ଧର୍ମଂ ଶରଣମ୍ ଗଛାମୀ

ଆପଣମାନେ ନିର୍ବାଚନୀ ହିନ୍ଦୁ ଦେଖିଛନ୍ତି ? କିଛି ବ୍ୟକ୍ତି ଅଛନ୍ତି ଅନ୍ୟ ସମୟରେ ମୁସଲିମ୍,ଖ୍ରୀଷ୍ଟିଆନ ତୁଷ୍ଟିକରଣରେ ପ୍ରତିଯୋଗୀତା କରୁଥିବେ,କିନ୍ତୁ ନିର୍ବାଚନ ଆସିଗଲେ ପାଟମଠା ପିନ୍ଧି ଚିତା ତିଳକ କରି ହିନ୍ଦୁ ମନ୍ଦିରରେ ଚକ୍କର କାଟନ୍ତି,ଦେଖେଇହେବାକୁ ଯେ ସେମାନେ ମଧ୍ୟ ହିନ୍ଦୁଙ୍କର ତ୍ରାଣକର୍ତ୍ତା,ଗହ୍ମା ପୁନେରେ ମାଇଁ ମାଇଁ !କାହିଁକି ନାଁ ଭାରତଦେଶ ଯେତେ ଧର୍ମନିରପେକ୍ଷ ହେଲେ ମଧ୍ୟ ମୂଳତଃ ଏକ ହିନ୍ଦୁ ରାଷ୍ଟ୍ର।”ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ” ଭଳି ଏହା ଗୋଟିଏ ଗପ ମନେ ପକାଇଦିଏ,”ନୀଳବର୍ଣ୍ଣ ଶୃଗାଳ”କଥା । ଯୋଉଥିରେ ଶୃଗାଳଟିଏ ସୌଭାଗ୍ୟ ହେଉ ବା ଦୁର୍ଭାଗ୍ୟକୁ ଜଣେ ଧୋବାର ନୀଳ କୁଣ୍ଡରେ ପଡି ନୀଳବର୍ଣ୍ଣ ହୋଇଯାଇଥିଲା,ସେଇ ବର୍ଣ୍ଣର ଫାଇଦା ଉଠାଇବାକୁ ଯାଇ ଶୃଗାଳଟି ବଣର ରାଜା ସିଂହଠାରୁ ମଧ୍ୟ ଵଳଵାନ ଓ ଶ୍ରେଷ୍ଠ ବୋଲି ନିଜକୁ ଦର୍ଶାଇଲା ଏଵଂ ସେ ମଉକାରେ ଵଣର ରାଜା ହୋଇଗଲା । କିଛି ଦିନ ଚାଲିଗଲା ନୂଆ ରାଜାଙ୍କ ଶାସନରେ, ଦିନେ ଅନ୍ୟ ବିଲୁଆ(ଶୃଗାଳ)ମାନେ ହୁକେ ହୋ ରଡ଼ି ଛାଡ଼ିଲାବେଳେ ରାଜା ଶୃଗାଳ ସମ୍ଭାଳି ନ ପାରି ନିଜେ ରଡ଼ି ଛାଡିଲା। ନୀଳବର୍ଣ୍ଣର ବିଚିତ୍ର ଜୀବଟି ଯେପ୍ରକୃତରେ ଏକଶୃଗାଳ ଏକଥା ଜଣା ପଡ଼ିବାପରେ ପୂର୍ଵତନ ରାଜା ସିଂହ ଶୃଗାଳକୁ ଵଧକରି ନିଜେ ରାଜା ହୋଇଥିଲା। ନିଜ ଲୋଭର ଫଳ ପାଇଲା,ଏଣେ ପୁଅ ମୁଣ୍ଡକୁ ଲୋଭ, ତେଣେ ତେଲ ଘଡିକି ଲୋଭ !ଯିଏ ନିଜେ ଯାହା ନୁହେଁ ସେଭଳି ଦେଖାଇ ହେବାର ଫଳ ଯେ ଭୟାବହ ଆମେ ଏଥିରୁ ଏହି ଶିକ୍ଷା ପାଇଲେ । ଏବେ ଆମ ଦେଶରେ ଠିକ୍ ଏହିଭଳି କିଛି ଘଟଣା ଘଟୁଛି,ଆପଣମାନେ ଲକ୍ଷ୍ୟକରୁ ଥିବେ। ଦୀର୍ଘ ୫୦୦ବର୍ଷର ପ୍ରତୀକ୍ଷାପରେ ଅଯୋଧ୍ୟାରେ ରାମଜନ୍ମଭୂମି ସ୍ଥଳରେ ରାମଲାଲାଙ୍କ ରମଣୀୟ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହେଲା ଭବ୍ୟ ମନ୍ଦିରରେ।ସଵୁ ବିରୋଧୀଦଳଙ୍କୁ ଏଥିପାଇଁ ନିମନ୍ତ୍ରଣ କରା ଯାଇଥିଲେ ମଧ୍ୟ ଏହା ବିଜେପି/ଆରଏସଏସର ପ୍ରାୟୋଜିତ ଉତ୍ସବ କହି ସମସ୍ତ ବିରୋଧୀଦଳ ତା’କୁ ବର୍ଜ୍ଜନ କଲେ।ସେମାନେ ପୁଣି କହୁଛନ୍ତି ଯେ ପ୍ରଭୁଶ୍ରୀରାମ କୌଣସି ଦଳର ହୋଇ ନପାରନ୍ତି,ସିଏ ସମସ୍ତଙ୍କର,କଥା ଯଦି ଏମିତି ତାହେଲେ ତମର ଅଯୋଧ୍ୟା ଯିବାରେ ଅସୁବିଧା କୋଉଠି ? ତା’ପରେ ମୋ ମତରେ ଗୋଟେ ବଡ଼ ସୁଯୋଗ ହରାଇଦେଲେ ବିରୋଧୀଦଳମାନେ ଯାହା ଅଣ ଲେଉଟା ! କିଛି ତଥାକଥିତ ଦଳମାନେ ଅତୀତରେ ଯାହା ଗୁରୁଚଣ୍ଡାଳ ଭୁଲ/ଦୋଷ କରିଥିଲେ,ଅନ୍ତତଃ ସେ ସବୁର ପ୍ରାୟଶ୍ଚିତ ତ କରି ପାରିଥାନ୍ତେ !ମାତ୍ର ସେ ସୁଯୋଗ ମଧ୍ୟ ଗଲା।ସିଏ ତ ଯା଼ହା ହେଲା,ହେଲା,ପୁଅ ମୁଣ୍ଡକୁ ଲୋଭ ସାଙ୍ଗକୁ ତେଲ ଘଡିକି ମଧ୍ୟ ଲୋଭ।ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବାକୁ ସିନା ମନା କରି ଦେଲେ,ହେଲେ ଚିନ୍ତା କଲେ ଭାରତଭଳି ହିନ୍ଦୁବହୁଳ ଦେଶରେ ହିନ୍ଦୁଦ୍ରୋହୀ ହୋଇ ଚଳିବା ପୁଣି ଆଗକୁ ନିର୍ବାଚନ ଅଛି,ଖଣ୍ଡା ଧାରରେ ଚାଲିବା ଭଳି କଥା।ତେଣୁ କ’ଣ କଲେ,ଏକା ପ୍ରକାର ବିଜେପି ରାସ୍ତା ଆପଣାଇଲେ,ସାରାଜୀବନ ଧର୍ମ ନିରପେକ୍ଷ ନାଁରେ ତୁଷ୍ଟିକରଣ କରି ଆସିଲେ,ଏଵେ ଟିକିଏ ପରୋକ୍ଷରେ ହେଉ ହିନ୍ଦୁ ତୁଷ୍ଟିକରଣ କଲେ କ୍ଷତିକ’ଣ ? ତେଣୁ ଠିକ୍ଏକା ଭଳି ସଵୁ ଦଳ ନିଜ ନିଜ ସ୍ଥାନରେ ହିନ୍ଦୁ ମନ୍ଦିର ପରିଦର୍ଶନ, ପୂଜାର୍ଚ୍ଚନା, ସଫେଇ ଆଦି କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇଛନ୍ତି!ଦେଖେଇ ହେଵେ, ହିନ୍ଦୁ ପ୍ରେମୀ ଭାବେ ଆମେ ବିଜେପିଠୁ କୌଣସି ଗୁଣରେ କମ୍ ନୋହୁଁ । ପଶ୍ଚିମବଙ୍ଗରେ ମମତା ଦିଦି ସେଇ ଏକା ଦିନ,୨୨ ଜାନୁଆରୀ, ଅଯୋଧ୍ୟା ଶ୍ରୀରାମ ମନ୍ଦିର ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସଂହତି ଯାତ୍ରା ଆରମ୍ଭ କରିଥିଲେ ଯାହା ଦକ୍ଷିଣ କାଳୀ ମନ୍ଦିରରେ ପୂଜାର୍ଚ୍ଚନା ସହିତ ସମାପ୍ତିର ପ୍ରସ୍ତାବ ଥିଲା।ହିନ୍ଦୁ ଉତ୍ସବକୁ ଯିବନିଯଦି ପୁଣି ସେଇ ହିନ୍ଦୁ ମନ୍ଦିରରେ କାର୍ଯ୍ୟକ୍ରମ ସମାପ୍ତିର ପ୍ରସ୍ତାବ ରଖିଲ କାହିଁକି,କୋଉ ମସଜିଦ୍ କିମ୍ବା ଚର୍ଚ୍ଚରେ ରଖିଲନି।ଅବଶ୍ୟ ଠିକ୍ କଥା,ସେମିତିହେଲେ ଛଦ୍ମ ହିନ୍ଦୁପ୍ରେମ ଦେଖାଇହେବନି ! ତମ ରାଜ୍ୟ,ତମ ଶାସନ, ଆମର ସେଥିରେ କିଛି କହିବାର ନାହିଁ,ହିନ୍ଦୁଙ୍କୁ ଛାଡିଦେଲେ ଚଲଵେ ନାଁ । ତାଙ୍କ ରାଜ୍ୟ,ମୁଖିଆ ସିଏ,ତେଣୁ ତାଙ୍କ ରାଲି ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ସିଏ ଦାୟୀ ନୁହନ୍ତି ! ଇଣ୍ଡିଆ ମେଣ୍ଟରୁ ଆ ବା Aଟା କେବେଠୁ ଉଡ଼ି ଗଲାଣି,ଆଉ ୪ଟାରୁ କେତେବେଳେ ଆଉ କୋଉଟା ଉଡିଯିବ ସେକଥା କିଏ କହିବ ? ଆସନ୍ତା ଲୋକସଭା ନିର୍ଵାଚନରେ ୨ଟି ମାତ୍ର ଆସନ କଂଗ୍ରେସକୁ ଛାଡ଼ିବାକୁ କହିବାରୁ ସେଇଠି କଥାବାର୍ତ୍ତା ଅଟକି ଯାଇଛି । ପୁନଶ୍ଚ ବାମଦଳ ପଛଦ୍ଵାର ଦେଇ ମେଣ୍ଟରେ କର୍ତ୍ତୃତ୍ତ୍ୱ ଜାହିର କରିବା କଥାଟି ଟିଏମସି ଅଭିଯୋଗ କରିଛି।ସଦ୍ୟତମ ଖବରହେଲା ମେଣ୍ଟକୁ ବାଏ କହି ତୃଣମୂଳ ପଶ୍ଚିମବଙ୍ଗରେ ଏକାକୀ ଲଢିବ ଲୋକସଭା ନିର୍ଵାଚନ ।ଏକଥାରେ ଆପର ସୌରଭ ଭରଦ୍ଵାଜ କହିଛନ୍ତି,ମେଣ୍ଟରେ ସଵୁ ଠିକ୍ ଅଛି,ସିଆଡେ ପଞ୍ଜାବରେ ଆପ୍ ଏକା ଲଢିବ ଘୋଷଣା କରିଛି ।ଅନ୍ୟକୁ ଉପଦେଶ ଦେବା ସହଜ !ଆଉ ଗୋଟେ କଥା ସ୍ବପ୍ନ ଦେଖିବାକୁ ସମସ୍ତଙ୍କର ହକ୍ ଅଛି ! ଅଯୋଧ୍ୟା ଯିବାକୁ ସିନା ମନାକଲେ କେଜ୍ରିୱାଲ,ହେଲେ ଦିଲ୍ଲୀରେ ୨୨ଜାନୁଆରୀରୁ ୨୬୦୦ସ୍ଥାନରେ ସୁନ୍ଦରାକାଣ୍ଡ ପାରାୟଣ,ହନୁମାନ ଚାଳିଶାପାଠର ଆୟୋଜନ କରିଥିଲେ ପ୍ରସାଦ ସେଵନ ସହିତ।ଏ ପ୍ରସାଦ ନ ରହିଲେ ସେ ପ୍ରସାଦ ଦୁଷ୍ପ୍ରାପ୍ୟ ହୋଇଯିବ ଯେ !ପୁଣି ପ୍ରତିମାସ ପ୍ରଥମ ମଙ୍ଗଳବାର ଦିଲ୍ଲୀରେ ଏସଵୁକାର୍ଯ୍ୟକ୍ରମ ପାଳନହେବ,କାରଣ ବିଜେପିକୁ ମାତ୍ ଦେବାକୁ ହେବ ଯେ,ତେଣୁ ସେଇ ହିନ୍ଦୁତ୍ୱ କାର୍ଡ ହିଁ କାମଦେବ, କଣ୍ଟାକୁ କଣ୍ଟାରେ କଢା ଯାଏ ନାଁ !ଅନ୍ୟଵେଳେ ତୁଷ୍ଟିକରଣ ନକଲେ ନଚଳେ।ସଵୁଵେଳେ ଏପ୍ରହସନ କରିବାକ’ଣ ସରକାରୀ କାର୍ଯ୍ୟର ଅନ୍ତର୍ଭୁକ୍ତ,ତା’ପୁଣି ସରକାରୀ ପଇସାରେ ?ସିଆଡେ ମେଣ୍ଟର ଖମ୍ବକୁ ଯେତେ ଭଲ କରି ପୋତି ଥିଲେ ମଧ୍ୟ ପୁଣି ଦୋହଲୁଛି !ଏସଵୁ ଦେଖି କିଛି ବିରୋଧୀଦଳ କହୁଛନ୍ତି,ଇଏ ତ ସେଇ ବିଜେପି ଲାଇନରେ ଚାଲୁଛନ୍ତି,ହନୁ ମଲାବେଳେ ସତ କହିଥିଲା ମହାରାଷ୍ଟ୍ରର ଅଗାଡି(ଅଘାଡି)ର ଉଦ୍ଧବ ଗୋଷ୍ଠୀ ଅଯୋଧ୍ୟା ନଯାଇ ସେଇ ୨୨ରେ ନାସିକର କାଲାରାମ(ପ୍ରକୃତରେ କାଳରାମ-କାରଣ ପ୍ରଭୁ ଶ୍ରୀରାମ ପଞ୍ଚବଟୀ, ନାସିକରେଗୋଟିଏ ଦିନରେ ୧୪,୦୦୦ ଅସୁରଙ୍କୁ ଵଧକରି ଅସୁରଙ୍କର କାଳ ପାଲଟି ଯାଇଥିଲେ) ମନ୍ଦିରରେ ପୂଜାର୍ଚ୍ଚନା କରିବାର ଘୋଷଣା କରିଥିଲେ । ମାତ୍ର ସିଏ କ’ଣ ଆଉ ଜାଣିଥିଲେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କଠାରୁ କଳାହରଣ କଲାଭଳି ୧୨ ଜାନୁଆରୀରେ କାଲାରାମ ମନ୍ଦିର ରେ ସଫେଇ,ଭଜନ ଶ୍ରଵଣ ଓ ପୂଜାର୍ଚ୍ଚନାକରି ତାଙ୍କପୂର୍ବରୁ ମୋଦୀ ଶ୍ରେୟ ନେଇଯିବେ ବୋଲି । ପ୍ରଣିଧାନର ବିଷୟ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ଯଜମାନହୋଇ ଥିବାରୁ ମୋଦୀ ୧୧ଦିନିଆ ଅନୁଷ୍ଠାନ(ଅତି କଷ୍ଟକର ଯମ ନିୟମ)ପାଳନର ପ୍ରଥମ ଦିନ ୧୨ ଜାନୁ ଆରୀ ୨୦୨୪ରେ କାଲାରାମ ମନ୍ଦିରରେ ସେଵାକରି ଜନତାର ହୃଦୟ ଜିତି ନେଇଥିଲେ।ଏହାପରେ ମୋଦୀ ଦକ୍ଷିଣର ୪ଟିରାଜ୍ୟର ମୋଟ ୭ଟିମନ୍ଦିର(ପ୍ରଭୁଶ୍ରୀରାମଙ୍କ ସହିତ ଓତଃପ୍ରୋତଭାବେ ଜଡ଼ିତ)ରେ ପୁଜାର୍ଚ୍ଚନା,ଭଜନ,କୀର୍ତ୍ତନ,ବିଧି ମୁତାବକ ପବିତ୍ର ସ୍ନାନ(ରାମେଶ୍ଵରର ରାମନାଥ ସ୍ବାମୀ ମନ୍ଦିରର ୨୨ଟି ପବିତ୍ର କୂପ ଜଳରେ)ଓ ଧନୁଷ୍କୋଡି (ଦକ୍ଷିଣର ପ୍ରାନ୍ତ ବିନ୍ଦୁ ଯୋଉଠୁ ପ୍ରଭୁ ଶ୍ରୀରାମଙ୍କ ରାମସେତୁ ଲଙ୍କା ପର୍ଯ୍ୟନ୍ତ ଲମ୍ବିଥିଲା)ର କୋଦଣ୍ଡ ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନାନ୍ତେ ଆଶୀର୍ବାଦ ଲାଭକରି ୨୨ତାରିଖରେ ଅଯୋଧ୍ୟା ପହଞ୍ଚିଥିଲେ ଯଜମାନୀ କରିବା ସକାଶେ ।ଉତ୍ତର ପ୍ରଦେଶରେ ମାୟାବତୀ ମୂଳରୁ ମେଣ୍ଟରେ ନାହାଁନ୍ତି,ଅଖିଳେଶ,ନୀତିଶ ଓ କେଜ୍ରିୱାଲ ମେଣ୍ଟରୁ ଧୀରେ ଧୀରେ ଅପସରି ଗଲାଭଳି ଅଵସ୍ଥା।ଜାମ୍ମୁକାଶ୍ମୀରର ନେତାଙ୍କ ପରିସ୍ଥିତି ନ କହିଲେ ଭଲ,ରୋଷନୀ ଆକ୍ଟ ନାମରେ ସମଗ୍ର ଶାସକବର୍ଗ ପ୍ରମୁଖ ସ୍ଥାନରେ ମୂଲ୍ୟବାନ ଜମି ଶାଗମାଛ ଦରରେ ପ୍ରଚୁର ମାତ୍ରାରେ ଯୋଗାଡ଼ କରିଥିଲେ।ସଦ୍ୟ ସମ୍ବାଦ ଅନୁଯାୟୀ ବର୍ତ୍ତମାନର ପ୍ରଶାସନ ଜମିଜମାର ବନ୍ଦୋବସ୍ତ ଆଳରେ ଅଦ୍ୟାବଧି ୨ଲକ୍ଷଏକର ମୂଲ୍ୟବାନଜମି ଉଦ୍ଧାରକରିସାରିଲେଣି,ଯାହାର ଫଳସ୍ବରୂପ ମେହେବୁବା,ଓମାର ଅବଦୁଲା ପ୍ରଭୃତି ଦିଲ୍ଲୀରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।ଏମାନେ ନିଜ ରାଜ୍ୟରେ ଅପାଙ୍କ୍ତେୟ ! ଯୋଉ ଦକ୍ଷିଣ ରାଜ୍ୟ,କେରଳର କେକେ ନାୟାରଙ୍କ ବିନା ଆଜିର ରାମ ମନ୍ଦିର ସମ୍ଭବ ନଥିଲା ଏବଂ ତାମିଲନାଡୁର କେ ପରାଶରନଙ୍କର ଦୃଢ ଯୁକ୍ତି ବଳରେ ସର୍ଵୋଚ୍ଚ ନ୍ୟାୟାଳୟର ମାନ୍ୟବର ଜଜମାନେ ରାମ ମନ୍ଦିର ସପକ୍ଷରେ ରାୟ ଦେବାକୁ ବାଧ୍ୟ ହୋଇ ଥିଲେ ସେହି ଦକ୍ଷିଣ ରାଜ୍ୟରେ ୨୨ ଜାନୁଆରୀରେ ଟିଭିରେ କେହି ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିପାରିବେ ନାହିଁ ଓ ନିଜ ନିଜ ଘରେ କୌଣସିପ୍ରକାର ଉତ୍ସବ ପାଳନ କରିପାରିବେ ନାହିଁ ଅଲିଖିତ ଫତୁଆ ଜାରି ଏକ ଦୁଃଖଦାୟକ ପ୍ରସଙ୍ଗ ନିଶ୍ଚୟ। ସନାତନ ଧର୍ମ ବିରୁଦ୍ଧରେ ନିହାତି ଅଶୋଭନୀୟ ମନ୍ତବ୍ୟ ଦେଇଥିବା ତାମିଲନାଡୁ ଯୁବରାଜ ଉଦୟ ରାଜ ଷ୍ଟାଲିନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାପ୍ରସ୍ତାବ କେତେଦୂର ଯୁକ୍ତିଯୁକ୍ତ, ତାହା ଭବିଷ୍ୟତରେ ପ୍ରଶ୍ନବାଚୀ ସୃଷ୍ଟି ନକରିବ କିଏ କହିବ ?ପାୱାର,ଲାଲୁ,ଅଖିଳେଶ କହିଛନ୍ତି ପରେ ସୁବିଧା ଦେଖି ଅଯୋଧ୍ୟା ଯାଇ ବାଲକରାମଙ୍କୁ ଦର୍ଶନ କରି ଆସିବେ,ସେତେବେଳକୁ ବାଲକରାମ ହୋଇଯାଇଥିବେ,ଇଣ୍ଡିଆରାମ,ଵିରୋଧୀ ଏକତାର ପ୍ରତୀକ ! ରାହୁଲ ଗାନ୍ଧୀ ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ କରିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମରେ ପହଞ୍ଚି ୨୨ତାରିଖରେ ଶଙ୍କରଦେବ ମଠରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ଥିଲା, ମାତ୍ର ସେହିଦିନ ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟ ପାଳନ କରୁଥିଲେ ଆସାମ ବାସୀ। ସେଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ମୁଖ୍ୟମନ୍ତ୍ରୀ ବିଶ୍ଵ ଶର୍ମା କଂଗ୍ରେସକୁ ମନ୍ଦିର ପ୍ରବେଶର ଅନୁମତି ଦେଇନଥିଲେ।ରାହୁଲଙ୍କ ନେତୃତ୍ବରେ କର୍ମୀମାନେ ପୋଲିସ ଵାରିକେଡ୍ ଭଙ୍ଗାରୁଜା କରିଥିଲେ,ଏଣେ ରାହୁଲ ଗାନ୍ଧୀ କହିଛନ୍ତି ଆମେ କେଵେ ବିଶୃଙ୍ଖଳା କରିବୁ ନାହିଁ,ଏହାର ଅର୍ଥ କ’ଣ ? ପୁଣି ହେମନ୍ତ ବିଶ୍ଵଶର୍ମାଙ୍କୁ ସବୁଠୁ ବେଶୀ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ କହିବାକୁ ପଛେଇ ନାହାଁନ୍ତି ରାହୁଲ।ରାହୁଲଙ୍କ ଏତାଦୃଶ କାର୍ଯ୍ୟରେ ବିଶ୍ଵଶର୍ମା ରାହୁଲ ସମେତ କଂଗ୍ରେସର କିଛି ଛାମୁଆଁ ନେତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇ ମକଦ୍ଦମା ରୁଜ୍ଜୁ କରିବାକୁ ପୋଲିସକୁ କହିଛନ୍ତି।ପୁଣି ମେଣ୍ଟର ଏକ ପ୍ରମୁଖ ଅଂଶୀଦାର ହେଲେ ମଧ୍ୟ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମ୍ବନ୍ଧରେ ତୃଣମୂଳକୁ ବିଦ୍ଧିଵଧ ସୂଚନା ନଦେବା ହେତୁରୁ ୨୫ଜାନୁଆରୀରେ ପଶ୍ଚିମବଙ୍ଗରେ ପ୍ରବେଶ କରୁଥିବା ଏହି ଯାତ୍ରାରେ ତୃଣମୂଳ ସାମିଲହେବନାହିଁ ଏକଥା ମମତା ସ୍ପଷ୍ଟ କରିଦେଇଛନ୍ତି।ତମ ନିଜ ଭିତରେ ତ ତାଳମେଳ ନାହିଁ ତମେ ମେଣ୍ଟଧର୍ମ କ’ଣ ନିଭାଇବ ?ଏଇଠି କଥାଟିଏ, ରାମ ମନ୍ଦିର ଯଦି ବିଜେପିର କାର୍ଯ୍ୟକ୍ରମ,ହିନ୍ଦୁଧର୍ମ ଯଦି ଵିରୋଧୀଙ୍କୁ ଗନ୍ଧାଉଛି ତାହେଲେ ସେଇ ଏକାଦିନରେ ତମର ଶଙ୍କର ଦେଵ ମଠରେ ପୂଜାର୍ଚ୍ଚନାର ଅର୍ଥ କ’ଣ !ଅଜାଣତରେ ତମେ ବିଜେପିର ପଦାଙ୍କ ଅନୁସରଣ କରୁନ ତ ! ସର୍ବୋପରି ଵିରୋଧୀ ଦଳମାନଙ୍କର,ନୀତି,ନିୟମ,ନିୟତ କିଛି ଠିକ୍ ନାହିଁ,ଏକ ମାତ୍ର ଲକ୍ଷ୍ୟ ମୋଦୀ/ବିଜେପିକୁ ହରାଇବା।ସେମାନଙ୍କମଧ୍ୟରେ ନୀତିଗତ ଆଦର୍ଶ ତ ମୂଳରୁ ନଥିଲା,ମୂଳଦୁଆ ସଠିକ୍ ନଥିବା ଘରର ଅବସ୍ଥା ଆପଣମାନେ ଜାଣିଥିବେ।ତା’ପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଭବ୍ୟ ଉତ୍ସବପରେ ବିଜେପି ମେଣ୍ଟ ୪୦୦ ଆସନ ହାତେଇ ପାରିବ ବୋଲି ବିଭିନ୍ନ ରେଟିଙ୍ଗ ସଂସ୍ଥାର ଆକଳନପରେ ବିରୋଧୀ ମେଣ୍ଟ ୨୦୨୪ନିର୍ଵାଚନ ପର୍ଯ୍ୟନ୍ତ ତିଷ୍ଠିପାରିବ କି ନାହିଁ ସେଥିରେ ସନ୍ଦେହ ଦେଖାଗଲାଣି।୭ମାସ ପରେ ଇଣ୍ଡିଆ ମେଣ୍ଟର ଟଳମଟଳ ଅବସ୍ଥା।କୋଉଦିନ ଇଣ୍ଡିଆ ସ୍ଥାନରେ କେବଳ NDA ଥିବ ଦେଖିବାକୁ ବାକି ରହିଲା ଛେଳି ଗୋଡ଼ରେ ଯଦି ଧାନ ଅମଳ ହେଉଥାନ୍ତା ବଳଦର ଆବଶ୍ୟକତା କ’ଣ ?
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯