ନଭେମ୍ବର ୮ରୁ ଗଡିବ ଯାଜପୁର-ଖଡଗପୁର ପାସେଞ୍ଜର ଏକ୍ସପ୍ରେସ୍ ଭଡାରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋଭିଡ୍ ସଂକ୍ରମଣ କମିବା ପରେ ଜନସାଧାରଙ୍କ ଦାବିକୁ ଗୁରୁତ୍ୱ ଦେଇ ରେଳ ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି । ଦକ୍ଷିଣପୂର୍ବ ରେଳବାଇର ମୁଖ୍ୟ ଦପ୍ତର ଗାଡେନ୍‌ରିଚ୍‌ର ଚିଠି ନଂ ୨ବିଟିଟି/୬୬/୨୦୨୧ ତା ୩-୧୧-୨୧ ଅନୁଯାୟୀ ଯାଜପୁର-ଖଡଗପୁର ୬୮୧୦୯ ଓ ୬୮୧୧୦ ପାସେଞ୍ଜର ଟ୍ରେନ୍‌ଟି ୮ ତାରିଖରୁ ଚଳାଚଳ କରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ରେଳଟି ଯାଜପୁର କେଉଁଝର ରୋଡରୁ ୮ ତାରିଖ ସକାଳେ ୬.୧୦ମି.ରେ ବାହାରି ସୋର ଭଦ୍ରକ ଠାରେ ୭.୦୫, ସୋର ଠାରେ ୭.୩୭, ବାଲେଶ୍ୱରରେ ୮.୨୧ ଓ ଜଳେଶ୍ୱରରେ ୯.୦୫ରେ ପହଞ୍ଚିବ ବୋଲିସ ଜଣାଯାଇଛି । ଏହି ଗାଡିଟି ୧୧ଟା ସୁଦ୍ଧା ଖଡଗପୁରରେ ପହଞ୍ଚିବାକୁ ଥିବା ବେଳେ ୪.୧୫ରେ ଖଡଗପୁରରୁ ଫେରିବ ବୋଲି ଡେପୁଟି ଚିଫ ଅପରେଟିଂ ମେନେଜର ସଂଜୟ ସିଂ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ୫.୨୮ରେ ଜଳେଶ୍ୱର, ୬.୨୨ରେ ବାଲେଶ୍ୱର, ୭.୦୩ରେ ସୋର, ୮.୩୫ରେ ଭଦ୍ରକ ଓ ରାତି ୯.୪୦ରେ ଯାଜପୁର କେଉଁଝର ରୋଡରେ ପହଞ୍ଚିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହିଟ୍ରେନ୍‌ଟି ୩୭ଟି ରେଳ ଷ୍ଟେସନରେ ରହଣି ଥିବା ବେଳେ ଟିକଟର ବ୍ୟବସ୍ଥା ରହିଛି । କିନ୍ତୁ ଟିକଟର ମୂଲ୍ୟ ପାସେଞ୍ଜର ବଦଳରେ ଏକ୍ସପ୍ରେସ୍ ଭଡା ନିଆଯିବାର ଉଲ୍ଲେଖ ଥିବାରୁ ଏହା ଜଣାଯିବାପରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ଜଳେଶ୍ୱରସ୍ଥିତ ସମାଜକଲ୍ୟାଣ ବିକାଶ ପରିଷଦର କର୍ମକର୍ତ୍ତାମାନେ ରେଳବାଇର ଉଚ୍ଚ ପଦସ୍ତ କର୍ମକର୍ତ୍ତାଙ୍କୁ ବାରମ୍ବାର ଦାବି ଉପସ୍ଥାପନ ଓ ସାକ୍ଷାତ କରିବାପରେ ଭଦ୍ରକ-ଖଡଗପୁର ପାସେଞ୍ଜର ଟ୍ରେନ୍‌ଟି ସାଧାରଣ ଭଡାରେ ଚଳାଚଳ ଆରମ୍ଭ କରିଥିଲା । ଚାଲିବାର କିଛିଦିନ ପରେ ତାହାକୁ ଏକ୍ସପ୍ରେସ୍ ଭଡା ନେବାର ରେଳବାଇ ସିଦ୍ଧାନ୍ତ ନେଇଥିଲା । ଫଳରେ ବ୍ୟାପକ ଆନ୍ଦୋଳନର ସୂଚନା ମିଳିବା ପରେ ଏବେ ପାସେଞ୍ଜର ଭଡାରେ ଚଳାଚଳ କରୁଛି । ସେହିପରି ଜଳେଶ୍ୱର-ହାୱଡା ଓ ପଶ୍ଚିମବଙ୍ଗରେ ଚଳାଚଳ କରୁଥିବା ସମସ୍ତ ପାସେଞ୍ଜର ଟ୍ରେନ୍ ସାଧାରଣ ଭଡାରେ ଯାତାୟାତ କରୁଥିବା ବେଳେ ଓଡିଶାରୁ ଯାଉଥିବା ଯାଜପୁର-ଖଡଗପୁର ପାସେଞ୍ଜର ଟ୍ରେନ୍ ଏକ୍ସପ୍ରେସ୍ ଭଡାରେ ଚାଲିବାକୁ ଥିବାରୁ ଅସନ୍ତୋଷ କୁହୁଳୁଥିବା ଜଣାଯାଇଛି । ତେଣୁ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିନଦେଲେ ସମାଜ କଲ୍ୟାଣ ବିକାଶ ପରିଷଦ, ବଣିକ ସଂଘ, ରୋଟାରୀ କ୍ଲବ, ଲାୟନ୍ସ କ୍ଲବ, ଜଳେଶ୍ୱର ଯୁବମଂଚ, ବରିଷ୍ଠ ନାଗରିକ ମଂଚ, ବିଦ୍ୟୁତ୍ ଉପଭୋକ୍ତା ମଂଚ ପ୍ରମୁଖ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା