର୍ଘ 20 ବର୍ଷରୁ ଉର୍ଦ୍ଧ୍ଵ କେତେ କ’ଣ କରିଥାଏ ? କେତେ ସ୍ନେହ, ଶ୍ରଦ୍ଧା ଓ ଯତ୍ନର ସହ ଅଲିଅଳରେ ବଡ କରିଥାନ୍ତି ଝିଅଟିକୁ ସେମାନେ ? ପାଠ ପଢାରେ କେତେ କେତେ ଯେ ଖର୍ଚ୍ଚ କରିଥାନ୍ତି, ଏମିତି କି ଦରକାର ପଡିଲେ ଜମିବାଡି, ଗହଣା ପର୍ଯ୍ୟନ୍ତ ବି ବିକ୍ରି କରିବାକୁ ପଛେଇ ନ ଥିବେ ନିଶ୍ଚୟ ।

କିନ୍ତୁ , ଝିଅଟି ସେ ପରିବାର ପାଇଁ ନୁହେଁ, ବେଶି ତ୍ୟାଗ କରେ ଶାଶୁଘର ପରିବାର ପାଇଁ । ସମଗ୍ର ଜୀବନଟିକୁ ଉତ୍ସର୍ଗୀକୃତ କରେ ସ୍ଵାମୀ, ଶାଶୁ , ଶଶୁର, ଦିଅର, ନଣନ୍ଦଙ୍କ ସେବାରେ । ପରିବାରଟିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ସେ କେତେ କ’ଣ କରିଥାଏ । ତା’ ଛଡ଼ା ନାରୀର ସବୁଠାରୁ ବଡ ଅବଦାନ ହେଲା, ସେ ନିଜର ରକ୍ତ ମାଂସର ସୁନ୍ଦର ପିତୁଳାଟିଏ ଦାନ କରି ଶାଶୁଘରର ବଂଶ ରକ୍ଷା କରିବାରେ ସହାୟକ ହୁଏ । ହେଲେ ପ୍ରତିବଦଳରେ କ’ଣ ପାଏ ସେ …….? କାହାଠାରୁ କେବେ କିଛି ଆଶା ନଥାଏ ତା’ର ତା’ ଶ୍ରମ କିମ୍ବା ତ୍ୟାଗର ବଦଳରେ , କେବଳ ସେ ଚାହେଁ ଟିକେ ଆତ୍ମୀୟତା …….. ସେ ଆତ୍ମୀୟତା କ’ଣ ସବୁଠି ସେ ପାଇପାରେ …….?
ତା’ ଅନ୍ତରାତ୍ମା ଚାହୁଁଥିବା ଖୁସି ମନେଇବାର ସୁଯୋଗ କ’ଣ କେବେ ମିଳିଥାଏ ତାକୁ ? ଏ ସବୁ ଭାବିଲା ବେଳକୁ ମନରେ ସମାଜ ଓ ସାମାଜିକ ପରମ୍ପରା ଉପରେ ତିକ୍ତତା ଆସେ । ଦୁଃଖ ଲାଗେ …ଘୃଣା ବି ଆସେ ବେଳେ ବେଳେ ।
ମଣିଷ ନିଜର ସୁବିଧା ଆଉ ସାମାଜିକ ବ୍ଯବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପରମ୍ପରା ଗଢିଛି, ଅଥଚ ଆଜି ସେହି ପରମ୍ପରା ମଣିଷକୁ ସମ୍ପୂର୍ଣ୍ଣ ରୂପେ କାବୁ କରି ନାଚାର କରି ରଖି ଦେଇଛି ଯେପରି ।
ଯୁଗ ବଦଳୁଛି । ଯୁଗ ସହ ତାଳ ଦେଇ ମଣିଷର ଚିନ୍ତା, ଚେତନା ଆଉ ଚଳିବାର ଢଙ୍ଗ ବି ବଦଳୁଛି ।ବଞ୍ଚିବାର ଶୈଳୀ ବଦଳି ଯାଉଛି ଦିନକୁ ଦିନ । ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ରଙ୍ଗ,ରୂପ ସବୁ କିଛି ବି ବଦଳି ଯାଉଛି ସମୟର ତାଳରେ । ତା’ ହେଲେ ନିଷ୍ଠୁର ପରମ୍ପରା ଆଉ ମଣିଷର ଅମାନୁଷିକ ଚିନ୍ତାଧାରା ବଦଳୁନି କାହିଁକି ଏ ଯାଏ ? କାହିଁକି ବଦଳୁନି ମଣିଷର ଯୌତୁକ ନେବାର ହୀନ, କୁତ୍ସିତ ତଥା ଘୃଣ୍ୟ ମାନସିକତା ?
ବୋହୂଟିକୁ ଝିଅ ପରି କାହିଁକି ଗ୍ରହଣ କରିପାରୁନି ତା’ଶାଶୂଘର ? ନିଜ ଝିଅ ପରି କାହିଁକି ତାକୁ ସ୍ନେହ, ଶ୍ରଦ୍ଧା, ମମତା ଦେଇପାରୁ ନାହାନ୍ତି ତା’ ଶାଶୂଘର ଲୋକେ ? ଯାହାକୁ ସେ ନିଜ ଘର ଠାରୁ ଅଧିକ ନିଜର ଭାବୁଛି । ସ୍ଵର୍ଗ କରି ନିଜ ହାତରେ ଗଢି ତୋଳୁଛି । ଆସୁବିଧା ରହୁଛି କେଉଁଠି…..?
ଆସନ୍ତୁ ଆଜି, ଆମେ ସମସ୍ତେ ମିଳିମିଶି ଏହି ମହତ କଥାବସ୍ତୁଟିରେ ନିଜର ଆତ୍ମ ସମୀକ୍ଷା କରିବା ସହ କଥାଟିର ଉଚିତ ତର୍ଜମା କରି ଅହେତୁକ, ଅନାବଶ୍ୟକ ତଥା ଅସୁନ୍ଦର ଏକ କୁତ୍ସିତ ଚଳଣିର ସାମାଜିକ ପରିବର୍ତ୍ତନ ଆଣିବାର ପ୍ରୟାସ କରିବା ପାଇଁ ଯତ କିଂଚିତ ଚେଷ୍ଟାଟିଏ କରିବା ନିଶ୍ଚୟ ।

                         ** ସଂଯୁକ୍ତା ରାଉତ **
                           ଜୟପୁର, କୋରାପୁଟ

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା