ଦୀର୍ଘ ମାସ ପରେ “ଟିମ କ୍ଲିନ ସିଟି” ପକ୍ଷରୁ ଆରମ୍ଭ ହୋଇଛି ସେବା କାର୍ଯ୍ୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀର ପ୍ରଭାବ ପଡିଛି ସବୁଠି । ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି । ପରିସ୍ଥିତି ଏଭଳି ହେଲା ଯେ କଟକଣା ଯୋଗୁଁ ଗରିବ, ନିରୀହ, ଅସହାୟ ଓ ନିରାଶ୍ରୟଙ୍କୁ ସହଯୋଗର ହାତ ବଢ଼ାଉଥିବା ସ୍ଵେଚ୍ଛାସେବୀ ମାନେ ସେବା କାର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି । ଫଳସ୍ୱରୂପ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର “ଟିମ କ୍ଲିନ ସିଟି” ପକ୍ଷରୁ ଜାରି ରହିଥିବା ସାମାଜିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଯଦିଓ ସାମୁହିକ କାର୍ଯ୍ୟ ବନ୍ଦ ରହିଥିଲା ତେବେ ଟିମର ସଦସ୍ୟମାନେ ନିଜର ତଥା ବ୍ୟକ୍ତିଗତ ଉଦ୍ୟମରେ ନିଜ ସେବା କାର୍ଯ୍ୟ ଚଳାଇ ଆସୁଥିଲେ । କରୋନା କଟକଣାର ପ୍ରଭାବ କେବଳ ଜୀବଜଗତ ବା ପ୍ରାଣିଜଗତ ଉପରେ ପଡିଛି ଏହା ନୁହଁ ବରଂ ମହାପୁରୁଷ ମାନଙ୍କ ଉପରେ ମଧ୍ୟ ପଡିଛି । ସହରରେ ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ପ୍ରତିମୂର୍ତ୍ତି ଗୁଡିକ ରକ୍ଷଣାବେକ୍ଷଣା ଅଭାବରୁ ଅବହେଳିତ ହୋଇ ପଡିଥିଲା । ଯାହାଉପରେ ନଜର ପଡିଥିଲା ଟିମ କ୍ଲିନ ସିଟି ସଦସ୍ୟଙ୍କର । ଦୀର୍ଘ ମାସ ପରେ ଆଜି ପୁଣି ଟିମର ପୂର୍ବ ନିଷ୍ପତ୍ତି କ୍ରମେ ଆରମ୍ଭ ହୋଇଛି ସାମାଜିକ ତଥା ସେବା କାର୍ଯ୍ୟ । ଆଜି ସକାଳ ୬ଟା ସମୟରେ ଟିମର ସଦସ୍ୟମାନେ ଏମକେସିଜି ମେଡିକାଲ ମୁଖ୍ୟ ଗେଟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ସମସ୍ତଙ୍କ ମୁହଁରେ ଥିଲା ମାସ୍କ । ପୃଥକ ପୃଥକ ଭାବେ ସମସ୍ତେ ପହଞ୍ଚିଥିଲେ ପି ଭି ଏନ ରାଓ ପେଟ୍ରୋଲ ପମ୍ପ ଛକରେ । ସେଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ପରେ ପୋଛାପୋଛି କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଟିମର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ଓ ବରିଷ୍ଠ ସଦସ୍ୟ ରାମ ଚନ୍ଦ୍ର ପଣ୍ଡା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଟିମ କ୍ଲିନ ସିଟିର ଆଜିର ଏହି କାର୍ଯ୍ୟରେ ଟିମର ବହୁ ସଦସ୍ୟ ଯୋଗ ଦେଇଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ ଏଭଳି କାର୍ଯ୍ୟ ହାତକୁ ନିଆଯାଇଥିବାରୁ ସମସ୍ତଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଲା ଟିମ ପକ୍ଷରୁ ଏଭଳି କାର୍ଯ୍ୟ ହାତକୁ ନିଆଯାଉଥିବା ସୂଚନା ପାଇ ବ୍ରହ୍ମପୁର କିନ୍ନର ସଂଘର ସଦସ୍ୟମାନେ ମଧ୍ୟ ଏଥିରେ ସକ୍ରିୟ ଭାବେ ସାମିଲ ହୋଇଥିଲେ । ଆଗକୁ ଏଭଳି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ଟିମର ଅନ୍ୟତମ ବରିଷ୍ଠ ସଦସ୍ୟ ଶକ୍ତିଧର ରାଜଗୁରୁ ମତ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା