ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲାକୁ ମାରାଥନ ଗସ୍ତ କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧଓଡିଶା)ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ଜିଲ୍ଲା ଗସ୍ତ କରିବେ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏଥିପାଇଁ ସରକାରୀସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନବୀନଙ୍କ ସରକାରୀ କାର୍ଯ୍ୟକ୍ରମରୁ ଫାଇଦା ନେବାକୁ ବିଜେଡି ପକ୍ଷରୁ ମଧ୍ୟ ରଣନୀତି ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ୨୨ବର୍ଷ ପୁରୁଣା ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ, ମୟୂରଭଞ୍ଜ ଜିଲ୍ଲାର ହଳଦିଆ ଡ୍ୟାମ୍ ଓ ନୟାଗଡ଼ର କୁସୁମୀ ବ୍ୟାରେଜ୍ ଉଦଘାଟନ ସମେତ ବର୍ଷ ବର୍ଷ ଧରି ପଡ଼ି ରହିଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପର ମଧ୍ୟ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟ ନବୀନ ଏହି ଗସ୍ତ ସମୟରେ କରିବେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ‘ଲକ୍ଷ୍ମୀ’ ବସ୍ ଯୋଜନାର ଉଦଘାଟନ ଆଳରେ ନବୀନ ମାଲକାନଗିରି, ଗଜପତି ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିସାରିଥିବାବେଳେ ଆସନ୍ତାବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାକୁ ଗସ୍ତ କରିବେ ବୋଲି ଜଣାପଡ଼ିଛି । ମଝିରେ ବିଧାନସଭାର ଶୀତ ଅଧିବେଶନ ପାଇଁ ନଭେମ୍ବର ମାସ ଶେଷ ସପ୍ତାହରେ ୮-୧୦ଦିନ କୌଣସି କାର୍ଯ୍ୟକ୍ରମ ନଥିବାବେଳେ ଡିସେମ୍ବର ଓ ଜାନୁୟାରୀ ମାସରେ ବ୍ୟାପକ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ନବୀନଙ୍କ ଜିଲ୍ଲା ଗସ୍ତବେଳେ ସାଧାରଣ ସଭା ମଧ୍ୟ ହେବ ବୋଲି ସୂଚନା ମିଳିଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତବେଳେ ନବୀନ ହଳଦିଆ ଡ୍ୟାମ ଉଦଘାଟନ କରିବା ସହ ସୁବର୍ଣ୍ଣରେଖା ଜଳସେଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଜଳସେଚନ ପ୍ରକଳ୍ପରେ ବଇସିଙ୍ଗା ଶାଖା କେନାଲରେ ୩୨୫୫୫ ହେକ୍ଟର ଜମିକୁ ଜଳସେଚନ ଓ ସୁବର୍ଣ୍ଣରେଖା ଶାଖା କେନାଲରେ ୭୩୩୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉଭୟ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାବାସୀ ଲାଭାନ୍ୱିତ ହେବେ । ମୟୂରଭଞ୍ଜ ଜିଲ୍ଲା ଗସ୍ତବେଳେ ଅନ୍ୟାନ୍ୟ ବିଭାଗର ପ୍ରକଳ୍ପ ସମେତ ଲକ୍ଷ୍ମୀ ବସ୍ ଯୋଜନାର ମଧ୍ୟ ଶୁଭାରମ୍ଭ ଏବଂ ଜନସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । ସେହିପରି ଡିସେମ୍ବର ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଏହି ଗସ୍ତବେଳେ ୨୨ବର୍ଷ ପୁରୁଣା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପ ଦୀର୍ଘବର୍ଷ ଧରି ଅଧପନ୍ତରିଆ ହୋଇ ରହିଥିଲା । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବଲାଙ୍ଗିର,ଲୋଇସିଂହା, ପୁଇଁତଳା ବ୍ଲକ ସମେତ ସୋନପୁର ଜିଲ୍ଲାର ତରଭା ବ୍ଲକର ପ୍ରାୟ ୪୦ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏହା ସହିତ ୩୨୦୨୮ ହେକ୍ଟର ମିଟର ବିଶିଷ୍ଟ ଜଳଭଣ୍ଡାରକୁ ମଧ୍ୟ ଉଦଘାଟନ କରିବେ । ଉକ୍ତ ପ୍ରକଳ୍ପ ୨୦୦୧ ନଭେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପକୁ ଉଦଘାଟନ ସହ ଲକ୍ଷ୍ମୀ ବସ୍ ଯୋଜନା ଓ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ ନବୀନ କରିବେ । ଏହାସହିତ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜାନୁୟାରୀ ୪ର୍ଥ ସପ୍ତାହରେ ନବୀନ ନୟାଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେ ଏହି ଗସ୍ତବେଳେ କୁସୁମୀ ବ୍ୟାରେଜ୍ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନୟାଗଡ଼, ଖଣ୍ଡପଡ଼ା ଓ ଭାପୁର ବ୍ଲକର ପ୍ରାୟ ୩୭୪୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ୨୦୧୯ ମସିହାରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ନବୀନଙ୍କ ଏହି ଗସ୍ତବେଳେ ସେଠାରେ ଜନସଭାକୁ ସମ୍ବୋଧିତ କରିବେ ତଥା ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନର କାର୍ଯ୍ୟକ୍ରମ ରହିଛି । ଏସବୁ ଜିଲ୍ଲା ବ୍ୟତୀତ ନବୀନ ଜାନୁୟାରୀ ଶେଷ ସୁଦ୍ଧା ସମସ୍ତ ରାଜ୍ୟର ସବୁ ଜିଲ୍ଲାକୁ ଗସ୍ତ କରି ସେଠାରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । ନବୀନଙ୍କ ସରକାରୀ ଗସ୍ତରୁ ଫାଇଦା ଉଠାଇବାକୁ ବିଜେଡି ପକ୍ଷରୁ ମଧ୍ୟ ସମାନ୍ତରାଳ ରଣନୀତି ପ୍ରସ୍ତୁତ ହୋଇଛି । ଏଥିପାଇଁ ଦଳୀୟ ବିଧାୟକମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇ ନବୀନଙ୍କ ସଭାସ୍ଥଳକୁ ଲୋକଙ୍କୁ ଆଣିବା ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟ : ରଜତ ମହାପାତ୍ର