ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ପାଇଁ ପୂରା ଦମରେ ଲାଗିଛନ୍ତି ଧର୍ମେନ୍ଦ୍ର…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ସାରା ଦେଶରେ ତୀବ୍ର ବିରୋଧ ସତ୍ୱେ ମୋଦି ସରକାର ପ୍ରଚଳନ କରିଥିବା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ପାଇଁ ପୂରା ଦମରେ ଲାଗିଛନ୍ତି କେନ୍ଦ୍ରରେ ଦୁଧିଆଳୀ ବିଭାଗ ସମ୍ଭାଳି ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପିର ରୋଡ୍‌ ସୋ ଶୋଭାଯାତ୍ରା । କଟକର କଲେଜ ଛକରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର କର୍ମୀ ଓ ନେତା। ରାଲି କଲେଜ ଛକରୁ ବାହାରି ବାଦମବାଡି ଦେଇ ଖାନନଗରରେ ପହଁଞ୍ଚିଥିଲା। ନାଗରିକତା ଆଇନ କଣ ଓ ଏଥିରେ ମୁସଲମାନ ସଂପ୍ରଦାୟ ଲୋକଙ୍କର କିପରି କ୍ଷତି ହେବନି ସେ ନେଇ ଦଳ ପ୍ରସ୍ତୁତ କରିଥିବା ଲିଫଲେଟ୍‌ ବାଣ୍ଟିଥିଲେ କର୍ମୀମାନେ । ସିଏଏ ନାଗରିକତା ନେବା ପାଇଁ ନୁହେଁ ବରଂ ଦେବା ପାଇଁ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ମହାତ୍ମା ଗାନ୍ଧିଙ୍କଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ମନମୋହନ ସିଂ ଯାହା ଚାହିଁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାହା କରିଦେଖାଇଲେ ବୋଲି ଲୋକଙ୍କୁ କହିଥିଲେ । ଶରଣାର୍ଥୀଙ୍କୁ ନାଗରିକତା ଦେବା ଯୋଗୁ ପାକିସ୍ତାନ ଓ ISIକୁ କଷ୍ଟ ହେଉଥିବା ବେଳେ କଂଗ୍ରେସକୁ ମଧ୍ୟ କଷ୍ଟ ହେଉଛି ବୋଲି କଟାକ୍ଷ କରିଥିଲେ ଧର୍ମେନ୍ଦ୍ର। ଶୋଭାଯାତ୍ରାରେ ସାମିଲ ହୋଇଥିବା ମୁସଲିମ୍ ସଂପ୍ରଦାୟର ଲୋକ ବି ନାଗରିକାତ ସଂଶୋଧନ ସପକ୍ଷରେ ଲୋକଙ୍କୁ କହିଥିଲେ ବୋଲି କୁହାଯାଉଛି । ଏପଟେ ବିଜେପି କରିଥିବା ଭୁଲକୁ ଘୋଡାଇବାକୁ ସଚେତନା ଶୋଭାଯାତ୍ରା କରୁଛି ବୋଲି ପାଲଟା ଅଭିଯୋଗ ଆଣିଛି କଂଗ୍ରେସ। ବିଜେପିର ଜନଜାଗରଣ ଅଭିଯାନ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ବୋଲି କହିଛି ବିଜେଡି । ସେହିପରି ଆଜି ନୟାଗଡରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସିଏଏ ସମର୍ଥନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସିଏଏ ସପକ୍ଷରେ ଜନମତ ସୃଷ୍ଟି ପାଇଁ ୧୦ ଦିନରେ ରାଜ୍ୟର ୧ କୋଟି ଲୋକଙ୍କ ପାଖରେ ପହଁଞ୍ଚିବାକୁ ଲକ୍ଷ୍ୟ ରଖିଛି ବିଜେପି ବୋଲି ଶୁଣିବାକୁ ମିଳିଛି ।