ନିର୍ମାଣ ଶ୍ରମିକମାନଙ୍କ ଦେଶବ୍ୟାପୀ ଆନ୍ଦୋଳନ

ରାୟଗଡା(ତୁଷାର ରଞ୍ଜନ ସାହୁ) ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନଷ୍ଟ୍ରକସନ ମଜଦୁର ମହାସଂଘର ଆହ୍ୱାନ କ୍ରମେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଙ୍ଘ ରାୟଗଡା ଜିଲ୍ଲା ତରଫରୁ ଗାନ୍ଧୀ ପାର୍କ ଠାରୁ ଏକ ଶୋଭାଯାତ୍ରା ବାହାରି ରାୟଗଡା ଶ୍ରମ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ ଏକ ପ୍ରତିବାଦ ଶୋଭାରେ ସଂଘର ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା, ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାଶ, ଜିଲ୍ଲା ସମ୍ପାଦକ ବିଷ୍ଣୁ ହୁଇକା, ଖଗେଶ୍ୱର ସିଂ ଓ କୃଷ୍ଣ ସିଂ ପ୍ରମୁଖ ଯୋଗଦାନ କରି ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ । ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ ପଡି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ସହାୟତା ରାଶି ଯଥା- ସାଇକେଲ, ଯନ୍ତ୍ରପାତି, ସେଫଟି ଇନଷ୍ଟୃମେଣ୍ଟ, ବିବାହ, ମୃତ୍ୟକାଳୀନ, ପ୍ରସବକାଳୀନ, ଚିକତ୍ସା, ଶିକ୍ଷା ସହାୟତା, ଘର ତିଆରି ସମ୍ବନ୍ଧୀୟ ଆବେଦନପତ୍ର ଗୁଡିକୁ ଯଥାଶୀଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯିବା , ପଞ୍ଜିକରଣ ନିମନ୍ତେ ପଡିରହିଥିବା ଦରଖାସ୍ତ ଗୁଡିକୁ ପଂଜିକୃତ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ଯଥାଶୀଘ୍ର କାର୍ଡ ଯୋଗାଇ ଦିଆଯିବା, ପ୍ରତି ବ୍ଲକରେ ଜଣେ ଜଣେ ଗ୍ରାମୀଣ ଶ୍ରମିକ ନିରୀକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବା, ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଜିଲ୍ଲା ଶ୍ରମ କଲ୍ୟାଣ ଅଧିକାରୀ ନିଯୁକ୍ତି ଦିଆଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ ଖାଲି ପଡିରହିଥିବା ପଦବୀ ପୂରଣ କରାଯିବା, ଜିଲ୍ଲା ସ୍ତରରେ ନିର୍ମାଣ ଶ୍ରମିକ କଲ୍ୟାଣ ଲାଗି  ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟାଳୟ ସହ ପାନୀୟ ଜଳ ଓ ପରିମଳର ବ୍ୟବସ୍ଥା କରାଯିବା, ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ ସ୍ୱତନ୍ତ୍ର ରେକର୍ଡ ରୁମ କରାଯିବା ସହିତ ଜଣେ କର୍ମଚାରୀଙ୍କୁ ଦାୟିତ୍ୱରେ ରଖାଯିବା, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ରାଜନୀତି ଠାରୁ ଦୁରେଇ ରଖାଯିବା, ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କୁ ଯେଉଁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଦିଆଯାଇଛି ସେମାନଙ୍କୁ ସେ ସମ୍ବନ୍ଧୀୟ ତାଲିମ ପ୍ରମାଣ ପତ୍ର ସହିତ ୧୫ ଦିନର ପ୍ରାପ୍ୟ ୩ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବା, ପ୍ରତ୍ୟେକ ଜିଲ୍ଲା କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟର ତଥା ୱେଲଫେୟାର କୋ-ଅଡିନେଟର ମାନଙ୍କ ନିମନ୍ତେ ଆବଶ୍ୟକୀୟ କମ୍ପୁଟର ସହିତ ଆନୁସଙ୍ଗିକ ଯନ୍ତ୍ରପାତି କମ୍ପୁଟର ଓ ପ୍ରିଣ୍ଟର ଆବଶ୍ୟକୀୟ ଅର୍ଥ ତଥା ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ ପତ୍ର ଆଦି ପ୍ରଦାନ ନିମନ୍ତେ ଦାବିକରି ଶ୍ରମ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ପାଖକୁ ଦାବିପତ୍ର ପଠାଯାଇଥିବା ପ୍ରକାଶ ।