ଦୂର ବାଦଲ ଦେଶ…

ଯେତେବେଳେ ଆକାଶରେ ପୁନେଇଁ ଜହ୍ନ ଖିଲିଖିଲି ହସୁଥାଏ ତାରାମାନଙ୍କ ସହ ଲୁଚକାଳି ଖେଳ ଖେଳୁ ଖେଳୁ ସେତେବେଳେ ଉର୍ମିର ମନ ପାଗଳହୁଏ ହୃଦୟରେ ତାର ଯୁଆରିଆ ଢେଉ ଉଠେ । ଅସ୍ତବ୍ୟସ୍ତ କରିପକାଏ ତାକୁ । ସାଇତା ରଖିଥିବା ସ୍ମୃତିଫରୁଆରୁ ଝରିପଡେ ରେଣୁ ରେଣୁ ସ୍ମୃତିଫୁଲ । ଆଖିର କବାଟ ଖୋଲି ବହିଆସେ ଅଶ୍ରୁର ପ୍ଲାବନ।ନୀଳ ଆକାଶର କୋଳେ କୋଉ ଅଜଣା ଦେଶରେ କୋଉଠି ତା ଜୀବନ ଧନ ହଜି ଯାଇଛି । ସେଇ ଜହ୍ନ ତାରାଙ୍କ ଭିତରେ ସେ ଖୋଜି ବୁଲେ ତାକୁ । ଆଦ୍ୟ ଜୀବନର ପହଲି କଳିକା ହେଇ ଫୁଟିଥିଲା ତା ଜୀବନରେ । ତା ଆଗମନରେ ମାତୃତ୍ବର ସୁଖ ଉପଭୋଗ କରିଥିଲା ସିଏ । କୁନିକୁନି ପାଟିରେ ପାକୁ ପାକୁ କରି ଦୁଧ ଚୁସୁଥିଲା । ଜୁଳୁଜୁଳୁ କରି ଚାହୁଁଥିଲା ବେଳେବେଳେ । ଲବଣୀ ପିତୁଳାପରି ତନୁ।ଗୋରା ଦେହକୁ ଗଦାଏ କଳା ମିଶିମିଶି ବାଳ । ନାଲି ଟୁକୁ ଟୁକୁ ଓଠ ଦୁଇଟା ଗୋଲାପ ପାଖୁଡାପରି ଦେଖା ଯାଉଥିଲା । ମମତାର ଅମୃତରେ ଭିଜି ଯାଉଥିଲା ତାର ଜୀବନ । ଯେତେ ଯେତେ ବଡହେଲା ତା ବଦମାସିରେ ଘର ସେତିକି କୋଳାହଳ ମୁଖରିତ ହେଇ ଉଠିଲା । ଯେବେ ପାଠ ପଢିବାକୁ ସ୍କୁଲ ଗଲା ସେଠି ବି ଭଲ ପଢିଲା । ସବୁ ପାଠରେ ଶୀର୍ଷ ସ୍ଥାନ ରଖୁ ରଖୁ ସରକାରଙ୍କ ତରଫରୁ ବଛାହେଇ ବିଦେଶଗଲା ପଢିବାକୁ । ଯେଉଁଦିନ ପ୍ରଥମ କରି ଉଡାଯାହାଜରେ ବସି ଦେଶ ଛାଡିଲା ସେଦିନ ମାଆର ମନରେ ଯେତିକି ଉତ୍ସାହ ଥିଲା ସେତିକି ନିରାଶାଭାବ ବି ଘେରି ରଖିଥିଲା ତାକୁ । ତାର ଆଦରର ଧନକୁ ସେ ହଜାଇ ଦେବନିତ ଏଇ ଦୂର ବାଦଲର ଦେଶରେ କୋଉଠି ? ପ୍ରଥମ କେତେଦିନ ରିତିମତ ଖବର ଆସୁଥିଲା । ଚିଠିରେ ସେ ତାର ସବିଶେଷ ଖବର ଲେଖି ଜଣାଉ ଥିଲା । ଖାଇବା ପିଇବା ସବୁ ଅଲଗା ହେଲେବି ସେ ଖାପ ଖୁଆଇ ଚଳିଯାଉଛି ସେଠି।ମାଆଙ୍କ କମି ସେ ବହୁତ ଅନୁଭବ କରୁଛି ବୋଲି କହୁଥିଲା । ତାପରେ ତାର ଏଞ୍ଜେଲିନା ସହ ବନ୍ଧୁତା ହେବାର କଥାବି ଲେଖୁଥିଲା । ହେଲେ ତାପରେ ଆଉ ତାର କିଛି ଖବର ଆସୁନି । ବାପା ସୁବ୍ରତ ପୁତ୍ର ବିୟୋଗରେ ଚାଲିଗଲେ ବିନା ପୁଅର ମୁଖଦର୍ଶନ କରି । ସେ ଅପେକ୍ଷା କରିଛି ଯଦି କେବେ ପୁଅର ମାଆ କଥା ମନେ ପଡିବ ଓ ସେ ପୁଣି ଫେରିବ ମାଆ ପାଖକୁ । ସେ ଥରେମାତ୍ର ତାର ଦର୍ଶନ ଅଭିଳାଷୀ । ଆଉ କିଛି ଚାହେଁନି ତାଠୁ।ଯଦି ସେଠି ନୂଆପରିବାର ଗଢିଥାଏ ତେବେ ତାର କିଛି ବିରୋଧ କରିବାର କୌଣସି କାରଣ ନାହିଁ । କେବଳ ସେ ଚାହେଁ ତାପୁଅ ଖୁସିରେ ରହୁ । ହେଲେ ମରିବା ଆଗରୁ ସେ ଥରେ ତାକୁ ମନପୁରାଇ ଦେଖନ୍ତା । ତାର ଶିଶୁ ସମୟକୁ ଅନୁଭବ କରନ୍ତା ଆଉ ସନ୍ତୋଷରେ ଆରପୁରକୁ ଚାଲି ଯାଆନ୍ତା । ଦୂର ବାଦଲର କୋଉ ଦେଶରେ ଆଦରର ପୁଅ କୋଉଠି ଅଟକିଗଲା ତାକୁ ଭୁଲି । ସେକଥା ସେ ଦିନ ରାତି ଭାବି ହେଉଛି।ତାର ଆଉ କିଏ ଅଛି କି? ସିଏ ହିଁତ ତାର ଜୀବନ ସର୍ବସ୍ବ ଥିଲା । ଋମିତି ଭାବନା ଭିତରେ ତାର ଆଖି ବୁଜି ବୁଜି ଆସୁଥିଲା । ସେ ଅନୁଭବ କରୁଥିଲା ପୁଅକୁ।ସେ ତାରି ପାଖରେ ଆସି ବସିଛି ଯେମିତି । ତାର ଅସଜଡା ବାଳଗୁଡିକ ସଜାଡି ଦେଉଛି । ପିଲାବେଳେ ଯେମିତି ବୋକଟେ ଦେଉଥିଲା ସେମିତି ବୋକଟେ ଦେଉଛି ତାର କପାଳରେ।ଆଉ ହେ ତୃପ୍ତିରେ ଆର ପାରିକୁ ଚାଲି ଯାଉଛି ବାଦଲର ସବାରିରେ ବସି ।

ଭାଧବୀ ପଟେଲ
ଝାରସୁଗୁଡା