ନିର୍ଭିକ ନରପତି ସ୍ୱର୍ଗତ ଗିରିଜା କିଙ୍କର ମହାନ୍ତିଙ୍କ ସ୍ମୃତିଚାରଣ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଷ୍ଟା ବାଲେଶ୍ୱର ଆନୁକୁଲ୍ୟରେ ଭୋଗରାଇ ମାଟିର ଅନନ୍ୟ ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଗିରିଜା କିଙ୍କର ମହାନ୍ତିଙ୍କ ସ୍ମୃତିଚାରଣ ସଭା ସଭାପତି ବାଦଲ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ ନିର୍ଭିକ, ସ୍ପଷ୍ଟ ବାଦୀ, ବନ୍ଧୁବତ୍ସଳ, ମିଷ୍ଟଭାଷୀ, ପରୋପକାରୀ, ସାରସ୍ୱତ ସାଧକ, ବିଚକ୍ଷଣ ବକ୍ତା ଏବଂ ଅସାଧାରଣ ପ୍ରତିଭାବାନ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ବୋଲି ବୈଠକରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେ ଶୈଶବରୁ କଠିନ ପରିସ୍ଥିତିର ସାମ୍ନା କରିବା ସହ କମର୍ଦ୍ଦା ହାଇସ୍କୁଲରେ ସ୍କୁଲ ଶିକ୍ଷା ଶେଷ କରି ଫକୀର ମୋହନ ମହା ବିଦ୍ୟାଳୟରେ ସ୍ନାତକ ହାସଲ ସହ ନିଜ ଗ୍ରାମ କଟିସାହି ହାଇସ୍କୁଲରେ ଶିକ୍ଷକତା କରିଥିଲେ । ପରବର୍ତ୍ତି ସମୟରେ ନିଜର ଅସମ୍ଭବ ଇଚ୍ଛାଶକ୍ତି ବଳରେ ଦୀର୍ଘ ଦିନ ଭୋଗରାଇ ଓଷ୍ଟାର ସମ୍ପାଦକ ଓ ପରେ ବାଲେଶ୍ୱର ଓଷ୍ଟାର ସଭାପତି ପଦ ମଣ୍ଡନ କରିବା ସହ ଅବସର ପରେ ଏକ ଜାତୀୟ ରାଜନୈତିକ ଦଳର ଅନ୍ୟତମ ନେତା ହୋଇଥିଲେ । କହିବାକୁ ଗଲେ ସେ ଉତ୍ତର ବାଲେଶ୍ୱରର ଜନପ୍ରିୟ ଜନନେତା ଥିଲେ । ବାଲିଆପାଳ ଘାଟୀ ଆନ୍ଦୋଳନ ଠାରୁ ବନ୍ୟା ପ୍ଳାବିତ ଭୋଗରାଇ ମାଟିରେ ଚୋଲୀ ବନ୍ଦ ଆନ୍ଦୋଳନ ପର୍ଯ୍ୟନ୍ତ ତାଙ୍କ ନେତୃତ୍ବର ପରାକାଷ୍ଠା ବାରି ହୋଇ ପଡୁଥିଲା ବୋଲି ଓଷ୍ଟାର ପୂର୍ବତନ ସଭାପତି ତଥା ଏସଟିଏଫ୍ଓର ଉପ ସଭାପତି ଇନ୍ଦୁମାଧବ ମହାନ୍ତି ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟାର ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ପ୍ରାକ୍ତନ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ବେହେରା, ପ୍ରାକ୍ତନ ଜଳେଶ୍ୱର ସମ୍ପାଦକ ଶଶାଙ୍କ ଶେଖର ମହାନ୍ତି, ପ୍ରାକ୍ତନ ଖାଉଟି ଅଦାଲତର ସଦସ୍ୟ ସୁକୁମାର ରଣା, ସ୍ୱର୍ଗତ ମହାନ୍ତିଙ୍କ ସହପାଠୀ ଶରତ ଚନ୍ଦ୍ର ପ୍ରଧାନ, ଡକ୍ଟର ଶ୍ରୀକାନ୍ତ ଚରଣ ପାତ୍ର, ଓଷ୍ଟା  ଜଳେଶ୍ୱର ସମ୍ପାଦକ ଡକ୍ଟର ଅଜିତ କୁମାର ମହାନ୍ତି, ବାଲିଆପାଳ ସମ୍ପାଦକ ବିଜୟ କୁମାର ପାତ୍ର, ରାଇବଣିଆ ସମ୍ପାଦକ ବଂଶିଧର ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପକ ଆଚାର୍ଯ୍ୟ ଆଦି ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ । କରୋନା କଟକଣା ମଧ୍ୟରେ ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ ଉକ୍ତ ଆଭାସୀ ବୈଠକ ଆହ୍ବାନ କରିଥିବା ବେଳେ ସମସ୍ତେ ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ଏବଂ ଶେଷରେ ଜିଲ୍ଲା ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା