‘ନିଷ୍ଟ’ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଅଶାନ୍ତି : ଆପୋଷ ଆଲୋଚନା ମାଧ୍ୟମରେ ଶାନ୍ତି ଅଣାଯାଉ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସହର ଉପକଣ୍ଠ ପାଲୁର ହିଲ୍ ଠାରେ ଥିବା ‘ନିଷ୍ଟ’ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ପରିଚାଳନା ଟ୍ରଷ୍ଟ ଓ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ କିଛି ଦିନ ହେଲା ଘୋର ବିବାଦ ଲାଗିରହିଛି । ଏହି ବିବାଦକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଓ ବାଦ୍ୟାର୍ଥୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦାବିରେ ଆନ୍ଦୋଳନରେ ସାମିଲ ରହିଥିବା କର୍ମଚାରୀମାନେ ଆଜି ମଧ୍ୟ ଧାରଣା ଜାରି ରଖିଥିବା ଜଣାପଡିଛି । ଗତ ଶନିବାର ଠାରୁ ନିଷ୍ଟ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଆରମ୍ଭ ହୋଇଥିବା ଧାରଣା ଆଜି ପ୍ରତ୍ୟାହୃତ ହେବାର ଆଶା ସଞ୍ଚାର ହୋଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନାହିଁ । ଏହା ମଧ୍ୟରେ ଆଜି ସକାଳେ ନିଷ୍ଟର ନିର୍ଦ୍ଦେଶକ ପ୍ରଫେସର ସଂଗ୍ରାମ ମୁଦାଲିଙ୍କ ପକ୍ଷରୁ ଏକ ଭିଡ଼ିଓ ବାର୍ତ୍ତା ଜାରି କରାଯାଇଥିଲା।ଏହି ଭିଡିଓ ବାର୍ତ୍ତାରେ ପ୍ରଫେସର ମୁଦାଲି ଅନୁଷ୍ଠାନରେ ଦେଖା ଦେଇଥିବା ଅସନ୍ତୋଷ ନେଇ ମହାବିଦ୍ୟାଳୟ ରୁ ବିତାଡିତ ହୋଇଥିବା ସୂଚନା ରହିଛି । କୁଳସଚିବ ନିଜର ସ୍ବାର୍ଥ ହାସଲ ନିମନ୍ତେ କେତେକ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କୁ ଭୂଲତଥ୍ୟ ଦେଇ ଅନୁଷ୍ଠାନ ପରିସରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏହା ସହ ଶନିବାର ଦିନ କେତେକ କର୍ମଚାରୀ ଜୋର ଜବରଦସ୍ତ ଅନୁଷ୍ଠାନର ଚାବି ନେଇଯାଇଥିଲେ, ଯଦ୍ୱାରା ଶ୍ରେଣୀ କୋଠରୀ ଖୋଲାଯାଇ ପାରୁନାହିଁ । ଏହା ସହ କ୍ୟାମ୍ପସ ପରିସରରେ ଥିବା ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଠିକ୍ ଭାବରେ ପିଇବା ପାଣି ମିଳୁ ନ ଥିବା ସେ ସୂଚନା ଦେବା ସହ ଧାରଣ ରେ ବସିଥିବା କର୍ମଚାରୀ ଓ ବିଦ୍ୟାର୍ଥୀ ମାନେ ତାଙ୍କ ସହ ଭିଡିଓ କନଫରେନ୍ସଗ୍ଂ ମାଧ୍ୟମରେ କଥା ହେବାକୁ ନିବେଦନ କରିଥିଲେ । ଗତ ମଙ୍ଗଳବାର ଦିନ ଅନୁଷ୍ଠାନ ଚେୟାରମେନ ଡ଼ ସୁକାନ୍ତ କୁମାର ମହାପାତ୍ର ଓ କୁଳସଚିବ କ୍ଷୀରୋଦ ମହାପାତ୍ର ପ୍ରମୁଖ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଆଜି ଅନୁଷ୍ଠାନର କର୍ମଚାରୀ, ପ୍ରଧ୍ୟାପକ ଓ ବିଦ୍ୟାର୍ଥୀ ମାନଙ୍କ ଏକ ୧୬ ଜଣିଆ ପ୍ରତିନିଧି ଦଳ ଦିନ ୧୧.୩୦ ମିନିଟ୍ ରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ଭାଅସାହେବଙ୍କ ଆଲୋଚନା କରିବା ସହ ଅନୁଷ୍ଠାନକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବା ଏବଂ ବରଖାସ୍ତ କରାଯାଇଥିବା କୁଳସଚିବଙ୍କୁ ପୁନଃ ନିଯୁକ୍ତି କରିବା ନେଇ ଦୁଇଟି ଦାବି ପତ୍ର ପ୍ରଦାନ କରାଯାଇଥିଲା। ଉପଜିଲ୍ଲାପାଳ ଶ୍ରୀ ଭାଉସାହେବ ଏ ନେଇ ଅନୁଷ୍ଠାନ ଚେୟାରମେନ ଓ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହ କର୍ମଚାରୀ ଙ୍କ ପକ୍ଷରୁ ଜାରି ରହିଥିବା ଧାରଣା ପ୍ରତ୍ୟାହୃତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ପ୍ରତିନିଧି ମାନେ ଏହା ନେଇ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିନିଧି ଦଳ ଉପଜିଲ୍ଲାପାଳ ଙ୍କୁ ଜଣାଇଥିଲେ। ଏହି ପ୍ରତିନିଧି ଦଳ ଅନୁଷ୍ଠାନରେ ପହଞ୍ଚି ଧାରଣା ବସିଥିବା କର୍ମଚାରୀମାନଙ୍କ ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ବନ୍ଦ କରାଯିବ ବୋଲି କର୍ମଚାରୀମାନେ ସ୍ଥିର କରି ଧାରଣା ଜାରି ରଖିଛନ୍ତି ବୋଲି ସୂଚନା ମିଳିଛି । ଏ ନେଇ କର୍ମଚାରୀଙ୍କ ପକ୍ଷରୁ ଇ ମେଲ୍ ଯୋଗେ ଉପଜିଲ୍ଲାପାଳ ଙ୍କ ଙ୍କୁ ଅବଗତ କରି ଦିଆ ଯାଇ ଥିବା ଆନ୍ଦୋଳନ ରେ ସାମିଲ ଥିବା କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଘଟଣା ନେଇ ନିର୍ଦେଶକ ପ୍ରଫେସର ସଂଗ୍ରାମ ମୁଦାଲିଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ କେତେକ କର୍ମଚାରୀ ଓ ବାହାର ଲୋକ ନିଜର ସ୍ବାର୍ଥ ହାସଲ ପାଇଁ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ମତାଇ ଅନୁଷ୍ଠାନ ପରିସରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଆଜି ଏନେଇ କର୍ମଚାରୀ ଓ ବିଦ୍ୟାର୍ଥୀ ଏବଂ ପ୍ରଶାସନ ସହ ଆଲୋଚନା ହୋଇଥିବାରୁ ଆଗାମୀ ଦିନରେ ଆନ୍ଦୋଳନ ଥମିଯିବା ସହ ପୂର୍ବ ପରି ମହାବିଦ୍ୟାଳୟରେ ପାଠ ପଢା ଠିକ ଠାକ୍ ହୋଇଯିବ ବୋଲି ପ୍ରକାଶ କରିଥିଲେ । ଆଜି ମହାବିଦ୍ୟାଳୟ ଚେୟାରମେନ, ଟ୍ରଷ୍ଟି ସଦସ୍ୟ, ପ୍ରଧ୍ୟାପକ ଓ କର୍ମଚାରୀମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି।।ତେବେ ଅନୁଷ୍ଠାନର ଉନ୍ନତି ତଥା ବିଦ୍ୟାର୍ଥୀଙ୍କ ଭଵିଷ୍ୟତକୁ ଆଖି ଆଗରେ ରଖି ଆପୋଷ ଆଲୋଚନା ମାଧ୍ୟମରେ ଶାନ୍ତି ବଜାୟ ରଖିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା