ନିୟମ ପାଳନରେ ହେଳା କଲେ ପୁଣି ଥରେ ଲକ୍ ଡାଉନ ଲାଗୁ ହେବ : ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି । ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ ଅନ୍‌ଲକ୍‌ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହାଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ । ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁ ଭାବରେ ବଢି ଯାଇପାରେ । ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ । ଦେଶର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡ କେସ୍‌ ବଢୁଛି । ଭୁବନେଶ୍ୱରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଇ ଓଡିଶା ଧୀରେ ଧୀରେ ଅନ୍‌ଲକ୍‌ ହେଉଛି । କିନ୍ତୁ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ । କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି । ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ହିଁ ଆମେ ତୃତୀୟ ଲହରର ତୀବ୍ରତାକୁ କମ୍‌ କରି ଦେଇ ପାରିବା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ଵିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ । ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି । ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି । କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ଵିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ । ଆମର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି । ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି । ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ । ଦ୍ଵିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ । ଜୀବନ ଅମୂଲ୍ୟ । ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ । ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ ।’

ରିପୋର୍ଟ : ନିମାଇଁ ଚରଣ ପଣ୍ଡା